ଏକାମ୍ରକାନନ ଫାର୍ମର ଜମି ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର ପ୍ରସଙ୍ଗ: ସରକାରଙ୍କୁ ଘେରିଲେ କଂଗ୍ରେସ ଓ ବିଜେପି

ଭୁବନେଶ୍ବର: ରାଜଧାନୀର ଏକାମ୍ରକାନନ ଫାର୍ମର ଜାଗାକୁ ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର ପ୍ରସଙ୍ଗରେ ଜୋର ଧରିଛି ରାଜନୀତି । ଫାର୍ମର ସବୁଜିମାକୁ ନଷ୍ଟ କରି ବ୍ୟବସାୟିକ କୋଠା ନିର୍ମାଣ କରିବା ପାଇଁ ସାଧାରଣ ପ୍ରଶାସନକୁ ଜମି ହସ୍ତାନ୍ତର ନିଷ୍ପତ୍ତିକୁ ବିରୋଧ କରିଛି କଂଗ୍ରେସ । ସରକାର ନେଇଥିବା ନିଷ୍ପତ୍ତି ପ୍ରତ୍ୟାହାର ନ କଲେ ଆଗକୁ କଂଗ୍ରେସ ପକ୍ଷରୁ ଲୋକସେବା ଭବନ ଘେରାଉ କରାଯିବ ବୋଲି ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉରତରାୟ ଧମକ ଦେଇଛନ୍ତି ।

ଏ ପ୍ରସଙ୍ଗରେ କଂଗ୍ରେସ ସହ ସ୍ୱର ମିଳାଇଛି ବିଜେପି । ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଏହା ଏକ ଅଭାବନୀୟ ଘଟଣା । ବିଚିତ୍ର ଢଙ୍ଗରେ ଶାସନ ବ୍ୟବସ୍ଥା ଚାଲିଛି । ସରକାର ଏଭଳି ନିଷ୍ପତ୍ତି ନେବା ଆଗରୁ ଆଲୋଚନା କରିବାର ଆବଶ୍ୟକତା ରହିଛି । ସରକାର ଏକାମ୍ର କାନନ ଜମି ବାବଦରେ ଜନସାଧାରଣଙ୍କ ସାମ୍ନାରେ ସ୍ପଷ୍ଟ ଚିତ୍ର ଦେବାର ଆବଶ୍ୟକତା ଥିବା ବିଜେପି ନେତା କହିଛନ୍ତି ।

ସେପଟେ ବିରୋଧୀଙ୍କ ବିରୋଧ ପରେ ଜବାବ ରଖିଛି ବିଜେଡି । ବରିଷ୍ଠ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନିଆନ୍ତି ତାର ବିକଳ୍ପ ଚିନ୍ତା କରିଥାନ୍ତି । ଏକାମ୍ର୍ ଫାର୍ମର ୨୦ ଏକର ୧୯୨ ଡିସିମିଲ ଜମିକୁ ସାଧାରଣ ପ୍ରଶାସନ ବିଭାଗର ଇଷ୍ଟେଟକୁ ହସ୍ତାନ୍ତର କରାଯାଇଥିବା ଉଦ୍ୟାନ କୃଷି ବିଭାଗ ପକ୍ଷରୁ କୁହାଯାଇଥିଲା । ବାକି ୫ଏକର ୭୭୫ ଡିସିମିଲ ଜମିରେ ବିଲ୍ଡିଂ ଥିବାରୁ ଏହାକୁ ରଖିଛି ଉଦ୍ୟାନ କୃଷି ବିଭାଗ । ହସ୍ତାନ୍ତର ହୋଇଥିବା ଜାଗାରେ ସରକାର ବାଣିଜ୍ୟିକ ପ୍ରତିଷ୍ଠାନ ଓ ବାସଗୃହ କରିବା ପାଇଁ ଯୋଜନା କରୁଛନ୍ତି ବୋଲି କୁହାଯାଇଥିଲା ।

ସମ୍ବନ୍ଧିତ ଖବର