ପୁରୀ: ବଗଲା ଧର୍ମଶାଳା ବିକ୍ରି ପ୍ରସଙ୍ଗକୁ ନେଇ ଗତ ୫ ଦିନ ହେବ ବିଭିନ୍ନ ରାଜନୈତିକ ଦଳ ସାମ୍ନାକୁ ଆସି ସାରିଥିବା ବେଳେ ଆଜି କଂଗ୍ରେସ ସାମ୍ନାକୁ ଆସିଛି। ଜିଲ୍ଲା ଯୁବ କଂଗ୍ରେସ କମିଟି ପକ୍ଷରୁ ଏହାକୁ ବିରୋଧ କରି ଏକ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରତିବାଦ ସଭାରେ ଯୋଗଦେଇ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶଚନ୍ଦ୍ର ରାଉତରାୟ ସରକାର ଓ ପ୍ରଶାସନ ବଗଲା ବିକ୍ରି ନିଷ୍ପତ୍ତିକୁ ନେଇ ବର୍ଷିଥିଲେ। ବଗଲା ଜମି ବିକ୍ରି କରି ଦାତା କହ୍ନେୟାଲାଲଙ୍କୁ ଅପମାନିତ କରାଯାଇଛି। ସରକାର ତାଙ୍କ ଦାନ ଅକ୍ଷୁର୍ଣ୍ଣ ରଖନ୍ତୁ। ଜିଲ୍ଲାପାଳ ଏହି ବିକ୍ରି ଦଲିଲକୁ ରଦ୍ଦ କରନ୍ତୁ ବୋଲି ଶ୍ରୀ ରାଉତରାୟ କହିଥିଲେ। ସେ କହିଲେ, ଆଜି ପୁରୀରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ସାରା ରାଜ୍ୟରେ ଚାଲିବ ଓ ଯୁବ କଂଗ୍ରେସ ଏହାର ନେତୃତ୍ବ ନେବ ।
ଧାରଣାରେ ସାମିଲ ହୋଇଥିବା କଂଗ୍ରେସର ରାଜ୍ୟ ମିଡିଆ ସେଲର ମୁଖ୍ୟ ସତ୍ୟ ପ୍ରକାଶ ନାୟକ କହିଲେ, ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ ଜମିକୁ ବିକ୍ରି କରିବା ସରକାର ବା ପ୍ରଶାସନର ବେଆଇନ କାମ। ସରକାର ନିଷ୍ପତ୍ତି ବଦଳାନ୍ତୁ ବୋଲି ସେ କହିଥିଲେ। ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରେମଜିତ ମହାନ୍ତିଙ୍କ ନେତୃତ୍ବରେ ଆୟୋଜିତ ଏହି ଧାରଣା ଓ ପ୍ରତିବାଦ ସଭାରେ ଏଆଇସିସି ସଭ୍ୟ ସୁଜିତ ମହାପାତ୍ର, କଂଗ୍ରେସ ନେତା ଅଜିତ ମଙ୍ଗରାଜ, ରାଜେଶ ମିଶ୍ର, ଗୋପାଳଚନ୍ଦ୍ର ଖୁଣ୍ଟିଆ, ଅମରେନ୍ଦ୍ର ପାଇକରାୟ, ସ୍ବାଧୀନ କୁମାର ପଣ୍ଡା, ରାଜ୍ୟ ମିଡିଆ ସଂଯୋଜକ ଦୀପକ କୁମାର ମହାପାତ୍ର, ରାଜରତନ ମହାପାତ୍ର, ସର୍ବେଶ୍ବର ସ୍ବାଇଁ, ବିଶ୍ବରଂଜନ ମହାପାତ୍ର, ବିଦୁଲତା ଆଚାର୍ଯ୍ୟ, ନିରୁପମା ପାତ୍ର, ସରସ୍ବତୀ ପାତ୍ର, ସତ୍ୟପ୍ରକାଶ ବରାଳ, ପଦ୍ମନାଭ ନାୟକ, ସ୍ମୃତିରଂଜନ ପତି ପ୍ରମୁଖ ଉପସ୍ଥିତ ଥିଲେ। ବିଶ୍ବନାଥ ଦାସ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।
ଭୁବନେଶ୍ବର: ରାଜନୀତି ବିଶେଷଜ୍ଞଙ୍କ ମତରେ ଅତ୍ୟଧିକ କ୍ଷମତା ଓ ବହୁ ମତ ସରକାରଙ୍କୁ ଅହଙ୍କାରୀ କରିଦିଏ। ଓଡ଼ିଶାରେ ଦୀର୍ଘ ୨୦ ବର୍ଷର ବିଜେଡି ସରକାରର ବର୍ତ୍ତମାନ ଏହି ସ୍ଥିତି ହୋଇଛି। ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ସରକାର ଖେଳ ଖେଳୁଛନ୍ତି। ଆଜି ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ଘଟଣାରେ ସିଧାସଳଖ ରାଜ୍ୟ ସରକାରଙ୍କୁ ଏପରି ଟାର୍ଗେଟ୍ କରିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ। ଏହି ଘଟଣାରେ ରାଜ୍ୟ ଆଇନ୍ ମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀ କାହିଁକି ଚୁପ୍ ଅଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ଏକ ପ୍ରେସ୍ ବିବୃତି ଜାରି କରି ପିସିସି ସଭାପତି ଅଭିଯୋଗ କରିଛନ୍ତି ଯେ, ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ସରକାର କେତେବେଳେ ବିଜେପି ଦଳ ସହିତ ଓ ପୁଣି କେତେବେଳେ ନିଜ କ୍ଷମତାରେ ଶାସନ କରି ଆସିଛି। ଲକ୍ଷ ଲକ୍ଷ କୋଟି ଟଙ୍କା ଦୁର୍ନୀତିରେ ଲିପ୍ତ ଏ ସରକାର ଅଗଣିତ ଭକ୍ତମାନଙ୍କ ହୃହୟର ଠାକୁର ଶ୍ରୀ ଜଗନ୍ନାଥଙ୍କୁ ବି ଛାଡ଼ି ନାହାନ୍ତି। ନବକଳେବର ସମୟର ଅନିୟମିତତା ହେଉ ବା ବେଦାନ୍ତ ବିଶ୍ବବିଦ୍ୟାଳୟ କରିବା ପାଇଁ ଅମୃତମଣୋହି ଜମି ଟେକିଦେବା ପ୍ରସଙ୍ଗ ସବୁଥିରେ ସରକାରଙ୍କ ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପରିକି ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ କେବଳ କମିସନ ନିଯୁକ୍ତି କରି ସରକାର ଦାୟିତ୍ବ ସାରି ଦେଇଛନ୍ତି।
ବଗଲା ସମ୍ପର୍କରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ୧୯୦୫ ମସିହାରୁ ଗରିବ ଭକ୍ତମାନଙ୍କର ପୁରୀରେ ରହଣି ପାଇଁ ଦାନ ସୂତ୍ରରେ ମିଳିଥିବା ଧର୍ମଶାଳା ଜମିକୁ କେତେଜଣ ଲଜ୍ ମାଲିକମାନଙ୍କୁ ବେଆଇନ ଭାବେ ବିକ୍ରି କରାଯାଇଛି। ଶ୍ରୀ ମନ୍ଦିର ଚାରିପାଖରେ ୭୫ ମିଟର ଜାଗାକୁ ଖାଲି କରିବା ପାଇଁ ସରକାର ଅନେକ ବ୍ୟକ୍ତିମାନଙ୍କ ଠାରୁ ଜମି ଅଧିଗ୍ରହଣ କରିଛନ୍ତି। ଜମି କିଣା ବାବଦରେ ସେମାନଙ୍କୁ ସରକାରୀ ତହବିଲରୁ ବଜାର ଦର ମୁତାବକ ପ୍ରଚୁର ଅର୍ଥ ପ୍ରଦାନ କରାଯାଇଛି। ବିଶେଷକରି ବଗଲା ଧର୍ମଶାଳା ଜମି ବିକ୍ରି ଘଟଣାରେ ପୁରୀ ଜିଲ୍ଲାପାଳ ଯେତିକି ଦାୟୀ, ତାଠାରୁ ଅଧିକ ସରକାର ଦାୟୀ। ସରକାରଙ୍କ ବିନା ଅଗୋଚରରେ ଏପରି କାରବାର ସମ୍ଭବ ହୋଇପାରିବନି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ସେ ଆହୁରି ଅଭିଯୋଗ କରି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କର ନିଜ ନିର୍ବାଚନ ମଣ୍ଡଳୀ ଗଞ୍ଜାମର ହିଞ୍ଜିଳିକାଟୁ ଅଞ୍ଚଳରୁ ହଜାର ହଜାର ଟ୍ରକ୍ ବାଲି ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଛି। ଏହାକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିଥିବା ଗ୍ରାମବାସୀଙ୍କ ଉପରେ ପୋଲିସ୍ ଲାଠି ଚାଳନା କରିଛି। ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଏସବୁ ଉପରେ ମୁଖ୍ୟମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଦରକାର। ନଚେତ୍ ଇତିହାସ ତାଙ୍କୁ କେବେ ବି କ୍ଷମା ଦେବନି ବୋଲି ଶ୍ରୀ ପଟ୍ଟନାୟକ ଚେତେଇ ଦେଇଛନ୍ତି।