ଭୁବନେଶ୍ୱର : କୃଷି ନୀତିକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାମ୍ବାଦିକ ସମ୍ମିଳନୀ ପରେ ତାହାକୁ ସମାଲୋଚନା କରିଛନ୍ତି କଂଗ୍ରେସ ଓ ବିଜେଡି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଟାକ୍ଷ କରି କହିଛନ୍ତି, ବାସ୍ତବରେ କୃଷି ବିଲ୍ ଏକ ଐତିହାସିକ ବିଲ୍। କାରଣ ଏହା ଦ୍ବାରା କେନ୍ଦ୍ର ସରକାର ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିବାକୁ ଆଉ ଏକ ବାଟ ଖୋଲିଛନ୍ତି। ଏମ୍ଏସ୍ପି ଓ ମଣ୍ଡି ରହିବ ବୋଲି କହୁଛନ୍ତି। ବିଲ୍ରେ କାହିଁକି ତାହା ନିର୍ଦ୍ଧାରଣ କରି ନାହାନ୍ତି ? ଏମ୍ଏସ୍ପି ଦର ତଳକୁ କେହି ଶସ୍ୟ କିଣିପାରିବେନି ବୋଲି କାହିଁକି ସ୍ପଷ୍ଟ ଭାବେ ଉଲ୍ଲେଖ କରି ନାହାନ୍ତି ? ଏମ୍ଏସ୍ପି ଦର ତଳକୁ ଶସ୍ୟ କିଣିଲେ ଦଣ୍ଡ ବିଧାନ ହେବ ବୋଲି ବିଲ୍ରେ ବ୍ୟବସ୍ଥା କରିଥିଲେ ଚାଷୀଙ୍କ ସ୍ବାର୍ଥ ସୁରକ୍ଷିତ ରହିଥାନ୍ତା। କିନ୍ତୁ ତାହା ନ କରି ବିଲ୍ରେ କେବଳ କର୍ପୋରେଟ୍ କ୍ଷେତ୍ର ପାଇଁ ରାସ୍ତା ଖୋଲାଯାଇଛି।
ବିଜେଡି ବିଧାୟକ ପ୍ରତାପ ଦେବ ଗଣମାଧ୍ୟମକୁ କହିଛନ୍ତି ଯେ କେନ୍ଦ୍ର ସରକାର ଚାଷୀଙ୍କ ସ୍ବାର୍ଥ ପାଇଁ କାମ କରୁଛନ୍ତି ଓ ଏମ୍ଏସ୍ପି ବ୍ୟବସ୍ଥା ଉଚ୍ଛେଦ ହେବନି ବୋଲି କେନ୍ଦ୍ର ମନ୍ତ୍ରୀ କହୁଛନ୍ତି। ତେବେ ଏମ୍ଏସ୍ପି ବ୍ୟବସ୍ଥା କଥା ବିଲ୍ରେ କାହିଁକି ରଖି ନାହାନ୍ତି ? ନୂଆ କୃଷି ନୀତି ଦଲାଲ ବ୍ୟବସ୍ଥାକୁ ଉଚ୍ଛେଦ କରିବ ବୋଲି କୁହାଯାଉଛି। ଏହା ସତ ଯେ କ୍ଷୁଦ୍ର ଓ ମଧ୍ୟମ ଦଲାଲ ଆଉ ରହିବେନି। କିନ୍ତୁ କର୍ପୋରେଟର୍ ଦଲାଲ ସୃଷ୍ଟି ହେବା ପାଇଁ ବିଲ୍ ବାଟ ଖୋଲିଦେଇଛି।