କଂଗ୍ରେସ ଘୋଷଣା କଲା ଆଉ ୪ ବିଧାନସଭା ପ୍ରାର୍ଥୀ : ୨ଟି ଆସନରେ ପ୍ରାର୍ଥୀ ବଦଳିଲେ, ବିଧାୟକ ଜାକବ୍‌ ପ୍ରଧାନଙ୍କ ଟିକେଟ୍‌ କଟିଲା

ଭୁବନେଶ୍ବର/ନୂଆଦିଲ୍ଲୀ : ରାଜ୍ୟରେ ନିର୍ବାଚନ ବାତାବରଣ ଯେତିକି ସରଗରମ ହେଉଛି, କେଉଁ ପ୍ରାର୍ଥୀଙ୍କୁ କେଉଁ ରାଜନୈତିକ ଦଳ ଛିଡ଼ା କରିବ, ସେ ନେଇ ବଢ଼ୁଛି ଛକାପଂଝା। ଏହାକୁ ଦୃଷ୍ଟିରେ ରଖି ଅତ୍ୟନ୍ତ ସତର୍କତାର ସହିତ ଆଜି ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ୪ଜଣଙ୍କୁ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହି କ୍ରମରେ ଜଣେ ବିଧାୟକଙ୍କ ଟିକେଟ୍‌ କଟିଥିବା ବେଳେ ଆଉ ୨ଟି ଆସନରେ ପ୍ରାର୍ଥୀମାନଙ୍କୁ ବଦଳାଇଛି କଂଗ୍ରେସ ଦଳ। ଆଜି ଘୋଷିତ ୪ଟି ବିଧାନସଭା ଆସନର ପ୍ରାର୍ଥୀମାନଙ୍କୁ ମିଶାଇ ବର୍ତମାନ ସୁଦ୍ଧା ଓଡ଼ିଶା ପାଇଁ କଂଗ୍ରେସ ଲୋକସଭା ଆସନ ନିମନ୍ତେ ୮ଜଣ ଏବଂ ୯୨ଜଣ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ତେବେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ନିର୍ବାଚନ ପାଇଁ ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀମାନଙ୍କର ନାମ ଘୋଷଣା ବାକି ରହିଛି।

ଆଜି ଏଆଇସିସି ପକ୍ଷରୁ ହିଞ୍ଜିଳି ବିଧାନସଭା ଆସନ ପାଇଁ ଶମ୍ଭୁନାଥ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ପୂର୍ବରୁ ଏହି ଆସନ ପାଇଁ କଂଗ୍ରେସ ପକ୍ଷରୁ ରାମକୃଷ୍ଣ ପଣ୍ଡାଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ଏହି ଆସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢ଼ୁଛନ୍ତି। ଫଳରେ ଏହାର ମର୍ଯ୍ୟାଦା ଅଧିକ। ଏହି ଆସନରେ ପୀତାମ୍ବର ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି ବିଜେପି। ଅନୁରୂପ ଭାବେ ରାଉରକେଲା ବିଧାନସଭା ଅ‌ାସନ ପାଇଁ କଂଗ୍ରେସ ମୁକ୍ତିକାନ୍ତ ବିଶ୍ବାଳଙ୍କ ନାମ ଘୋଷଣା କରିଥିଲା। କିନ୍ତୁ ସେଠ‌ାରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ।

ସୂଚନାଯୋଗ୍ୟ, ରାଉରକେଲା ଇସ୍ପାତ ଜେନେରାଲ୍‌ ହସ୍‌ପିଟାଲ୍‌(ଆ‌ଇଜିଏଚ୍‌)କୁ ସୁପର ସ୍ପେଶିଆଲିଟି ହସ୍‌ପିଟାଲ୍‌ରେ ପରିଣତ ଏବଂ ବ୍ରାହ୍ମଣୀ ନଦୀରେ ଦ୍ବିତୀୟ ସେତୁ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେଇ ପାସୋରି ପକାଇଥିଲେ। ତାଙ୍କୁ ସେ କଥା ମନେ ପକାଇବା ପାଇଁ ମୁକ୍ତିକାନ୍ତ ୧୫୦୦ କି.ମି.ରୁ ଅଧିକ ରାସ୍ତା ପାଦରେ ଚାଲି ଦିଲ୍ଲୀ ଯାତ୍ରା କରିଥିଲେ। କିନ୍ତୁ ମୋଦିଙ୍କ ଦେଖା ନ ପାଇ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନଜରକୁ ଆସିଥିଲେ। କିନ୍ତୁ ସେ ନିର୍ବାଚନରେ ଲଢ଼ିବାକୁ ଆଗ୍ରହୀ ନ ଥିବା ପ୍ରକାଶ କରିଥିଲେ। ଫଳରେ କଂଗ୍ରେସ ପ୍ରାର୍ଥୀ ବଦଳାଇ ବରିଷ୍ଠ ନେତା ବିରେନ୍‌ ସେନାପତିଙ୍କୁ ପ୍ରାର୍ଥୀ କରିଛି।

କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବିଧାନସଭା ଆସନରେ ବର୍ତମାନର ବିଧାୟକ ଜାକବ୍‌ ପ୍ରଧାନଙ୍କ ଟିକେଟ୍‌ କଟିଛି। ସେହି ଆସନରେ କଂଗ୍ରେସ ଘୋଷଣା କରିଛି ଶ୍ୟାମଘନ ପ୍ରଧାନଙ୍କ ପ୍ରାର୍ଥିତ୍ବ। ନିଜ ଟିକେଟ୍‌ କଟିବାର ଆଶଙ୍କା କରି ଜାକବ୍‌ ସ୍ବାଧୀନ ଭାବେ ନିର୍ବାଚନରେ ଲଢ଼ିବେ ବୋଲି ଘୋଷଣା କରିଛନ୍ତି। ତେବେ ଅନ୍ୟ ଦଳକୁ ସେ ଯିବେନି ବୋଲି ସ୍ପଷ୍ଟ କରିଦେଇଛନ୍ତି। ‌ଏ ପଟେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଭାବେ ରମେଶ ପୁରୋହିତଙ୍କ ନାମ ଘୋଷଣା କରିଛି କଂଗ୍ରେସ।

ଆଜି ନୂଆଦିଲ୍ଲୀରେ ପଶ୍ଚିମବଙ୍ଗ, କର୍ଣ୍ଣାଟକ ସମେତ ଅନ୍ୟ କିଛି ରାଜ୍ୟମାନଙ୍କର ପ୍ରାର୍ଥୀ ଚୟନ ନେଇ କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି) ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତାକାଲି ଓଡ଼ିଶା ପ୍ରସଙ୍ଗରେ ସିଇସି ବୈଠକ ହେବ ବୋଲି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି। ତଦନୁଯାୟୀ ଟିକେଟ୍‌ ଘୋଷଣା ହେବ। ମହିଳା ପ୍ରତିନିଧିତ୍ବ ପ୍ରସଙ୍ଗ ମଧ୍ୟ ଚୂଡ଼ାନ୍ତ ରୂପରେଖ ନେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର