ଭୁବ‌‌ନେଶ୍ବର: ‌କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ବାବାସାହେବ ଆମ୍ବେଦକରଙ୍କୁ ଅପମାନିତ କରିଥିବା ଅଭିଯୋଗ କରି କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛନ୍ତି। ସାରା ଦେଶରେ ଏନେଇ ବିରୋଧ ଜାରି ରହିଥିବାବେଳେ ବିଜେପି ପକ୍ଷରୁ ଏହାର କଡ଼ା ପ୍ରତିବାଦ କରାଯାଉଛି। ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଆଜି କଂଗ୍ରେସର ପ୍ରତିବାଦକୁ ନିନ୍ଦା କରିଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ କଂଗ୍ରେସ ନେତାମାନେ ସାମାଜିକ ତଥା ରାଜନୈତିକ ଦୃଷ୍ଟିରୁ ବାବା ସାହେବଙ୍କୁ ସର୍ବଦା ଅବହେଳା ଓ ପରିହାସ କରିଆସୁଛନ୍ତି। ସେମାନଙ୍କର ରାଜନୈତିକ ଏଜେଣ୍ଡାକୁ ଆହୁରି ଆଗକୁ ନେବାକୁ କଂଗ୍ରେସ ଏବଂ ଏହାର ‘ଟୁଲ୍‌କିଟ୍ ଗ୍ୟାଙ୍ଗ’ ବିଜେପିର ବରିଷ୍ଠ ନେତାଙ୍କ ବିବୃତିକୁ ବିକୃତ କରି ସମାଜକୁ ବିଭାଜନ କରିବାକୁ ଚେଷ୍ଟା କରୁଛନ୍ତି। କଂଗ୍ରେସ ନେତା ତଥା ପଣ୍ଡିତ ନେହରୁଙ୍କ ଦ୍ୱାରା ବାବାସାହେବ ଆମ୍ବେଦକରଙ୍କୁ ବାରମ୍ବାର ଅପମାନିତ କରାଯାଇଛି। ଏବେ  କଂଗ୍ରେସ ବିନା ସର୍ତ୍ତରେ କ୍ଷମା ମାଗିବା ଉଚିତ।

Advertisment

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ କଂଗ୍ରେସ ଦଳ ସାରା ଦେଶରେ ବିଜେପି ବିରୋଧରେ ସାମ୍ବାଦିକ ସମ୍ମିଳନୀ ଓ ଧାରଣା କରୁଛି। ବାସ୍ତବରେ ରାହୁଲ ଗାନ୍ଧୀ ଓ ତାଙ୍କ ଦଳ ବାବା ସାହେବଙ୍କ ପ୍ରତି କରାଯାଇଥିବା ଅପମାନର କଳଙ୍କ ବହନ କରୁଛନ୍ତି। ରାହୁଲ ଗାନ୍ଧୀ ସେସବୁ ଡ୍ରାମା ବନ୍ଦ କରିବା ଉଚିତ। ବାବାସାହେବ ଆମ୍ବେଦକର ପଣ୍ଡିତ ନେହରୁଙ୍କ ବିରୋଧରେ ଅନେକ କଥା ଲେଖିଛନ୍ତି। ବାବାସାହେବ ତାଙ୍କ ଇସ୍ତଫା ପତ୍ରରେ ଲେଖିଥିଲେ ଯେ ସେ ଶିଳ୍ପ ଓ ଅର୍ଥନୈତିକ କ୍ଷେତ୍ରରେ ଶିକ୍ଷା ଲାଭ କରିଛନ୍ତି। କିନ୍ତୁ ତାଙ୍କୁ ଏହି ସମ୍ବନ୍ଧୀୟ କୌଣସି ବିଭାଗ ଦିଆଯାଇନଥିଲା କି କୌଣସି ସଂସଦୀୟ କମିଟିରେ ମଧ୍ୟ ସାମିଲ କରାଯାଇ ନଥିଲା। ତାଙ୍କୁ ଆଇନ ମନ୍ତ୍ରଣାଳୟ ଦିଆଯାଇଥିଲା, କିନ୍ତୁ ଠିକ୍ ଭାବେ କାମ କରିବାକୁ ଦିଆଯାଇ ନଥିଲା। ତାଙ୍କୁ ହିନ୍ଦୁ କୋଡ୍‌ ବିଲ୍ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାକୁ ଦିଆଯାଇ ନଥିଲା। କେବଳ ମୁସଲମାନଙ୍କ ଉପରେ ଚିନ୍ତା କରାଯାଇଥିଲା। ଏସ୍‌ସି ଓ ଏସ୍‌ଟିମାନଙ୍କୁ ଠିକ୍ ଭାବେ ସଂରକ୍ଷଣ ଦିଆଯାଇ ନଥିଲା।

ଏଠାରେ ପ୍ରଶ୍ନ ଉଠୁଛି, ଦେଶରେ କ’ଣ କେବଳ ମୁସଲମାନ୍‌ଙ୍କୁ ସଂରକ୍ଷଣର ଆବଶ୍ୟକ ଅଛି? ପଣ୍ଡିତ ନେହରୁ ଡ. ବିସି ରାୟଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଆମ୍ବେଦକରଙ୍କ ଇସ୍ତଫା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ମାତ୍ର ଆଜି ସେହି କଂଗ୍ରେସ ପାର୍ଟି କେଉଁ ମୁହଁରେ ବାବାସାହେବ ଆମ୍ବେଦକରଙ୍କ ଅଧିକାର ଉପରେ କହୁଛି, ତାହା ବୁଝାପଡ଼ୁ ନାହିଁ। କଂଗ୍ରେସ ସଦାବେଳେ ଆମ୍ବେଦକରଙ୍କୁ ଅବହେଳିତ କରିଥିବାବେଳେ ବିଜେପି ଆମ୍ବେଦକରଙ୍କୁ ସମ୍ମାନ ଦେଇଛି। ବିଜେପି ସରକାର ଅମଳରେ ଦେଶ ଭିତରେ ଏବଂ ବିଦେଶରେ ଆମ୍ବେଦକରଙ୍କ ବହୁ ସ୍ମାରକୀ ନିର୍ମାଣ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।