ଭୁବନେଶ୍ବର: ରାଜ୍ୟରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରର ଯାଞ୍ଚ ପାଇଁ ଗୃହ କମିଟି ଗଠନ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବା ଓ କଂଗ୍ରେସର ସମସ୍ତ ବିଧାୟକଙ୍କୁ ନିଲମ୍ବନ ପ୍ରସଙ୍ଗରେ ଦଳର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇଛନ୍ତି। ପିସିସି ସଭାପତି ଭକ୍ତଚରଣ ଦାସଙ୍କ ସମେତ କଂଗ୍ରେସର ସବୁ ବିଧାୟକ ଓ ବରିଷ୍ଠ କଂଗ୍ରେସ ନେତାମାନେ ରାଜଭବନରେ ରାଜ୍ୟପାଳଙ୍କୁ ଭେଟିଥିଲେ।
କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ କଂଗ୍ରେସର ସବୁ ବିଧାୟକଙ୍କୁ ବାଚସ୍ପତି ଗୃହରୁ ନିଲମ୍ବନ କରିବା ଅଗାଣତନ୍ତ୍ରିକ। ସାଧାରଣ ଲୋକଙ୍କ ଦ୍ବାରା ନିର୍ବାଚିତ ଜନପ୍ରତିନିଧିଙ୍କୁ ବିଧାନସଭା ବାରଣ କରାଯାଉଛି। ରାଜ୍ୟରେ ବହୁଦିନ ଧରି ମହିଳା କମିସନ ଅଧ୍ୟକ୍ଷା ନ ଥିବାରୁ ତୁରନ୍ତ ଅଧ୍ୟକ୍ଷା ନିଯୁକ୍ତି ପାଇଁ ଦାବି ହୋଇଛି। ରାଜ୍ୟରେ ମହିଳା ଓ ଝିଅଙ୍କ ଉପରେ ଆକ୍ରମଣ ହେଉଥିବା ବେଳେ ସରକାର ନିରବ ରହିଛନ୍ତି। ଏଥିପାଇଁ ବିଧାନସଭା ଗୃହ କମିଟି ଗଠନ କରିବା ନିମନ୍ତେ କଂଗ୍ରେସ ବିଧାୟକମାନେ ଦାବି କରିବାରୁ ସେମାନଙ୍କୁ ଗୃହ ଭିତରକୁ ଛଡ଼ା ଯାଉନାହିଁ।
ଏହାସହ ଚଳିତମାସ ୨୭ ତାରିଖରେ ଦଳ ପକ୍ଷରୁ ବିଧାନସଭା ଘେରାଉ ଡାକରା ଦିଆଯାଇଥିଲା। ଶାନ୍ତିପୂର୍ଣ୍ଣ ଭାବେ କାର୍ଯ୍ୟକ୍ରମ ଚାଲିଥିବା ବେଳେ ପୁଲିସ ହଠାତ୍ ଲାଠିଚାର୍ଜ କରିବା ସହ ପାଣି ଓ ଲୁହ ବୁହା ଗ୍ୟାସ ଛାଡ଼ିଥିଲା। ଏଥିରେ ୪୦ରୁ ଅଧିକ କଂଗ୍ରେସ କର୍ମୀ ଓ ନେତା ଆହତ ହୋଇଛି। ଏଥିରେ ୧୦ଜଣ ଗୁରୁତର ଅବସ୍ଥାରେ ଅଛନ୍ତି। ତେଣୁ ରାଜ୍ୟ ସରକାରଙ୍କୁ ଗୃହ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେବାକୁ କଂଗ୍ରେସ ପ୍ରତିନିଧି ଦଳ ଦାବି କରିଛନ୍ତି।
ଏହି ପ୍ରତିନିଧି ଦଳରେ ଥିବା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ବରିଷ୍ଠ ନେତା ଶ୍ରୀକାନ୍ତ ଜେନା, ଶରତ ରାଉତ, ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ଅଶୋକ ଦାସ, ତାରାପ୍ରସାଦ ବାହିନୀପତି, ରମେଶ ଜେନା, ଦାସରଥି ଗମାଙ୍ଗୋ, ସୋଫିଆ ଫିର୍ଦୋସ୍, ରାଜନ ଏକ୍କା, ପ୍ରଫୁଲ୍ଲ ପ୍ରଧାନ, ପବିତ୍ର ସାଉଁନ୍ତା, ସସ୍ମିତା ବେହେରା, ଦେବାଶିଷ ପଟ୍ଟନାୟକ ଓ ଅନ୍ୟମାନେ ରାଜ୍ୟପାଳଙ୍କୁ ଭେଟିଥିଲେ।