ଜାତୀୟସ୍ତରର ଦଳ ପ୍ରତି ମୁଖ୍ୟମନ୍ତ୍ରୀ କଟାକ୍ଷ କରିବା ପ୍ରସଙ୍ଗ

କାହା କଥାରେ ନବୀନ ବାବୁ ପରିଚାଳିତ, ଓଡ଼ିଶାବାସୀଙ୍କୁ ଜଣାନ୍ତୁ: କଂଗ୍ରେସ

ଭୁବନେଶ୍ବର: ବିଜେଡି କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ସ୍ତରର ରାଜନୈତିକ ଦଳମାନଙ୍କ ଉପରେ କରିଥିବା ଟିପ୍ପଣୀକୁ ନେଇ କଂଗ୍ରେସ କଡ଼ା ପ୍ରତିକ୍ରିୟା ରଖିଛି। ଏ ନେଇ ଆଜି କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ଦଳ ନେତା ପଞ୍ଚାନନ କାନୁନଗୋ ମୁଖ୍ୟମନ୍ତ୍ରୀଙ୍କୁ ୧୦ଟି ପ୍ରଶ୍ନ ପଚାରିଛନ୍ତି। ପ୍ରତି କଥାରେ କେନ୍ଦ୍ର ବିଜେପି ସରକାର ଇଙ୍ଗିତରେ ପରିଚାଳିତ ହେଉଥିବା ରାଜ୍ୟ ମୁଖିଆ ନିଜକୁ ନ ଦେଖି ଅନ୍ୟ ଦଳ ଉପରେ ମତ ରଖିବା ହାସ୍ୟାସ୍ପଦ। ଏନଡିଏ ସରକାରଙ୍କୁ ସବୁ କଥାରେ ସମର୍ଥନ ଦେଇ ଓଡ଼ିଶାର କଣ ସ୍ବାର୍ଥ ହୋଇଛି, ତାକୁ ଜନସାଧାରଣଙ୍କ ପାଖରେ ରଖିବାକୁ ଶ୍ରୀ କାନୁନଗୋ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ବାନ ଦେଇଛନ୍ତି।

ଶ୍ରୀ କାନୁନଗୋ କହିଛନ୍ତି, କଂଗ୍ରେସ ହେଉଛି ଗୋଟିଏ ସର୍ବଭାରତୀୟ ଦଳ। ଏହାର ପରିଚାଳନାଗତ ଢାଞ୍ଚାକୁ ରିମୋଟ୍‌ କଣ୍ଟ୍ରୋଲ କହିବା ନବୀନ ବାବୁଙ୍କର ରାଜନୈତିକ ଅପରିପକ୍ବତାର ପରିଚୟ। ବିଜେଡି ଗଠନ ହେବା ପରେ ଅତୀତରେ ମୁଖ୍ୟମନ୍ତ୍ରୀ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଲାଲାକୃଷ୍ଣ ଆଡଭାନୀଙ୍କ ଦଳୀୟ ରଥରେ ଚଢ଼ିଥିଲେ। ଏହା କାହା ସ୍ବାର୍ଥରେ ଥିଲା? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମୁଦ୍ରାୟନ ନୀତିକୁ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ସମର୍ଥନ ଦେଲେ। ସେହିଭଳି ଏକ ତ୍ରୁଟିପୂର୍ଣ୍ଣ ଓ ଅତ୍ୟନ୍ତ ତରବରିଆ ଭାବେ କରାଯାଇଥିବା ଜି.ଏସ୍‌.ଟି ଆଇନ୍‌କୁ ଗ୍ରହଣ କରିନେଲେ। କୃଷି ରାଜ୍ୟ ବିଷୟ ହୋଇଥିଲେ ବି କୃଷି ଓ କୃଷକଙ୍କ ସ୍ବାର୍ଥ ହାନୀ କରୁଥିବା ୩ଟି କେନ୍ଦ୍ରୀୟ ଆଇନକୁ ବିରୋଧ କରିନାହାନ୍ତି। ଚାହିଁଥିଲେ ଅନ୍ୟ ରାଜ୍ୟ ପରି ସ୍ବତନ୍ତ୍ର ଆଇନ ପ୍ରଣୟନ କରିପାରିଥାନ୍ତେ। କିନ୍ତୁ କେନ୍ଦ୍ରର କଳା କୃଷି ବିଲ୍‌କୁ ଲୋକସଭାରେ ସମର୍ଥନ ଦେଇ ରାଜ୍ୟସଭାରେ ବିରୋଧ କରିବା ଅର୍ଥ କଣ? ଏହା ବିଜେଡି ମୁଖିଆଙ୍କ ଦୋମୁହାଁ ନୀତି ନୁହେଁ ତ ଆଉ କଣ ବୋଲି ଶ୍ରୀ କାନୁନଗୋ ପାଲଟା କଟାକ୍ଷ କରିଛନ୍ତି।

ରାଜ୍ୟ ସରକାରଙ୍କ ନୀତି ଉପରେ ପ୍ରଶ୍ନ ଉଠାଇ ସେ ଆହୁରି କହିଛନ୍ତି, ଖଣି ଓ କୋଇଲାରେ କେନ୍ଦ୍ର ପ୍ରଚୁର ଲାଭ କରିଚାଲିଛି ଅଥଚ ରାଜ୍ୟ ଟଙ୍କାଟିଏ ପାଉନାହିଁ। ଆଦାୟ ହେଉଥିବା ହଜାର ହଜାର କୋଟି ଟଙ୍କାର ସେସ୍‌ ଉପରେ ଓଡ଼ିଶାର ଦାବି ରହିଛି ବୋଲି ନବୀନ ବାବୁ ଦୃଢ଼ ସ୍ବରରେ ଦାବି କଲେନି। ଏହା କି ପ୍ରକାର ସାଲିସ୍‌? କାହା ସ୍ୱାର୍ଥରେ ଗତ ୬ ବର୍ଷ ଭିତରେ ଏନ୍‌.ଡି.ଏ ସରକାରଙ୍କ ୧୦ଟି ଜନ ବିରୋଧୀ ଆଇନ୍‌କୁ ବିଜେଡି ସଂସଦରେ ସମର୍ଥନ ଜଣାଇଆସିଛି। ବିଜେଡିର ଗୋଟିଏ ରାଜ୍ୟସଭା ଆସନକୁ ବିଜେପି ହାତକୁ ଟେକିଦେବା ଅର୍ଥ କ’ଣ? ଜଣେ ପୂର୍ବତନ ଅଣ ଓଡିଆ ଆଇ.ଏ.ଏସ୍ ଅଫିସର ଅଶ୍ୱିନୀ ବୈଷ୍ଣବଙ୍କୁ କାହିଁକି ଭାଜପା ପ୍ରାର୍ଥୀ ଭାବେ ଘୋଷଣା କରାଗଲା? ଏହା କେଉଁ ରିମୋଟ କଣ୍ଟ୍ରୋଲ ଦ୍ୱାରା ପରିଚାଳିତ ହୋଇଥିଲା?

କେନ୍ଦ୍ରରେ କଂଗ୍ରେସ ସରକାର ସମୟରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିଲା। ଅଥଚ ବିଜେଡି ଶାସନର ପ୍ରଥମ ପର୍ଯ୍ୟାୟରେ ଓଡିଆ ଭାଷାଭାଷୀ ଥିବା ବିଛିନ୍ନାଞ୍ଚଳକୁ ରାଜ୍ୟ ସହିତ ମିଶାଇବାରେ ସଫଳତା ମିଳିଲାନି। ତଥାପି ସେହି ବିଜେପି ସରକାର ସାଙ୍ଗରେ ରହିଲେ। ବିଜେଡି ସମ୍ବିଧାନର ଧାରା ୨ର ସଂକଳ୍ପ କୁହେ, ଏକ ସମୃଦ୍ଧ ଓ ସ୍ବାଭିମାନୀ ଓଡ଼ିଶା ତଥା ଦେଶର ଏକ ଅଗ୍ରଣୀ ରାଜ୍ୟର ପରିକଳ୍ପନା। ଏହି ଅବସରରେ ଶ୍ରୀ କାନୁନ୍‌ଗୋ ୧୯୯୯ ମସିହାରେ ବିଜେପି ସହିତ ମିଶି ବିଜେଡି ପ୍ରକାଶ କରିଥିବା ଇସ୍ତାହାର ସମ୍ପର୍କରେ କହିଥିଲେ। ଯାହାର ଶୀର୍ଷକ ଥିଲା ‘ଏକ ସମୃଦ୍ଧ, ସ୍ବାବଲମ୍ବୀ ଓ ସ୍ବାଭିମାନୀ ଓଡ଼ିଶା ନିର୍ମାଣ’। ଏଥିପାଇଁ ବିଜେଡି ସଂକଳ୍ପବଦ୍ଧ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ଦୀର୍ଘ ବର୍ଷ ପରେ ବି ରାଜ୍ୟ ଆଳୁ, ପିଆଜ, କଦଳୀ, ମାଛ, ସାଇକେଲ୍‌ ଓ ଛତାଟିଏ ପାଇଁ ଏବେ ବି ଅନ୍ୟରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଦଳୀୟ ନେତା ପ୍ରଶାନ୍ତ ଶତପଥୀ, ଅମୀୟ ପାଣ୍ଡବ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର