ଭୁବନେଶ୍ବର: ମହିଳା ସୁରକ୍ଷା ପ୍ରସଙ୍ଗରେ ଆସନ୍ତାକାଲି ବିଧାନସଭା ଘେରାଉ କରିବ କଂଗ୍ରେସ। ରାଜ୍ୟବ୍ୟାପୀ ହଜାର ହଜାର କର୍ମୀ ଏହି ଘେରାଉରେ ସାମିଲ ହେବେ। ରାମ ମନ୍ଦିର ସମ୍ମୁଖରୁ ପଦଯାତ୍ରା ବାହାରି ବିଧାନସଭା ପର୍ଯ୍ୟନ୍ତ ଯିବ। ଏହି ଆନ୍ଦୋଳନରେ ମହିଳା କର୍ମୀମାନେ ନେତୃତ୍ବ ନେବେ। ନାରୀ ନିର୍ଯାତନା ସହ ବିଧାନସଭା ପରିସରରେ କଂଗ୍ରେସ ବିଧାୟକଙ୍କୁ ଯେଉଁଭଳି ଭାବେ ଅସମ୍ମାନ କରାଯାଇଛି ତାହାକୁ ନେଇ କଂଗ୍ରେସ କର୍ମୀ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିବେ। ଏହି ଘେରାଉ ପାଇଁ ଆଜି ପିସିସି ସଭାପତି ଭକ୍ତଚରଣ ଦାସଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଦଳର ସମସ୍ତ ବିଧାୟକ ଓ ନେତୃମଣ୍ଡଳୀ ଏଥିରେ ସାମିଲ ହୋଇଥିଲେ।
ଅପରପକ୍ଷରେ ଗତକାଲି କଂଗ୍ରେସର ବିଧାୟକମାନଙ୍କୁ ନିଲମ୍ବନ କରାଯିବା ପ୍ରତିବାଦରେ ଆଜି କଂଗ୍ରେସ ଭବନରେ ବରିଷ୍ଠ ନେତୃମଣ୍ଡଳୀ ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ। ପିସିସି ସଭାପତି ଭକ୍ତଚରଣ ଦାସ କହିଥିଲେ, ନିର୍ବାଚିତ ବିଧାୟକଙ୍କୁ ବିଧାନସଭା ପରିସରକୁ ବାଚସ୍ପତିଙ୍କ ବିନା ନିର୍ଦ୍ଦେଶରେ ଯିବାକୁ ନ ଦେବା ସଂପୂର୍ଣ୍ଣ ଅଗାଣତାନ୍ତ୍ରିକ। ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମଥର ପାଇଁ ପୁଲିସ ବିଧାନସଭାର ନୀତି ନିର୍ଦ୍ଧାରକ ସାଜିଛି। ବାଚସ୍ପତି ସରକାରୀ ଦଳର ହାତବାରିସି ସାଜିଛନ୍ତି। ଗତକାଲି ରାତି ଓ ଆଜିର ଘଟଣାକ୍ରମକୁ ଦେଖିଲେ ଏଭଳି କିଛି ପ୍ରତୀୟମାନ ହେଉଥିବା ଶ୍ରୀ ଦାସ କହିଛନ୍ତି।
ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଲେ, ଅସାମ୍ବିଧାନିକ ଭାବେ କଂଗ୍ରେସ ଦଳକୁ ବିଧାନସଭାକୁ ଯିବାକୁ ଦିଆଯାଉନାହିଁ। ଗତକାଲି ବିଧାୟକମାନଙ୍କୁ ଭେଟିବା ଲାଗି ବରିଷ୍ଠ କଂଗ୍ରେସ ନେତୃବର୍ଗ ଯାଉଥିବା ବେଳେ ସେମାନଙ୍କୁ ବାଧା ଦିଆଗଲା। ବାଚସ୍ପତିଙ୍କ ବିନା ଅନୁମତିରେ ପୁଲିସ ବିଧାନସଭା ଭିତରକୁ ପଶି ପାରିବ ନାହିଁ। ମାତ୍ର ପୁଲିସ ବିଧାନସଭା ପରିସରରେ ରହିଥିଲା। ଏଥିରୁ ସ୍ପଷ୍ଟ ହେଉଛି ବିଧାନସଭା ଉପରେ ବାଚସ୍ପତିଙ୍କ ଆଉ ନିୟନ୍ତ୍ରଣ ନାହିଁ। ବିଜେପି ଏକାକୀ ବିଧାନସଭା ଚଳାଇବାକୁ ଚାହୁଁଛି। ଆସନ୍ତାକାଲି ଲୋକମାନେ ଏହାର ଜବାବ ଦେବେ ବୋଲି ଶ୍ରୀ ମିଶ୍ର କହିଥିଲେ।
ବିଧାନସଭାକୁ କୁରୁସଭାରେ ପରିଣତ କରିବାକୁ ଉଦ୍ୟମ ଚାଲିଛି: କଂଗ୍ରେସ
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଥିଲେ, ଓଡ଼ିଶା ସମେତ ବିଜେପି ଶାସିତ ଅନେକ ରାଜ୍ୟରେ ମହିଳା କମିସନଙ୍କୁ ସ୍ଥାଣୁ ଅବସ୍ଥାରେ ରଖାଯାଇଛି। ନଭେମ୍ବର ମାସରୁ ରାଜ୍ୟରେ ମହିଳା କମିସନ ନିଯୁକ୍ତ ହୋଇନାହାନ୍ତି। ଗୃହ ବିଭାଗର ରିପୋର୍ଟରେ ପ୍ରତିଦିନ ଓଡ଼ିଶାରେ ୮ଟି ଦୁଷ୍କର୍ମ ଘଟଣା ଘଟୁଛି। ବିଜେପି ସରକାର କ୍ଷମତାକୁ ଆସିବା ପରେ ଏହା କମିବା ପରିବର୍ତ୍ତେ ବଢ଼ି ଚାଲିଛି। ମହିଳାଙ୍କ ଉପରେ ବଢ଼ୁଥିବା ପାଶବିକ ଅତ୍ୟାଚାର ଓ ଦୁଷ୍କର୍ମ ଘଟଣା ଏକ ସାମାଜିକ ବ୍ୟାଧି ଭାବେ ମାଡ଼ି ଚାଲିଥିବା ବେଳେ ଶାସକ ଦଳର ରାଜନୈତିକ ଇଚ୍ଛାଶକ୍ତିର ଅଭାବ ହେତୁ ଏହା ଉପରେ ଲଗାମ ଲାଗିପାରୁ ନାହିଁ।
ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଥିଲେ, ଓଡ଼ିଶାର ବାଚସ୍ପତି ନିଜେ ଜଣେ ମହିଳା। ବିଧାନସଭାରେ କଂଗ୍ରେସ ବିଧାୟକମାନେ ମହିଳା ହିଂସାକୁ ନେଇ ମୁଖ୍ୟମନ୍ତ୍ରୀଙ୍କର ବିବୃତି ଓ ଗୃହ କମିଟି ଗଠନ ଦାବି କରିଆସୁଛନ୍ତି। ମାତ୍ର ଏହାକୁ ଅଗ୍ରାହ୍ୟ କରି ୧୨ ଜଣ ବିଧାୟକଙ୍କୁ ନିଲମ୍ବିତ କରିବା ଗଣତନ୍ତ୍ରକୁ ହତ୍ୟା କରିବା ସହିତ ସମାନ। ଗତକାଲି ରାତିରେ କଂଗ୍ରେସର ୧୨ଜଣ ବିଧାୟକ ବିଧାନସଭା ପରିସର ଭିତରେ ଅଖିଆ ଅପିଆ ଧାରଣା ଦେଇଥିଲେ। ତାଙ୍କୁ ଭେଟିବାକୁ ପୂର୍ବତନ ବିଧାୟକଙ୍କୁ ପୁଲିସ ନ ଛାଡ଼ିବା ଅତ୍ୟନ୍ତ ନିନ୍ଦନୀୟ।
ଅନ୍ୟତମ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଲେ, ଓଡ଼ିଶାର ବିଧାନସଭାକୁ କୁରୁସଭାରେ ପରିଣତ କରିବାକୁ ଉଦ୍ୟମ ଚାଲିଥିବା ଲୋକମାନେ ଆଲୋଚନା କରୁଛନ୍ତି। ୧୯୯୫ ମସିହାରେ କଂଗ୍ରେସ ସରକାର ସମୟରେ ମଧ୍ୟ ବିରୋଧୀ ଦଳ ତରଫରୁ ବିଧାନସଭା ପରିସରରେ ରାତିତମାମ ଧାରଣା ଦିଆଯାଇଥିଲା। ସେ ସମୟରେ ବାଚସ୍ପତି କୌଣସି ବିଧାୟକଙ୍କୁ ଗୃହରୁ ନିଲମ୍ବନ କରି ନ ଥିଲେ। ସେହିପରି ୨୦୧୨ ମସିହାରେ ତତ୍କାଳୀନ ବିଜେଡି ସରକାର ହଠାତ୍ ବିଧାନସଭାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। କଂଗ୍ରେସ ଦଳ ତରଫରୁ ଏକ ପ୍ରତୀକାତ୍ମକ ବିଧାନସଭା ଡକାଯାଇଥିଲା। ଏକଥା ସେ ସମୟରେ ସମସ୍ତ ଗଣମାଧ୍ୟମର ଶିରୋନାମା ମଣ୍ଡନ କରିଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ରାମଚନ୍ଦ୍ର ଖୁଣ୍ଟିଆ, ଅନନ୍ତ ପ୍ରସାଦ ସେଠୀ, ଅମର ପ୍ରଧାନ, ପଞ୍ଚାନନ କାନୁନ୍ଗୋ, ଶରତ ରାଉତ, ସନ୍ତୋଷ ସିଂ ସାଲୁଜା, ସମୀର ରାଉତରାୟ, ସସ୍ମିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।