ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ ଗୁରୁବାର ଦିନ କଂଗ୍ରେସ ବିଧାନସଭା ଘେରଉ କରିବ ବୋଲି ଡାକରା ଦେଇଛି। କଂଗ୍ରେସର ଏହି ବଡ଼ଧରଣର ଆନ୍ଦୋଳନକୁ ନେଇ ଚିନ୍ତାରେ ପଡ଼ିଛି କମିସନରେଟ୍ ପୁଲିସ। ଯେ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତିର ମୁକାବିଲା କରିବାକୁ କମିସନରେଟ୍ ପୁଲିସ ପ୍ରସ୍ତୁତି ଆରମ୍ଭ କରିସାରିଛି। ଏଥିପାଇଁ ଆସନ୍ତାକାଲି ଅଧା ସହରରେ ନାକାବନ୍ଦି ହେବ ବୋଲି ସୂଚନା ମିଳିଛି।
କଂଗ୍ରେସର ବିକ୍ଷୋଭ ପୂର୍ବରୁ କମିସନରେଟ୍ ପୁଲିସ ରାଜମହଲରୁ ରୂପାଲି ଓ ରୂପାଲିରୁ ରାଜମହଲ ରାସ୍ତାରେ କଟକଣା ଲାଗୁ କରିଛି। ସେହିପରି ଏଜିରୁ କେଶରୀ ହଲ୍ ଛକ ଓ ରବୀନ୍ଦ୍ର ମଣ୍ଡପରୁ ୧୨୦ ବାଟାଲିୟନ୍ ରାସ୍ତାରେ ଟ୍ରାଫିକ୍ କଟକଣା ଲଗାଇଛି। ସକାଳ ୯ରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଟ୍ରାଫିକ୍ କଟକଣା ଲଗାଯାଇଛି। ଏହି ସମୟରେ ସମ୍ପୃକ୍ତ ରାସ୍ତାରେ କେହି ଯାତାୟାତ କରିପାରିବେ ନାହିଁ। ପୁଲିସ କଟକଣା ଲାଗୁ କରିବା ପରେ ସାଧାରଣ ଲୋକ ଅଡ଼ୁଆରେ ପଡ଼ିଛନ୍ତି। ଷ୍ଟେସନକୁ ଆସୁଥିବା ବା ଷ୍ଟେସନରୁ ବାହାରି ନିଜ ଗନ୍ତବ୍ୟସ୍ଥଳକୁ ଲୋକ ଯିବେ କେମିତି? ସେହିଭଳି ନାକାବନ୍ଦି କରାଯାଇଥିବା ଅଞ୍ଚଳର ଲୋକମାନେ କିଭଳି ଯାତାୟାତ କରିବେ, ତାକୁ ନେଇ ଅଡ଼ୁଆ ସ୍ଥିତି ଉପୁଜିଛି। ସହରର କେନ୍ଦ୍ରସ୍ଥଳୀରେ ଯାତାୟତ କରିବାରେ ରାଜଧାନୀବାସୀ ହଇରାଣ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି।
ଏଥିସହିତ ବିଧାନସଭାର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ୩ ଥାକିଆ ସୁରକ୍ଷାବଳୟ ମଧ୍ୟରେ ରହିବ ବିଧାନସଭା। ବିଧାନସଭା ଓ ଆଖପାଖ ଅଞ୍ଚଳରେ ପୁଲିସ ଛାଉଣି କରାଯାଇଛି। ଏଥିପାଇଁ ୮୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏହାସହ ଷ୍ଟ୍ରାଇକିଂ ଫୋର୍ସ, ଏସ୍ଟିୟୁ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍କ୍ବାଡ୍, ଅଗ୍ନିଶମ ବିଭାଗ ମଧ୍ୟ ସଜାଗ ରହିଛି।
ଆଜି କଂଗ୍ରେସର ବିଧାନସଭା ଘେରଉ
ଜଗିବେ ୮୫ ପ୍ଲାଟୁନ୍ ଫୋର୍ସ
ସାଢ଼େ ୯ ସୁଦ୍ଧା କାର୍ଯ୍ୟରେ ଯୋଗଦେବାକୁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ
ବିଧାନସଭାଠାରୁ ଆରମ୍ଭ କରି ଲୋୟର ପିଏମ୍ଜି, ରବୀନ୍ଦ୍ରମଣ୍ଡପ ଛକ ଏବଂ ସଂଲଗ୍ନ ରାସ୍ତାରେ ଶତାଧିକ ସିସିଟିଭି ଖଞ୍ଜା ଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ବିଧାନସଭା ଗେଟ୍, ରବୀନ୍ଦ୍ର ମଣ୍ଡପ ଗେଟ୍, ଲୋୟର ପିଏମ୍ଜି ଆଦି ୫ଟି ସ୍ଥାନରେ ୫ଟି ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ ରୁମ୍ କରାଯାଇଛି। ସେହିପରି ଟ୍ରାଫିକ୍ କଟକଣା କରାଯାଇଥିବା ପ୍ରତି ଛକରେ ପୁଲିସ ଛାଉଣି କରାଯାଇଛି। ୫ ଡିସିପି ପାହ୍ୟାର ଅଧିକାରୀଙ୍କ ନେତୃତ୍ବରେ ୧୫ଜଣ ଅତିରିକ୍ତ ଡିସିପି, ୩୬ଜଣ ଡିଏସ୍ପି ପାହ୍ୟାର ଅଧିକାରୀ, ୫୦ଜଣ ଆଇଆଇସିଙ୍କୁ ମିଶାଇ ୩୦୦ରୁ ଅଧିକ ଅଧିକାରୀ ଦାୟିତ୍ବରେ ରହି ସ୍ଥିତି ଉପରେ ନଜର ରଖିଛନ୍ତି। ସୁରକ୍ଷା କଟକଣାକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ ନିଜ ନିଜ ବିଭାଗରେ ସାଢ଼େ ୯ଟା ସୁଦ୍ଧା ଯୋଗଦେବାକୁ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସେହିପରି ୧୦ଟା ୧୫ ସୁଦ୍ଧା ଲୋକସେବା ଭବନ ଗେଟ୍ ବନ୍ଦ କରିବାକୁ ମଧ୍ୟ କୁହାଯାଇଛି।