‘ବିଜେଡି-ବିଜେପି ଭିତରେ ଗୁପ୍ତ ସନ୍ଧି’, ବିଜେଡି ଉପରେ କମ୍, ବିଜେପି ଉପରେ ବର୍ଷିଲା କଂଗ୍ରେସ

ଅମିତ ଶାହ ପୁଅଙ୍କ ସହ ସରକାର ଚଳାଉଥିବା ଆଇଏଏସଙ୍କ ସମ୍ପର୍କ: ଚେଲ୍ଲାକୁମାର
ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ନିରଞ୍ଜନ
ପରୀ ମାମଲାରେ ହାଇକୋର୍ଟ ଭର୍ତ୍ସନା କରିଛନ୍ତି: ନରସିଂହ

ଭୁବନେଶ୍ୱର :ପରୀ ହତ୍ୟା ଅଭିଯୋଗ ଘଟଣାରେ ଏସ୍‌ଆଇଟି ତଦନ୍ତ ହେବା କଂଗ୍ରେସର ଐତିହାସିକ ବିଜୟ। ଏଥିରେ ମୃତକର ପରିବାର ନ୍ୟାୟ ପାଇବେ। ଏହି ମାମଲାକୁ ନେଇ ବିଜେପି ସିବିଆଇ ତଦନ୍ତ ଦାବି କରିବା ଓ କଂଗ୍ରେସର ବିଧାୟକମାନେ ମ୍ୟାନେଜ ହେବା ନେଇ କହିବା ଦୁର୍ଭାଗ୍ୟଜନକ। ପରୀର ମୃତ୍ୟୁ ଘଟଣା ସାମନାକୁ ଆସିବା ପରେ ପରେ କଂଗ୍ରେସ ଦଳ ଏହି ଘଟଣାରେ ନ୍ୟାୟ ମିଳିବା ଦାବିରେ ସ୍ବର ଉଠାଇଥିଲା। କଂଗ୍ରେସକୁ ଏ ନେଇ ପ୍ରଶ୍ନ କରିବାକୁ ବିଜେପିର ନୈତିକତା ନାହିଁ।

ରାଜ୍ୟ କଂଗ୍ରେସ ପ୍ରଭାରୀ ଏ.ଚେଲ୍ଲାକୁମାର ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାର ଓ ବିଜେପି ଉପରେ ଏଭଳି ବର୍ଷିଛନ୍ତି। ଅଭିଯୋଗ କରିଛନ୍ତି ଯେ ଏ ସରକାର ଚଳାଉଥିବା ଜନୈକ ଆଇଏଏସ୍‌ ଅଧିକାରୀଙ୍କର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପୁଅଙ୍କ ସହ ଘନିଷ୍ଠ ସମ୍ପର୍କ ରହିଛି। ଖାଲି ନିର୍ବାଚନ ଆସିଲେ ଉଭୟ ବିଜେଡି-ବିଜେପି ପରସ୍ପର ଗଇ ଖୋଳାଖୋଳି ହୁଅନ୍ତି। ନିର୍ବାଚନ ଚାଲିଯିବା ପରେ ପୂରା ଭାଇ ଭାଇ। ଏସ୍‌ଆଇଟି ତଦନ୍ତ ନେଇ କଂଗ୍ରେସର ଯେଉଁ ଦୁଇଜଣ ବିଧାୟକ ଗଣମାଧ୍ୟମରେ ନେତାଙ୍କ ବିରୋଧରେ ଟିପ୍ପଣୀ କରିଥିଲେ ତାହା ଭୁଲ ଥିଲା। ସେମାନେ ତାଙ୍କ ଭୁଲ ବୁଝିପାରିଛନ୍ତି। ସେ କହିଲେ, ପରୀ ମୃତ୍ୟୁ ଘଟଣା ସାମନାକୁ ଆସିବା ପରେ କଂଗ୍ରେସ ଗୋଟିଏ ପରେ ଗୋଟିଏ ରାଜନୈତିକ କାର୍ଯ୍ୟକ୍ରମ ଓ ଆନ୍ଦୋଳନ ଜାରି ରଖିଛି। ବିଧାନସଭାର ଗତ ଶୀତ ଅଧିବେଶନରେ ପ୍ରଥମ କରି କଂଗ୍ରେସ ଦଳ ହିଁ ପରୀ ଘଟଣାକୁ ଗୃହରେ ଉଠାଇଥିଲା। ସେତେବେଳେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଥିବା ବିଜେପି ଦଳ ଏ ପ୍ରସଙ୍ଗରେ ଗୃହରେ ଉଠାଇନଥିଲେ। ଅଥଚ ବିଜେପି କହୁଛି କଂଗ୍ରେସ ବିଧାୟକମାନେ ମ୍ୟାନେଜ୍‌ ହୋଇଯାଇଛନ୍ତି। ଦୀର୍ଘ ୨୦ ବର୍ଷର ଶାସନ ସମୟରେ ରାଜ୍ୟରେ ଯେପରି ନାରୀ ନିର୍ଯ୍ୟାତନା, ହାଜତ ମୃତ୍ୟୁ, ଶିଶୁ ଅପହରଣ, ଖଣି ଦୁର୍ନୀତି ଚାଲିଛି ଏସବୁ ପ୍ରସଙ୍ଗରେ ଯେପରି ଗୃହରେ ଆଲୋଚନା ନ ହେବ, ସେଥିପାଇଁ ଶାସକ ଦଳକୁ ସୁହାଇଲା ଭଳି ବିଜେପି ବିଧାୟକମାନେ ଅଚଳାବସ୍ଥା ସୃଷ୍ଟି କରିଥିଲେ। ବିଜେପିର ସିବିଆଇ ତଦନ୍ତ ଦାବି ନେଇ ସେ କହିଥିଲେ ଯେ ଅତୀତରେ ରାୟଗଡ଼ା ଟିକିରି ଶିକ୍ଷୟତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ଘଟଣାରେ ସିବିଆଇ ତଦନ୍ତ କଣ ଫଳ ଦେଲା ତାହା ସମସ୍ତେ ଜାଣିଛନ୍ତି। ଏହି ମାମଲାରେ ପୂର୍ବତନ ସାଂସଦ ଜୟରାମ ପାଙ୍ଗି ଅଭିଯୁକ୍ତ ଥାଇ ବି ସିବିଆଇ ତଦନ୍ତ ଚାଲୁଥିବାବେଳେ ବିଜେପି ତାଙ୍କୁ ଦଳରେ ସ୍ଥାନ ଦେଇଥିଲା। କଂଗ୍ରେସ ବିଧାୟକ ଦଳ ନେତା ବିଧାନସଭାରେ ୩୬୦୦ କୋଟି ଟଙ୍କାର ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଥିବାବେଳେ ବିଜେପି ବନ୍ଧୁମାନେ କାହିଁକି ଚୁପ୍‌ ରହିଲେ? ଏହି ଅବସରରେ ଗତ ବିଧାନସଭା ଅଧିବେଶନରେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ରଙ୍କ ଭୂମିକାକୁ ଶ୍ରୀ ଚେଲ୍ଲାକୁମାର ପ୍ରଶଂସା କରିଥିଲେ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ ଜୁଲାଇ ୨୩ ତାରିଖରୁ କଂଗ୍ରେସ ପରୀକୁ ନ୍ୟାୟ ଦେବା ନେଇ ଆନ୍ଦୋଳନ କରିଆସୁଛି। ବାଲେଶ୍ବର ନୀଳଗିରିରେ ଜନୈକ ୧୨ ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇ ବିଷ ପିଆଇ ମାରି ଦିଆଗଲା। କଂଗ୍ରେସ ଦଳ ଏହି ଘଟଣାରେ ପ୍ରଥମେ ସ୍ବର ଉଠାଇବା ସହିତ ଗୋଟିଏ ତଥ୍ୟ ଅନୁଧ୍ୟାନ ଟିମ୍‌ ଗଠନ କରି କ୍ଷେତ୍ର ପରିଦର୍ଶନ କରିବାକୁ ପଠାଇଛି। କାହିଁକି ବିଜେପି ଏହି ପ୍ରସଙ୍ଗରେ ଥରୁଟିଏ ତ ମୁହଁ ଖୋଲିନାହିଁ। ଏପରିକି ନୀଳଗିରିର ବିଧାୟକ ଓ ବାଲେଶ୍ବର ସାଂସଦ ଖୋଦ ବିଜେପିର ହୋଇଥିଲେ ବି ଏ ପର୍ଯ୍ୟନ୍ତ ମୃତ ନାବାଳିକା ପରିବାରକୁ ଭେଟିବାକୁ ଯାଇନାହାନ୍ତି।

କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଥିଲେ, ପରୀ ହତ୍ୟାକାଣ୍ଡ ଅଭିଯୋଗ ଘଟଣାରେ ହାଇକୋର୍ଟରେ ଦୁଇଟି ଜନସ୍ବାର୍ଥ ମାମଲା ଦାୟର କରାଯାଇଛି। ଗତ ଦୁଇ ଦିନତଳେ ଗୋଟିଏ ମାମଲାର ବିଚାର କରି ହାଇକୋର୍ଟ ମୁଖ୍ୟ ବିଚାରପତି ପୁଲିସର ଅବହେଳାକୁ ଦାୟୀ କରି ଭର୍ତ୍ସନା କରିଛନ୍ତି। ଗୃହ ବିଭାଗର ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବାରୁ ସେ ଭର୍ତ୍ସିତ ହୋଇଛନ୍ତି ବୋଲି ଧରାଯିବ। ତେଣୁ ସେ ତୁରନ୍ତ ଇସ୍ତଫା ଦିଅନ୍ତୁ। ଶ୍ରୀ ମିଶ୍ର ଆହରୁ କହିଥିଲେ କି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଯେତେବେଳେ ଅତୀତରେ ଏ ରାଜ୍ୟ ମନ୍ତ୍ରୀ ଥିଲେ ସେତେବେଳେ ଗୋଟିଏ ମାମଲାରେ ହାଇକୋର୍ଟ ତାଙ୍କ ବିରୋଧରେ ଟିପ୍ପଣୀ କରିଥିଲେ। ଶ୍ରୀ ପଟ୍ଟନାୟକ ତତକ୍ଷଣାତ ତାଙ୍କ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ରାଜ୍ୟରେ ଏବେ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ବିଜେପି କାହିଁକି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରୁନି ବୋଲି ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର