ବିଶିଷ୍ଟ ଗାନ୍ଧୀବାଦୀ ସମାଜସେବୀ କଂଗ୍ରେସ ଭାଇଙ୍କ ଦେହାନ୍ତ

ଯଶିପୁର/କରଂଜିଆ : ସଚ୍ଚା ଗାନ୍ଧିବାଦୀ, ଚିରକୁମାର ବିଗତ ୩୦ ବର୍ଷ ଧରି ରାତ୍ରିଭୋଜନ ତ୍ୟାଗ କରିଥିବା ଗାନ୍ଧୀ-ବିନୋବାଙ୍କ ଅନୁଗାମୀ ଜନସେବକ କଂଗ୍ରେସ ଭାଇ ଆଉ ନାହାନ୍ତି। ସେବକଶ୍ରୀ ଉପାଧିପ୍ରାପ୍ତ ଶ୍ରୀ ଭାଇ ଆଜି କଟକ ବଡ଼ ଡାକ୍ତରଖାନାରେ ଦିନ ୧୨.୩୦ ସମୟରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ଶବାଧାର ସଂଧ୍ୟାରେ ଆଜି କରଂଜିଆ, ଟଙ୍ଗାବିଲା, ତାଟୋ, ଯଶିପୁର, ଭଞ୍ଜକିଆ ଦେଇ ଅତିକ୍ରମ କଲାବେଳେ ବାଟ ସାରା ବହୁ ବିଶିଷ୍ଟ ବ୍ୟକ୍ତି, ସାଧାରଣ ଜନତା ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

୧୯୫୦ ମସିହାରେ ଶିରାକୁଳି ଗ୍ରାମରେ ଜନ୍ମିତ କଂଗ୍ରେସ ଭାଇ ଛାତ୍ର ଜୀବନରୁ ବିନୋବା ଭାବେଙ୍କ ସଂସ୍ପର୍ଶରେ ଆସି ବିଜେବି କଲେଜରୁ ପାଠପଢ଼ା ଅଧାରୁ ବନ୍ଦ କରି ଜୀବନର ଗତିପଥ ବଦଳାଇ ଦେଇଥିଲେ। ଶିରାକୁଳିରେ ଶିକ୍ଷାନୁଷ୍ଠାନ, ଭଞ୍ଜକିଆରେ ଡାକ୍ତରଖାନା, କରଂଜିଆ ନିକଟସ୍ଥ କୁରୁଳିଆ ଏବଂ ନିଜସ୍ବ ଗ୍ରାମ ଶିରାକୁଳିରେ ଦୁଇ ଅନାଥାଶ୍ରମ ପ୍ରତିଷ୍ଠା କରି ଶହଶହ ଅନାଥ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନର ବ୍ୟବସ୍ଥା କରିଥିଲେ। ପରେପରେ ବିନୋବାଙ୍କ ଭୂଦାନ ଆନ୍ଦୋଳନ ଓ ଗୋରକ୍ଷା ଆନ୍ଦୋଳନରେ ସାମିଲହୋଇ କୋଲକାତା, ତାମିଲନାଡୁ, ମହାରାଷ୍ଟ୍ର, ଗୁଜରାଟ, ମୁମ୍ବାଇ ଆଦି ସ୍ଥାନରେ ପଦଯାତ୍ରାରେ ସାମିଲ ହୋଇଥିଲେ। ଶହଶହ ଗ୍ରାମରେ ଯୁବ, କିଶୋର ଓ ମହିଳାଙ୍କ ସଂଗଠନ, ହୃଦୟ ଯୋଡ଼ କାର୍ଯ୍ୟକ୍ରମ ମାଧ୍ୟମରେ ‘ମାନବସେବାକୁ ମାଧବସେବା’ ବୋଲି ନିଜ ଜୀବନରେ ପ୍ରତିପାଦନ କରିଥିଲେ।

ଅତି ସାଦାସିଧା ସରଳ ଜୀବନଯାପନ କରି ଆଣ୍ଠୁ ଲୁଚୁନଥିବା ବସ୍ତ୍ର ପରିଧାନ କରୁଥିବା ଏହି ଆଧ୍ୟାତ୍ମବାଦୀ ସମାଜସେବୀ ବୁଭୁକ୍ଷୁ ଓ ନିରନ୍ନଙ୍କ ପାଇଁ ବିଗତ ୩୦ ବର୍ଷ ଧରି ନିଜର ରାତ୍ରି ଆହାର ପରିତ୍ୟାଗ କରି ବିରଳ ଦୃଷ୍ଟାନ୍ତ ସୃଷ୍ଟି କରିଥିଲେ। ବିଭିନ୍ନ ଅନାଥାଶ୍ରମ ପରିଚାଳନାରେ ସେ ସରକାରଙ୍କ କାଣିଚାଏ ଅନୁଦାନକୁ ଅପେକ୍ଷା ନକରି ନିଜସ୍ବ ଲିଖିତ ପୁସ୍ତକ ବିକ୍ରି କରି ତହିଁରୁ ଲବ୍‍ଧ ଅର୍ଥକୁ ସେଦିଗରେ ବ୍ୟୟ କରୁଥିଲେ। ସେ ଏକ ତ୍ରୟୋମାସିକ ପତ୍ରିକା ସମ୍ପାଦନା କରୁଥିବା ବେଳେ ବିଭିନ୍ନ ଧର୍ମତତ୍ତ୍ବମୂଳକ ପୁସ୍ତକପୁସ୍ତିକା, ତାଙ୍କ ଆତ୍ମଜୀବନୀମୂଳକ ସଂକଳନ, ୫୦ରୁ ଅଧିକ ପୁସ୍ତକ, ଶିମିଳିପାଳ ଡାଏରୀ ନାମରେ ବିଭିନ୍ନ ସମ୍ବାଦପତ୍ରରେ ତାଙ୍କର ସ୍ତମ୍ଭ ତାଙ୍କୁ ସାରା ଓଡ଼ିଶାରେ ପରିଚିତ କରାଇଥିଲା।

ଉତ୍ସର୍ଗୀକୃତ ସେବା ଓ ସାଧନା ପାଇଁ ଗୁଜରାଟର ଠକ୍କରବାପା ଟ୍ରଷ୍ଟ , ଇମ୍ଫା ଚାରିଟେବୁଲ ଟ୍ରଷ୍ଟ ଭଳି ବହୁ ଅନୁଷ୍ଠାନ ତାଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିଲେ। ତାଙ୍କୁ ମଧ୍ୟ ପ୍ରଦ୍ୟୁମ୍ନ ବଳ ସ୍ମାରକୀ ସମ୍ମାନ ପ୍ରଦାନ କରାଯାଇଥିଲା।

ତାଙ୍କ ମୃତଦେହ ଆଜି ରାତି ୯ଟା ବେଳେ ତାଙ୍କର ପୈତୃକ ଗ୍ରାମ ଶିରାକୁଳିରେ ପହଞ୍ଚିବା ପରେ ଯଶିପୁର ଓ ରରୁଆଁ ବ୍ଲକ୍‍ର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ପ୍ରତି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ସମ୍ବନ୍ଧିତ ଖବର