ରାଜଧାନୀରେ କଂଗ୍ରେସର ଭାରତ ବଞ୍ଚାଅ ସମାବେଶ

ମାନ୍ଦାବସ୍ଥା ପାଇଁ କେନ୍ଦ୍ର ସରକାର ଦାୟୀ: ଦୀପା

ଭୁବନେଶ୍ବର : ଦେଶ‌ରେ ଆର୍ଥିକ ମାନ୍ଦାବସ୍ଥା ପାଇଁ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଦାୟୀ। ସେହିପରି ରାଜ୍ୟରେ କୃଷକମାନଙ୍କ ଖରାପ ସ୍ଥିତି ପାଇଁ ବିଜେଡି ସରକାର ଦାୟୀ। ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବର ଲୋୟର ପିଏମଜି ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ଭାରତ ବଞ୍ଚାଅ ସମାବେଶରେ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ୍ କରି ଏପରି ବର୍ଷିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦୀପା ଦାସମୁନସି। ସମାବେଶରେ ଶତାଧିକ ଚାଷୀ ଆଳୁ, ପିଆଜ, ଟମାଟୋ ପ୍ରଭୃତି ପନିପରିବା ମାଳ ବେକରେ ପକାଇ ଅଭିବନ ଉପାୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦିନକୁ ଦିନ ବିଗିଡ଼ିଯାଉଥିବା ଦେଶର ଆର୍ଥିକ ସ୍ଥିତିର ପୁନରୁଦ୍ଧାର କରିବା ପାଇଁ ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।

ସମାବେଶରେ ଶ୍ରୀମତୀ ମୁନସି ଅଭିଯୋଗ କରିଥିଲେ ଯେ କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡି ସରକାରର କୃଷକ ମାରଣ ନୀତି, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ବୃଦ୍ଧି, ଆର୍ଥିକ ମାନ୍ଦାବସ୍ଥା, କମ୍ ଏମ୍‌ଏସ୍‌ପି ଧାର୍ଯ୍ୟ, କୃଷକମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନାର ବାଟମାରଣା, ନାରୀ ଓ ଶିଶୁ ନିର୍ଯାତନା ହାର ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ବିଜେଡି ସାଂସଦଙ୍କୁ ପ୍ରଶଂସା କରିବା ଘଟଣା ବିଜେଡି ଓ ବିଜେପି ଭିତରେ ଏକ ଭିତିରିଆ ବୁଝାମଣା ରହିଥିବାର ସୂଚନା ଦେଉଛି। ଆଗାମୀ ଦିନରେ ପଲ୍ଲୀରୁ ଦିଲ୍ଲୀଯାଏ ଲୋକଙ୍କ ପାଇଁ କଂଗ୍ରେସ ଲଢ଼େଇ ଜାରି ରଖିବ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ ରାଜ୍ୟର ସମସ୍ତ ନେତୃମଣ୍ଡଳୀ ବ୍ୟକ୍ତିବାଦରୁ ଊର୍ଦ୍ଧ୍ବରେ ରହି ଏଆଇସିସି ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶରେ ଏକମତ ଏକପ୍ରାଣରେ ଦଳ ଓ କର୍ମୀ ଜନତାଙ୍କ ପାଇଁ କାର୍ଯ୍ୟ କରିବା ଦରକାର। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଭାରତକୁ ସ୍ବାଧୀନ କରିବାରେ ଯେଉଁମାନଙ୍କର କାଣିଚିଏ ଅବଦାନ ନଥିଲା ଆଜି ସେମାନେ କ୍ଷମତାସୀନ। ବିଜେପି କ୍ଷମତା ପାଇଁ କିଛି ବି କରିପାରେ ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ। ପରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ବରେ ଦଳର ୩୩ ଜଣିଆ ପ୍ରତିନିଧିଦଳ ରାଜଭବନ ଯାଇ ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ସ୍ମାରକପତ୍ରରେ ଦଳ ଉଲ୍ଲେଖ କରିଛି ଯେ, ବର୍ତ୍ତମାନରେ କେନ୍ଦ୍ର ସରକାରଙ୍କ ଶାସନ କାଳରେ ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ସମୟରେ ସୃଷ୍ଟି ହୋଇଛନ୍ତି। କୃଷି ଉତ୍ପାଦର ବଜାର ଦର କମ ଧାର୍ଯ୍ୟ ହୋଇଥିବାରୁ କୃଷକମାନେ ସେମାନଙ୍କ ଉତ୍ପାଦନ ଖର୍ଚ୍ଚ ଉଠାଇପାରୁନାହାନ୍ତି। ଫଳରେ ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଛନ୍ତି। ମୁଦ୍ରାସ୍ଫୀତି ହାର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସାଧାରଣ ଲୋକମାନେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର ଆକାଶଛୁଆଁ ଦରେ କିଣିବାକୁ ବାଧ୍ୟ ହେଉଛନ୍ତି। ବ୍ୟାଙ୍କମାନଙ୍କର ଆର୍ଥିକ ସ୍ଥିତି ଭଲ ନାହିଁ। ଏଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରା ସଂରକ୍ଷଣ ହାର ସମୀକ୍ଷାରେ ଯେତେ ଯାହା କମାଇଲେ ବି ବ୍ୟାଙ୍କମାନେ ଋଣ ପ୍ରଦାନ କରୁନାହାନ୍ତି କି ଲୋକଙ୍କୁ ଏହାର ସୁଫଳ ମିଳୁନି। ଦେଶର ଘରୋଇ ଉତ୍ପାଦ ଗତ ୧୫ ବର୍ଷ ତୁଳନାରେ ଆହୁରି ତଳକୁ ଖସିଛି। ଏସବୁ ଭାରତ ସରକାରଙ୍କ ଖରାପ ଆର୍ଥିକ ନୀତିର ଫଳ ବୋଲି ଦଳ ଅଭିଯୋଗ କରିଛି। ଏବେ ଏହି ସ୍ଥିତିକୁ ସୁଧାରିବା ପାଇଁ ରାଷ୍ଟ୍ରପତି ତୁରନ୍ତ ହସ୍ତକ୍ଷେପ କରିବାପାଇଁ ସ୍ମାରକ ପତ୍ରରେ ଦାବି କରାଯାଇଛି।

ଏହି ପ୍ରତିନିଧିଦଳରେ ଗଣେଶ୍ବର ବେହେରା, ଯଜ୍ଞେଶ୍ବର ବାବୁ, ବିଧାୟକ ତାରା ପ୍ରସାଦ ବାହିନୀପତି, ସିଏସ୍ ରାଜନ୍ ଏକା, ଦାଶରଥି ଗମାଙ୍ଗ, ବିଜୟଲକ୍ଷ୍ମୀ ସାହୁ, ଭୂଜବଳ ମାଝୀ, ବନ୍ଦିତା ପରିଡ଼ା, ଅମୀୟ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ, ଶିବାନନ୍ଦ ରାୟ, ବିଷ୍ଣୁ ଚରଣ ବାରିକ, ଉମାବଲ୍ଲଭ ରଥ, ନିହାର ମହାନନ୍ଦ ପ୍ରମୁଖ ସାମିଲ ଥିଲେ। ଅପରାହ୍ନରେ କଂଗ୍ରେସ ଭବନ ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିମୁଦ୍ରୀକରଣ ଯୋଗୁଁ ଯେଭଳି ଆର୍ଥିକ ମାନ୍ଦାବସ୍ଥା ସୃଷ୍ଟି ହୋଇଛି ସେ ନେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ମୁନସି ପରିସଂଖ୍ୟାନ ପ୍ରଦାନ କରିଥିଲେ। ଅପରପକ୍ଷରେ ରାଜ୍ୟରେ ୧୯ ବର୍ଷ କ୍ଷମତାରେ ରହି ନବୀନ ବାବୁଙ୍କ ୫-ଟି ଓ ମୋ ସରକାର ବାହାନାକୁ କଂଗ୍ରେସ ଆଦୌ ବରଦାସ୍ତ କରିବନି। ଭାରତବର୍ଷକୁ ସାମ୍ପ୍ରଦାୟିକ ଶକ୍ତିରୁ ମୁକ୍ତ କରିବା ପାଇଁ ଦଳ ପକ୍ଷରୁ ଆସନ୍ତା ଡିସେମ୍ବର ୧୪ ତାରିଖରେ ନୂଆଦିଲ୍ଲୀର ରାମଲୀଳା ମଇଦାନରେ ବିଶାଳ ରାଲି ଆୟୋଜନ ହେବ ବୋଲି ସେ ସୂଚନା ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର, ଏଆଇସିସି ସମ୍ପାଦକ ଭି.ରୁଦ୍ର ରାଜୁ, ଅନୀଲ ଚୌଧୁରୀ, ସତ୍ୟ ପ୍ରକାଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର