ବାଲେଶ୍ବରରେ କଂଗ୍ରେସର ‘ଭାରତ ଯୋଡ଼ୋ’ ଯାତ୍ରା

ବିଶାଳ ପଟୁଆରରେ ୨୪ କିମି ଚାଲିଲେ ନେତା ଓ କର୍ମୀ

ବାଲେଶ୍ବର : ଶୁକ୍ରବାର ବାଲେଶ୍ବର ସହର ଉପକଣ୍ଠ କୁରୁଡ଼ା ଛକଠାରୁ କଂଗ୍ରେସର ଭାରତ ଯୋଡ଼ୋ ଓ ଓଡ଼ିଶା ପରିବର୍ତ୍ତନ ଯାତ୍ରାର ଶୁଭାରମ୍ଭ ହୋଇଛି। ବିଶାଳ ପଟୁଆର‌ରେ ନେତା ଓ କର୍ମୀ ପ୍ରାୟ ୨୪କିମି ଚାଲିଥିବା ବେଳେ ଦଳର ପ୍ରମୁଖ ନେତୃବୃନ୍ଦ ଆଗାମୀ ୨୦୨୪ ମସିହ‌ାରେ ନିର୍ବାଚନରେ ଉଭୟ କେନ୍ଦ୍ର ଓ ରାଜ୍ୟରେ ପରିବର୍ତ୍ତନ ପାଇଁ ଆହ୍ବାନ ଦେଇଛନ୍ତି।

ପିସିସି ସଭାପତି ଶରତ ପଟ୍ଟନାୟକ, ରାଜ୍ୟ ପ୍ରଭାରୀ ‌ଡକ୍ଟର ଏ ଚେଲ୍ଲା କୁମାର, ଦଳର ବାଲେଶ୍ବର ଲୋକସଭା କ୍ଷେତ୍ର ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ, ଜିଲ୍ଲା କଂଗ୍ରେସ ସଭାପତି ସଞ୍ଜିବ ଗିରିଙ୍କ ସମେତ ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ, ନେତୃବର୍ଗ ଓ ସାଧାରଣ ଜନତା ଏକ ବିରାଟ ପଟୁଆରରେ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ୍‌ ହୋଇଥିଲେ। ସବୁ ଛକରେ କୃଷକ, ଶ୍ରମିକ, ସାମାଜିକ କର୍ମୀ, ସଂଖ୍ୟାଲଘୁ ସମ୍ପ୍ରଦାୟର ନେତୃବର୍ଗ, ଆଇନଜୀବୀ ପ୍ରମୁଖ କଂଗ୍ରେସ ନେତୃବର୍ଗଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ପ୍ରାୟ ୨୪ କିଲୋମିଟର ପଦଯାତ୍ରା ପରେ ଶୁକ୍ରବାର ସଂଧ୍ୟାରେ ମୟୂରଭଞ୍ଜ ଜିଲ୍ଲା କଳମାଠାରେ ଆଜିର ପଦଯାତ୍ରା ଶେଷ‌ ହୋଇଥିଲା।

ଏ ପରିପ୍ରେକ୍ଷୀରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ, କଂଗ୍ରେସ ସମୟରେ ହୋଇଥିବା ‌ଯୋଜନାଗୁଡ଼ିକୁ ‌ଉଭୟ ବିଜେପି ଓ ବିଜେଡି ସରକାର ସେମାନେ କରିଥିବା କହି ଆତ୍ମପ୍ରଚାର ଚଳାଇଛନ୍ତି। କଂଗ୍ରେସ ସରକାର ସମୟରେ ହଜାରେ ଦିନରେ ହଜାରେ ଶିଳ୍ପ ଯୋଜନାରେ ବାଲେଶ୍ବର ଜିଲ୍ଲାକୁ ସାମିଲ କରାଯାଇଥିଲା। ଏଠାରେ ବହୁ ଶିଳ୍ପସଂସ୍ଥା ପ୍ରତିଷ୍ଠା କରାଯାଇଥିଲା। ମାତ୍ର, ଆଜି ଏଠାରେ ୯୦ ପ୍ରତିଶତ ଶିଳ୍ପସଂସ୍ଥାରେ ତାଲା ଝୁଲୁଛି। ଯୁବଗୋଷ୍ଠୀ କାମ ନ ପାଇ ପଡ଼ୋଶୀ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। କଂଗ୍ରେସ ଏହିସବୁ ଅବ୍ୟବସ୍ଥା, ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଦେଶବ୍ୟାପୀ ଜନଜାଗରଣ ସୃଷ୍ଟି କରି ଲୋକଙ୍କୁ ଯୋଡ଼ିବା ପ୍ରକ୍ରିୟା ଜାରି ରଖିଥିବା ସେ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ବିଧାୟକ ସୁରେଶ ରାଉତରାୟ, ବିଧାୟକ ଡକ୍ଟର ରାଜେନ୍‌ ଏକ୍କା, ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା, ରାଜ୍ୟ ମୁଖପାତ୍ର ସୁଦର୍ଶନ ଦାସ, ସଂଖ୍ୟା ଲଘୁସେଲ୍‌ର ରାଜ୍ୟ ଅଧ୍ୟକ୍ଷ ଜିଆଉଲ ହକ୍‌, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ରାଜ୍ୟ ଅନୁସୂଚିତ ଜାତି ସେଲ୍‌ ରାଜ୍ୟ ଅଧ୍ୟକ୍ଷ ବାଙ୍କନିଧି ବେହେରା, ଭୁବନେଶ୍ବର ମହାନଗର ସଭାପତି ବିଶ୍ବଜିତ ଦାସ, ରାଜ୍ୟ ମିଡିଆ ସେଲ୍‌ ସଂଯୋଜକ ଦୀପକ ମହାପାତ୍ର, ଜାନକୀ ପଟ୍ଟନାୟକ, ବରିଷ୍ଠ ନେତା ସନତ ଦାସ, ପ୍ରକାଶ ମିଶ୍ର, ପଦ୍ମାକର ଗୁରୁ, ପ୍ରଭାତ ପ୍ରତାପ ସିଂହ, ଭାରତ ଯୋଡ଼ୋ ଯାତ୍ରା ଜିଲ୍ଲା ସଂଯୋଜକ ସନ୍ତୋଷ ଦାସ, ମନୋଜ ବିଶ୍ବାଳ, ରାଜ୍ୟ ସଂପାଦିକା ଅର୍ଚ୍ଚନା ନନ୍ଦୀ, ଜିଲ୍ଲା ସଭାନେତ୍ରୀ ପ୍ରଜ୍ଞାପାରମିତା ମହାନ୍ତି, ନୀଳଗିରି ରାଣୀ ମନୋଜା ମଞ୍ଜରୀ ଦେବୀ, ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ, ରାଜ୍ୟ ସଂପାଦକ ବିଜନ ନାୟକ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ରଂଜନ ଦାସ, ଏନ୍‌ଏସ୍‌ୟୁଆଇ ଜିଲ୍ଲା ସଭାପତି ଗୌତମ ସାହୁ, ଜିଲ୍ଲା କଂଗ୍ରେସ ଉପସଭାପତି ଗୋପୀନାଥ ପାଢ଼ୀ, ସାଧାରଣ ସଂପାଦକ ଦେବଦତ୍ତ ଦାସ, ଶ୍ରମିକ ନେତା ବିକାଶ ଦାସଙ୍କ ସମେତ ଦଳର ସମସ୍ତ ବ୍ଲକ୍‌ ସଭାପତି ପଦଯାତ୍ରାରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର