ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କରାଇଛନ୍ତି କଂଗ୍ରେସ ଭବନରେ ଆକ୍ରମଣ: ପିସିସି କାର୍ଯ୍ୟକାରୀ ସଭାପତି

ଭୁବନେଶ୍ବର : କଂଗ୍ରେସ ଭବନରେ ମୁଖପାତ୍ର ସୁଦର୍ଶନ ଦାସଙ୍କ ଉପରେ ଆକ୍ରମଣ ଘଟଣା ବିଜୁ ଜନତା ଦଳ ଦ୍ବାରା ପ୍ରାୟୋଜିତ। ମାସ୍କ କିଣା ଦୁର୍ନୀତିରେ କଂଗ୍ରେସ ସ୍ବର ଉଠାଇବାରୁ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଏହି ଆକ୍ରମଣ କରାଇଛନ୍ତି। ଗୁରୁବାର କଂଗ୍ରେସ ଭବନରେ ଟିଭି ପାନେଲିଷ୍ଟ୍‌ ତାଲିକାକୁ ନେଇ ହୋଇଥିବା ଧସ୍ତାଧସ୍ତି ଘଟଣାକୁ ନେଇ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ସିଧା ସିଧା ସ୍ବାସ୍ଥ୍ୟମନ୍ତ୍ରୀ ଓ ବିଜେଡିକୁ ଦାୟୀ କରିଛନ୍ତି। ତେବେ ଏହି ପ୍ରସଙ୍ଗରେ ବିଜେଡି କହିଛି, କଂଗ୍ରେସ ଦଳ ମାନସିକ ସ୍ତରରେ ଦୁର୍ବଳ ହୋଇପଡ଼ିଛି। ନିଜ କଥାକୁ ନ ଦେଖି ଦଳୀୟ ନେତା ଅନ୍ୟ ଆଡ଼କୁ ଅଙ୍ଗୁଠି ଦେଖାଇବାକୁ ଉଦ୍ୟମ କରୁଛନ୍ତି।

ଶ୍ରୀ ମାଝୀ ଅଭିଯୋଗ କରିଥିଲେ, ମାସ୍କ ଓ ମେଡିକାଲ୍‌ ସଂରଜାମ କିଣାରେ ହେରାଫେରି କରି ବିଜୁ ଜନତା ଦଳ ଦଳୀୟ ପାଣ୍ଠି ସଂଗ୍ରହ କରିଛି। ଏହି ତଥ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ସରକାରୀ ଦଳ ଦୋ ଛକିରେ ପଡ଼ିଯାଇଛି। କଂଗ୍ରେସ ଏହି ଦୁର୍ନୀତିକୁ ନେଇ ଯେପରି ସ୍ବର ଉଠାଇଛି ତାକୁ ଚପାଇବା ପାଇଁ ପିସିସି କାର୍ଯ୍ୟାଳୟରେ ଆକ୍ରମଣ କରାଯାଇଛି। ବିଜୁ ଜନତା ଦଳର କ୍ୟାବିନେଟ୍‌ ମନ୍ତ୍ରୀ ଥିବା ଶ୍ରୀ ଦାସଙ୍କ ପ୍ରତ୍ୟେକ୍ଷ ପ୍ରରୋଚନାରେ ଏଭଳି ଆକ୍ରମଣ ହୋଇଛି। ଏହି ଘଟଣାକୁ ଦଳ ନିନ୍ଦା କରିବା ସହ ମାସ୍କ କିଣା ଦୁର୍ନୀତିରେ ଯେତିକି ପର୍ଦ୍ଦାଫାସ ହୋଇଛି ତାକୁ ଆହୁରି ରାଜରାସ୍ତାକୁ ଅଣାଯିବ ବୋଲି ଶ୍ରୀ ମାଝୀ କହିଥିଲେ।

କଂଗ୍ରେସକୁ ଜବାବ ଦେଇ ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଥିଲେ, ଏପରି ଅଭିଯୋଗ କରିବା ଓ ଚିନ୍ତା କରିବା କଂଗ୍ରେସ ନେତାଙ୍କ ଅସଫଳତାକୁ ଦର୍ଶାଉଛି। ଏହା କଂଗ୍ରେସର ଆଭ୍ୟନ୍ତରୀଣ ବ୍ୟାପାର। କଂଗ୍ରେସ ଦଳ ଭିତରେ ଏକତା ନାହିଁ। ମାସ୍କ ଦୁର୍ନୀତି ଅଭିଯୋଗ ସମୟୋଚିତ ନୁହେଁ। ବିପଦ ସମୟରେ ଏପରି ରାଜନୈତିକ ଆରୋପ ପ୍ରତ୍ୟାରୋପ ଠିକ୍‌ ନୁହେଁ। ନିଜର ଅସଫଳତାକୁ ଘୋଡ଼ାଇବାକୁ ଯାଇ ଅନ୍ୟ ଉପରେ ଦୋଷାରୋପ କରୁଛନ୍ତି। ଏପରି କରି ନିଜକୁ ହାସ୍ୟାସ୍ପଦ କରନ୍ତୁ ନାହିଁ ବୋଲି ଶ୍ରୀ ବେହେରା ପାଲଟା ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର