ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଖସାଇ ଦେବାକୁ ଉଭୟ ରାଜ୍ୟ ସରକାର ଓ ବିଜେଡି ଉଦ୍ୟମ ଜାରି ରଖିଛନ୍ତି। କେତେବେଳେ ରାଜ୍ୟ ସରକାର ପୁଲିସ ଡିଆଇଜିଙ୍କ ମାଧ୍ୟମରେ ସାମ୍ବାଦିକ ସମ୍ମିଳନୀ କରି ତଦନ୍ତକୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରୁଛନ୍ତି ତ କେତେବେଳେ କଂଗ୍ରେସର ବରିଷ୍ଠ ନେତାମାନଙ୍କୁ ବ୍ୟକ୍ତିଗତ କ୍ଷେତ୍ରରେ ମିଥ୍ୟାରୋପ ଲଗାଇ ଜନମତକୁ ବିଭ୍ରାନ୍ତ କରିବାକୁ ବିଜେଡି ନେତାମାନେ ଚେଷ୍ଟା କରୁଛନ୍ତି। ହେଲେ ମୁଖ୍ୟ ଷଡଯନ୍ତ୍ରକାରୀକୁ ଦଣ୍ଡିତ ନକଲା ଯାଏଁ କଂଗ୍ରେସ ଜନଆନ୍ଦୋଳନ ଜାରି ରଖିବ ବୋଲି କଂଗ୍ରେସ ମୁଖପାତ୍ର ମନୋଜ କୁମାର ମହାପାତ୍ର କହିଛନ୍ତି।
ରବିବାର ଦିନ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ଗତ ତିନି ଦିନ ହେଲା ବିଜେଡି ରାଷ୍ଟ୍ରୀୟ ପ୍ରବକ୍ତା ଅଭିଯୋଗ କରୁଛନ୍ତି ଯେ ଓଡ଼ିଶା କଂଗ୍ରେସ ବିଜେପିର ବି-ଟିମ୍। ଓଡ଼ିଶା କଂଗ୍ରେସର ଆର୍ଥିକ ସ୍ଥିତି ଭଲ ନଥିବାରୁ କଂଗ୍ରେସ ଏବେ ବିଜେପି ପ୍ରାୟୋଜିତ ଆନ୍ଦୋଳନ କରୁଛି। ଏହା ଅତ୍ୟନ୍ତ ହାସ୍ୟାସ୍ପଦ ଓ ପାଗଳର ପ୍ରଳାପ ମାତ୍ର। ଓଡ଼ିଶାବାସୀ ଜାଣିଛନ୍ତି ଯେ କିଏ କାହା ସହ ଅଛି। ବିଜେଡିର ସଂଖ୍ୟାଗରିଷ୍ଠତା ସତ୍ତ୍ବେ କାହିଁକି ବିଜେପି ପ୍ରାର୍ଥୀଙ୍କୁ ରାଜ୍ୟସଭା ପଠାଇଥିଲା? ବିଜେପି ପାଖରେ ବିଜେଡି ନିଜକୁ କେତେ ଅର୍ଥରେ ବିକ୍ରି କରିଛି ତାହା କହିବା ଦରକାର।
ଅପରପକ୍ଷେ ଗତକାଲି ସସ୍ମିତ ପାତ୍ର ମହାଲିଙ୍ଗ କଲେଜର ଟ୍ରଷ୍ଟି ଭାବେ ଭକ୍ତ ଦାସଙ୍କ ପୁଅ ଥିବା କହିଥିବା ବେଳେ ଏହାର ଜବାବ୍ ଦେଇ କଂଗ୍ରେସ୍ ସସ୍ମିତ ପାତ୍ରଙ୍କୁ ତାଙ୍କ ବାପାଙ୍କୁ ନେଇ ପରୋକ୍ଷରେ କିଛି ପ୍ରଶ୍ନ ପଚାରିଛି। ସଂଖ୍ୟାଲଘୁ ନେତା ସ୍ବରୂପାନନ୍ଦ ପାତ୍ର କିଏ? ତାଙ୍କ ସହ ସମ୍ପର୍କ କ’ଣ? ୨୦୦୭ରେ କନ୍ଧମାଳରେ ଦେଖାଦେଇଥିବା ଦଳିତ ଆଦିବାସୀ ଗଣ୍ଡଗୋଳରେ ଏହି ସ୍ବରୂପାନନ୍ଦ ପାତ୍ର ଓ ତାଙ୍କ ପରିବାରର ଭୂମିକା ଥିଲା କି? ୨୦୦୮ କନ୍ଧମାଳ ଦଙ୍ଗାର ତଦନ୍ତ କରୁଥିବା କମିସନର ନିକଟରେ ‘ଦଙ୍ଗା ପାଇଁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଦୋଷୀ’ ବୋଲି ସତ୍ୟପାଠ ଦେଇଥିବା ସତ୍ୟ କି? ୨୦୧୦ରେ ସ୍ବରୂପାନନ୍ଦ ପାତ୍ର ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ଦଙ୍ଗାରେ ୩୫ଜଣ ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯାଇଛି, ସେଥିପାଇଁ ସେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦାବି କରିଥିବା ସତ୍ୟ କି? ଆପଣ ସଂଖ୍ୟାଲଘୁ କମିସନରେ ସଦସ୍ୟ ହେବାପାଇଁ ବିଜେପିର କେନ୍ଦ୍ରୀୟ ନେତାଙ୍କ ପାଖରେ ଲବି କରୁଥିବା ସତ୍ୟ କି ? ବୋଲି ଶ୍ରୀ ମହାପାତ୍ର ପଚାରିଛନ୍ତି।
ଭକ୍ତ ଦାସଙ୍କ ପୁଅ ଉକ୍ତ କଲେଜର ଟ୍ରଷ୍ଟି ଥିଲେ ହେଁ ୨୦୧୩ ମସିହାରୁ ପଦ ଛାଡ଼ିଛନ୍ତି। ସେହିପରି ଗୋଟିଏ ଫଟୋ ଦେଖାଇ ଭକ୍ତ ଦାସଙ୍କୁ ଦୋଷୀ ବୋଲି ଯଦି କହିପାରୁଛି ତେବେ ନବୀନ ନିବାସରେ ଗୋବିନ୍ଦ ସାହୁ ମୁଖ୍ୟମନ୍ତ୍ରୀଙ୍କ ସହ ଫଟୋ ଉଠାଇଥିବାରୁ ମୁଖ୍ୟମନ୍ତ୍ରୀ ମଧ୍ୟ ଦୋଷୀ ବୋଲି କଂଗ୍ରେସ କହିଛି। ଆଜିର ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଅମୀୟ ପାଣ୍ଡବ, ପଦ୍ମାକର ଗୁରୁ, ଜିନେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
କଂଗ୍ରେସ ଭୟଭୀତ ହୋଇଯାଇଛି: ବିଜେଡି
ଭୁବନେଶ୍ୱର : କଂଗ୍ରେସ ନେତା ଭକ୍ତ ଦାସଙ୍କ ବିଷୟରେ ସତ୍ୟାସତ୍ୟ ପଦାକୁ ଆସିବା ପରେ ଓଡିଶା କଂଗ୍ରେସ ଭୟଭୀତ ଓ ଚିନ୍ତିତ ହୋଇପଡ଼ିଛି। ଆଜି ପୁଣିଥରେ ଓଡିଶା କଂଗ୍ରେସ ବିନା ପ୍ରମାଣରେ ଭିତ୍ତିହୀନ ଓ କୁତ୍ସିତ ଅଭିଯୋଗ ଉଠାଇଛି ବୋଲି ବିଜେଡି ମୁଖପାତ୍ର ଚିନ୍ମୟ ସାହୁ କହିଛନ୍ତି। କଂଗ୍ରେସ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀ ସାହୁ କହିଛନ୍ତି ଯେ ଯଦି କଂଗ୍ରେସ ନିକଟରେ କୌଣସି ପ୍ରମାଣ ଅଛି, ତେବେ ସେମାନେ ଏହାକୁ କୋର୍ଟକୁ ଦିଅନ୍ତୁ। କୋର୍ଟ ଏହା ଉପରେ ନିଷ୍ପତ୍ତି ନେବେ। ଏହା ନକରି କେବଳ ଶସ୍ତା ରାଜନୀତି ପାଇଁ ସେମାନେ ମନଗଢ଼ା କାହାଣୀ କହୁଛନ୍ତି। ଆମର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଭକ୍ତ ଦାସ ମହାଲିଙ୍ଗ କଲେଜ ସହ ଜଡିତ ଥିବାର ସତ୍ୟ ଉନ୍ମୋଚନ କରିଥିଲେ। ତେଣୁ ଆଜି ଓଡିଶା କଂଗ୍ରେସ ସସ୍ମିତ ପାତ୍ରଙ୍କ ସ୍ୱର୍ଗୀୟ ପିତାଙ୍କ ଉପରେ ବ୍ୟକ୍ତିଗତ ଆକ୍ରମଣ କରିଛି। ଆମ ଓଡିଆ ସଂସ୍କୃତିର ପରମ୍ପରା ହେଉଛି ସ୍ୱର୍ଗୀୟ ଆତ୍ମାକୁ ସମ୍ମାନ ଦେବା। ଆଜି ସ୍ୱର୍ଗରେ ଥିବା ଜଣେ ଅମର ଆତ୍ମାଙ୍କୁ ଅସମ୍ମାନ କରିବାକୁ ଚେଷ୍ଟା କରି ଓଡିଶା କଂଗ୍ରେସ ଏକ ଜଘନ୍ୟ ପାପ କରିଛି। ଆମେ ଆଶା କରୁଛୁ ସ୍ୱର୍ଗୀୟ ଆତ୍ମାକୁ ଅସମ୍ମାନ କରିବାର ଏହି ଘୃଣ୍ୟ ପାପ ପାଇଁ ଭଗବାନ ଓଡିଶା କଂଗ୍ରେସକୁ କ୍ଷମା କରିବେ। ଜଣେ ବ୍ୟକ୍ତି, ଯାହାଙ୍କର ଦେହାନ୍ତ ହୋଇଯାଇଛି ସେ ଆଉ ନିଜ ପକ୍ଷ ରଖିବା ପାଇଁ ସ୍ୱର୍ଗରୁ ଫେରି ପାରିବେ ନାହିଁ ବୋଲି ଶ୍ରୀ ସାହୁ କହିଛନ୍ତି ।