ଭୁବନେଶ୍ୱର : କୁନ୍ଦୁଲି ପୀଡ଼ିତାଙ୍କୁ ରାଜ୍ୟ ସରକାର ନ୍ୟାୟ ଦେଇପାରିଲେନି। ଏ ନେଇ ସିବିଆଇ ତଦନ୍ତ ଦାବି ଅର୍ଥହୀନ। କାରଣ ଓଡ଼ିଶା ପୁଲିସ୍‌ ଯେତେବେଳେ କେନ୍ଦ୍ରୀୟ ସାମରିକ ବାହିନୀ ବିରୋଧରେ ଯିବାକୁ ପଛଘୁଞ୍ଚା ଦେଲେ, ସେ କ୍ଷେତ୍ରରେ ସିବିଆଇ କିପରି ତଦନ୍ତ କରିପାରିବ? ବରଂ ହାଇକୋର୍ଟ ବା ସୁପ୍ରିମକୋର୍ଟ ଦ୍ୱାରା ସ୍ୱତନ୍ତ୍ର ତଦନ୍ତ ଟିମ୍‌(ଏସ୍‌ଆଇଟି) ମାଧ୍ୟମରେ ତଦନ୍ତ ନିମନ୍ତେ ଅଦାଲତରେ ଆବେଦନ କରିବାକୁ ଚିନ୍ତା କରାଯାଉଛି ବୋଲି କହିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ।

Advertisment

ଆଜି କଂଗ୍ରେସ ଭବନରେ ଶ୍ରୀ ହରିଚନ୍ଦନଙ୍କ ସମେତ ବିଧାୟକ ନବକିଶୋର ଦାସ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ ପ୍ରମୁଖ ସାମ୍ବାଦିକମାନଙ୍କୁ କୁନ୍ଦୁଲି ପୀଡ଼ିତାଙ୍କ ଅପମୃତ୍ୟୁ ପ୍ରତିବାଦରେ କଂଗ୍ରେସର ଓଡ଼ିଶା ବନ୍ଦ ସଂପର୍କରେ କହିଥିଲେ। ଶ୍ରୀ ହରିଚନ୍ଦନ କହିଲେ, ଓଡ଼ିଶା ବନ୍ଦ ଶାନ୍ତିପୂର୍ଣ୍ଣ ଓ ସ୍ୱତଃସ୍ଫୂର୍ତ୍ତ ଭାବେ ବିପୁଳ ସଫଳତା ହାସଲ କରିଛି। ଏଭଳି ଘଟଣା ରାଜ୍ୟବାସୀଙ୍କ ବିବେକକୁ ଦୋହଲାଇ ଦେଇଛି।

publive-imageଅନ୍ୟ ପକ୍ଷରେ ଜୀବନ ସହିତ ପୀଡ଼ିତାଙ୍କ ୧୦୦ ଦିନର ସଂଘର୍ଷ ସମୟରେ ଦିନେ ହେଲେ ବି ବିଜେପି ତାଙ୍କ ପାଖରେ ଛିଡ଼ା ହୋଇନଥିଲା। କେନ୍ଦ୍ରୀୟ ସାମରିକ ବାହିନୀର ସଂପୃକ୍ତି ଜାଣି ବିଜେପି ପାଟିବନ୍ଦ କରି ରଖିଥିଲା। କିନ୍ତୁ ପୀଡ଼ିତା ମୃତ୍ୟୁବରଣ କରିବା ପରେ ଯେତେବେଳେ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଥିଲା, ବିଜେପି ପ୍ରଥମେ ୧୨ ଘଣ୍ଟିଆ ଅବିଭକ୍ତ କୋରାପୁଟ ହରତାଳ ଡାକରା ଦେଇଥିଲା। ପରେ ବାଦରେ ଓଡ଼ିଶା ବନ୍ଦକୁ ଓହ୍ଳାଇ ପଡ଼ିଥିଲା ବୋଲି ପିସିସି ସଭାପତି କହିଥିଲେ।

ପୀଡ଼ିତାଙ୍କ ମୃତ୍ୟୁ; ଆତ୍ମହତ୍ୟା କି ହତ୍ୟା, ତାଙ୍କୁ ଯେଉଁମାନେ ନ୍ୟାୟ ବଦଳରେ ନିର୍ଯାତନା ଦେଉଥିଲେ, ଯେଉଁମାନେ ହାତକାଟି ଏହା ଗଣଦୁଷ୍କର୍ମ ନୁହେଁ ବୋଲି ଲେଖିଥିଲେ, ଯେଉଁମାନେ ତାଙ୍କୁ ମିଛୁଆ ବୋଲି ଆରୋପ କରିଥିଲେ, ସେ ସମସ୍ତ ଘଟଣା ନେଇ ନିରପେକ୍ଷ ତଦନ୍ତ ସହିତ ଦୋଷୀମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି। କଂଗ୍ରେସ ତରଫରୁ ପୀଡ଼ିତାଙ୍କ ପରିବାରଙ୍କ ଥଇଥାନ ପାଇଁ ପାଣ୍ଠି ଗଠନ କରି ସେଥିରେ ଜମା କରାଯିବ ବୋଲି ଶ୍ରୀ ହରିଚନ୍ଦନ କହିଥିଲେ।