ଆଜି ରଣନୀତି ପ୍ରସ୍ତୁତ କରିବେ କଂଗ୍ରେସ, ବିଜେପି: ଉଠିବ ଅର୍ଚ୍ଚନା ନାଗ, ଚାଷୀ ପ୍ରସଙ୍ଗ

ବିଜେଡି ବିଧାୟକ ଦଳ ବୈଠକ ୨୪ରେ

ଭୁବନେଶ୍ବର: ବିଧାନସଭାର ଶୀତ ଅଧିବେଶନ ଆସନ୍ତା ୨୪ ତାରିଖରୁ ଆରମ୍ଭ ହେଉଛି। ଏଥିରେ ପରସ୍ପରର ମୁକାବିଲା ପାଇଁ ବିରୋଧୀ ଓ ଶାସକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଅର୍ଚ୍ଚନା ନାଗ ଓ ଚାଷୀ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବାକୁ ଉଭୟ କଂଗ୍ରେସ ଓ ବିଜେପି ରଣନୀତି ପ୍ରସ୍ତୁତ କରୁଛନ୍ତି। ବିରୋଧୀଙ୍କୁ ମୁକାବିଲା କରିବାକୁ କେନ୍ଦ୍ରୀୟ ଅବହେଳାକୁ ପ୍ରସଙ୍ଗ କରି ଗୃହକୁ ସରଗରମ କରିବ ବିଜେଡି।

କଂଗ୍ରେସ ବିଧାୟକ ଦଳ ବୈଠକ ଆସନ୍ତାକାଲି ଅପରାହ୍ନ ୫ଟାରେ ବସିବ। ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଅର୍ଚ୍ଚନା ନାଗ ପ୍ରସଙ୍ଗ ରାଜ୍ୟ ପାଇଁ ଏକ ଲଜ୍ଜାଜନକ ଘଟଣା। କିନ୍ତୁ ଚିଟ୍‌ଫଣ୍ଡ ଭଳି ଏହି ପ୍ରସଙ୍ଗ ଲୁଚିଯିବା ନେଇ ଆଶଙ୍କା ପ୍ରକାଶ ପାଇଛି। ସମସ୍ତେ ମିଳିମିଶି ଏହାକୁ ଦବାଇବାକୁ ଉଦ୍ୟମ କରୁଛନ୍ତି। ବିଧାନସଭାରେ ଏହା ଆଲୋଚନା ହେବା ଦରକାର। ଏହା ସହ ଚାଷୀଙ୍କ ସମସ୍ୟା ବି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ଚାଷୀଙ୍କ ପଞ୍ଜୀକରଣ ଓ ଟୋକନ୍ ମିଳିବାରେ ସମସ୍ୟା ଦେଖାଦେଇଛି। ଚାଷୀ ଯେତିକି ଧାନ ଅମଳ କରୁଛି, ସେତିକି ବିକ୍ରି କରିପାରୁନି। କମ୍ ଦାମ୍‌ରେ ଧାନ ବିକିବାକୁ ଚାଷୀ ବାଧ୍ୟ ହେଉଛି। ଏହାସହ ଉପନିର୍ବାଚନରେ କେନ୍ଦ୍ର ଓ ରାଜ୍ୟ ସରକାର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିବା ପ୍ରସଙ୍ଗ ମଧ୍ୟ ଗୃହରେ ଉଠିବ। ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ବେକାରୀ ସମସ୍ୟା ଓ ଦରଦାମ ବୃଦ୍ଧି ଆଦି ବହୁତ ପ୍ରସଙ୍ଗ ରହିଛି। ତେବେ ପରିସ୍ଥିତିକୁ ଦେଖି କେଉଁ ପ୍ରସଙ୍ଗକୁ ପ୍ରାଥମିକତା ଦିଆଯିବ, ସେ ସମ୍ପର୍କରେ ଅଧିବେଶନ ସମୟରେ ନିଷ୍ପତ୍ତି ନିଆଯିବ।

ବିଜେପି ବିଧାୟକ ଦଳ ବୈଠକ ଆସନ୍ତାକାଲି ପୂର୍ବାହ୍ନରେ ବିରୋଧୀ ଦଳ ନେତାଙ୍କ ବାସଭବନରେ ବସିବାର କାର୍ଯ୍ୟକ୍ରମ ରହିଛି। ବିଜେପି ଅର୍ଚ୍ଚନା ନାଗ ପ୍ରସଙ୍ଗକୁ ସେତେଟା ଗୁରୁତ୍ବ ଦେଇ ନାହିଁ। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଗଣମାଧ୍ୟମକୁ କହିଛନ୍ତି, ଅର୍ଚ୍ଚନା ନାଗ ଘଟଣାରେ ଇଡି ତଦନ୍ତ ଚାଲିଛି। ଏଥିରେ ସମସ୍ତେ ସହଯୋଗ କରିବା ଉଚିତ। ବିଧାନସଭାରେ ଚାଷୀ ପ୍ରସଙ୍ଗ ହିଁ ମୁଖ୍ୟ ପ୍ରସଙ୍ଗ ହେବା ଆବଶ୍ୟକ। ଏବେ ଜମିରେ ପାଣି ନାହିଁ। ଜିଲ୍ଲାପାଳମାନେ ମନମାନି କରୁଛନ୍ତି ଓ ଧାନ ବିକ୍ରି ହୋଇପାରୁ ନାହିଁ। ଇନ୍‌ପୁଟ ସବସିଡି ମିଳିନାହିଁ। ତେଣୁ ଏହି ପ୍ରସଙ୍ଗ ଗୃହରେ ଉଠିବ। ବିରୋଧୀଙ୍କୁ ମୁକାବିଲା କରିବା ପାଇଁ ବିଜେଡି ବି ପ୍ରସ୍ତୁତ ଅଛି। ୨୪ ତାରିଖ ପୂର୍ବାହ୍ନ ୧୦ଟା ୩୦ରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବିଜେଡି ବିଧାୟକ ଦଳ ବୈଠକ ବସିବ। କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇ ମୁଖ୍ୟ ବିରୋଧୀ ଦଳ ଉପରେ ହମ୍‌ଲା କରିବା ପାଇଁ ରଣନୀତି ଏକପ୍ରକାର ପ୍ରସ୍ତୁତି ସରିଛି। ଫସଲ ବୀମା‌ ଠାରୁ ଆରମ୍ଭ କରି ରେଳବାଇ ଅବହେଳା ଆଦି ପ୍ରସଙ୍ଗ ଗୃହରେ ଉଠାଇବ ବିଜେଡି।

ସମ୍ବନ୍ଧିତ ଖବର