ବନ୍ଦକୁ ସଫଳ କରିବା ପାଇଁ ସମସ୍ତ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ନିର୍ଦ୍ଦେଶ
ପିପିଲି ଉପନିର୍ବାଚନ ନେଇ ପିସିସି ସଭାପତିଙ୍କ ଅଧ୍ୟକ୍ଷତାରେ ରୁଦ୍ଧଦ୍ବାର ବୈଠକ
ଭୁବନେଶ୍ବର : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ। ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ୍ ଲିଟର ପିଛା ନେଉଥିବା ଭାଟ୍ ଉପରେ ୧୦ ଟଙ୍କା ହ୍ରାସ କରିବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ। ଯଦି ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନ ନିଅନ୍ତି ତାହେଲେ ଆଗାମୀ ୧୫ ତାରିଖରେ ରାଜ୍ୟବ୍ୟାପି କଂଗ୍ରେସ ଆନ୍ଦୋଳନ କରିବ ବୋଲି ଦେଇଥିଲେ ଚେତାବନୀ। ମୁଖ୍ୟମନ୍ତ୍ରୀଙ୍କ ତରଫରୁ କୌଣସି ଉତ୍ତର ନ ମିଳିବାରୁ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ। ଆଜି ସନ୍ଧ୍ୟାରେ କଂଗ୍ରେସ ଭବନରେ ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦଳର ଜିଲ୍ଲା ଓ ବ୍ଲକ୍ କମିଟି ଗଠନ ନେଇ ଆଲୋଚନା ବେଳେ ଏହି ଆନ୍ଦୋଳକୁ ସଫଳ କରିବା ପାଇଁ ସମସ୍ତ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ପିପିଲି ଉପନିର୍ବାଚନ ପାଇଁ ରୁଦ୍ଧ ଦ୍ବାର ବୈଠକ ଅନୁଷ୍ଠିତ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଦଳର ସାଂଗଠନିକ ସ୍ତରରେ ବ୍ଲକ୍ ଓ ଜିଲ୍ଲା କମିଟି ଗଠନ ପାଇଁ ୩୩ଟି ସାଂଗଠନିକ ଜିଲ୍ଲାର କଂଗ୍ରେସ ସଭାପତିମାନଙ୍କୁ ଡକାଯାଇଥିଲା। ବୈଠକରେ ଏଆଇସିସି ସମ୍ପାଦକ ରୁଦ୍ରରାଜୁ ଉପସ୍ଥିତ ଥାଇ ବିଭିନ୍ନ ବ୍ଲକ୍ ଓ ଜିଲ୍ଲା ସ୍ତରୀୟ କମିଟି ଗଠନ ଉପରେ ଆଲୋଚନା ହୋଇଛି। ଏହି ବୈଠକରେ ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ, ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କୁ ସେ ଗତ ୧ ତାରିଖରେ ଗୋଟିଏ ଚିଠି ଲେଖିଥିଲେ। ଚିଠିରେ ଉଲ୍ଲେଖ କରିଥିଲେ କି, ପେଟ୍ରୋଲ ଓ ଡିଜେଲ୍ ଲିଟର ପିଛା ରାଜ୍ୟ ସରକାର ଭାଟ ବାବଦରେ ୧୭ ଟଙ୍କା ଟିକସ ନେଉଛନ୍ତି। ଏହି ୧୭ ଟଙ୍କାରୁ ୧୦ ଟଙ୍କା ହ୍ରାସ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ତରଫରୁ କିମ୍ବା ସରକାରଙ୍କ ପକ୍ଷରୁ କୌଣସି ଉତ୍ତର ମିଳିଲାନାହିଁ। ସେଥିପାଇଁ ଆସନ୍ତା ୧୫ ତାରିଖରେ ଜନସାଧାରଣଙ୍କ ସ୍ବାର୍ଥ ପାଇଁ ସାରା ରାଜ୍ୟରେ କଂଗ୍ରେସ ଦଳ ଆନ୍ଦୋଳନ କରିବ। ଏହି ଆନ୍ଦୋଳନ ଯେପରି ସଫଳ ହେବ ସେଥିପାଇଁ ସମସ୍ତ ଜିଲ୍ଲା ସଭାପତିମାନେ ଯତ୍ନବାନ ହେବେ।
ଏହି ବୈଠକ ପରେ ସଭାପତିଙ୍କ ଉପସ୍ଥିତିରେ ପିପିଲି ଉପନିର୍ବାଚନ ପାଇଁ ରୁଦ୍ଧ ଦ୍ବାର ବୈଠକ ଅନୁଷ୍ଠିତ ହୋଇଛି। ଉପନିର୍ବାଚନ ପାଇଁ ଗଠିତ କମିଟି ମୁଖ୍ୟ ତଥା ପିସିସି କାର୍ଯ୍ୟକାରୀ ସଭାପତି ଚିରଂଜୀବ ବିଶ୍ବାଳଙ୍କ ନେତୃତ୍ବରେ ଗୋଟିଏ ଟିମ୍ ଗତକାଲି ପିପିଲି ଗସ୍ତ କରି ଦିନସାରା ସେଠାକାର କଂଗ୍ରେସ ନେତୃବୃନ୍ଦ, ଦଳୀୟ କର୍ମୀ ଓ ସାଧାରଣ ଲୋକଙ୍କ ସହ ଆଲୋଚନା କରି ଫେରିଛନ୍ତି। ପିପିଲିରେ କଂଗ୍ରେସ ଦଳ କାହାକୁ ଉପଯୁକ୍ତ ପ୍ରାର୍ଥୀ କରିବ ସେ ନେଇ ଦଳୀୟ ସ୍ତରରେ ତର୍ଜମା ଚାଲିଛି। କମିଟି ଯାହାକୁ ପ୍ରାର୍ଥୀ କରିବା ନେଇ ଏଆଇସିସିକୁ ସୁପାରିସ କରିବ ତାକୁ ଟିକେଟ୍ ମିଳିବ। ଖବର ଲେଖା ହେବା ପର୍ଯ୍ୟନ୍ତ, ଜାରି ରହିଥିବା ରୁଦ୍ଧ ଦ୍ବାର ବୈଠକରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍, ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ, ପୂର୍ବତନ ବିଧାୟକ ବିପିନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/congress-1.jpg)