ଆଜି କଂଗ୍ରେସର ‘ଭାରତ ବନ୍ଦ’ : ସମଗ୍ର ରାଜ୍ୟରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ

ତୈଳ ଦର ବୃଦ୍ଧି ପ୍ରତିବାଦରେ ବନ୍ଦ ଡାକରା, ୧୭ଟି ରାଜନୈତିକ ଦଳଙ୍କ ସମର୍ଥନ, କେନ୍ଦ୍ର ଓ ରାଜ୍ୟକୁ ଭର୍ତ୍ସନା କଲେ ନିରଞ୍ଜନ

ଭୁବନେଶ୍ୱର : ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ଭାବେ ବୃଦ୍ଧି ପାଉଥିଲା ବେଳେ ଏହା ଏବେ ଓଡ଼ିଶା ସମେତ ସାରା ଦେଶରେ ବଡ଼ ରାଜନୈତିକ ପ୍ରସଙ୍ଗ ପାଲଟିଯାଇଛି। ଦର ବୃଦ୍ଧି ପ୍ରତିବାଦରେ ସୋମବାର କଂଗ୍ରେସ ‘ଭାରତ ବନ୍ଦ’ ପାଳନ କରିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଅନୁଭୂତ ହୋଇଛି। ଅଧିକାଂଶ ବଡ଼ ସହର ଓ ଜିଲ୍ଲା ସଦର ମହକୁମାରେ କଂଗ୍ରେସ ପକ୍ଷରୁ ରାସ୍ତାରୋକ ଓ ରେଳରୋକ କରାଯାଇଛି। ଫଳରେ ଯାନବାହନ ଚଳାଚଳ ଓ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି । ୧୭ଟି ରାଜନୈତିକ ଦଳ ଏହାକୁ ସମର୍ଥନ ଦେଉଛନ୍ତି। ଓଡ଼ିଶାରେ ବିଜେଡି ‘ବନ୍ଦ’କୁ ସିଧାସଳଖ ସମର୍ଥନ ଦେଇ ନ ଥିଲେ ମଧ୍ୟ ନିରବ ରହିଛି।

ଅାଜି ସକାଳ ୬ଟାରୁ ଆନ୍ଦୋଳନକାରୀମାନେ ପିକେଟିଂ ଅାରମ୍ଭ କରିଛନ୍ତି। ମଧ୍ୟାହ୍ନ ପର୍ଯ୍ୟନ୍ତ ବନ୍ଦର ପ୍ରଭାବ ଅନୁଭୂତ ହେବ ବୋଲି ଜଣାପଡ଼ିଛି । ବିଶେଷ କରି ପିସିସି ନେତୃତ୍ୱ ପରିବର୍ତ୍ତନ ପରେ ପ୍ରଥମ ଥର ପାଇଁ ବନ୍ଦ କରାଯାଉଥିବାରୁ ଏହାକୁ ସଫଳ କରିବା ପାଇଁ କଂଗ୍ରେସ ନେତାମାନେ ଲାଗି ପଡ଼ିଛନ୍ତି। ଗତକାଲି କଂଗ୍ରେସ ପକ୍ଷରୁ ରାଜଧାନୀ ସମେତ ବିଭିନ୍ନ ଜିଲ୍ଲାରେ ପ୍ରସ୍ତୁତି ବୈଠକ କରାଯାଇ ସଚେତନତା ସୃଷ୍ଟି କରାଯାଇଥିଲା। ପିସିସିି ପକ୍ଷରୁ ସବୁ ଜିଲ୍ଲାରେ ବନ୍ଦ ପାଳନର ପ୍ରସ୍ତୁତିକୁ ତଦାରଖ କରାଯାଉଛି। ନିଜେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ଭବନରେ  ଉପସ୍ଥିତ ରହି ପ୍ରସ୍ତୁତିର ସମୀକ୍ଷା କରିଥିଲେ । ବିଧାନସଭା ଅଧିବେଶନ ଚାଲିଥିଲେ ବି କଂଗ୍ରେସ ସଭ୍ୟମାନେ ଗୃହକୁ ନ ଯାଇ ବିଭିନ୍ନ ସ୍ଥାନରେ ପିକେଟିଂରେ ସାମିଲ୍‌ ହୋଇଛନ୍ତି ।

ବନ୍ଦ ବେଳେ ଆମ୍ବୁଲାନ୍ସ, ମେଡିସିନ୍‌ ଷ୍ଟୋର୍‌, କ୍ଷୀର ଗାଡ଼ିକୁ ନ ଅଟକାଇବାକୁ ଦଳ ପକ୍ଷରୁ ଆନ୍ଦୋଳନକାରୀମାନଙ୍କୁ କୁହାଯାଇଛି। ସେହିପରି ବନ୍ଦ ବେଳେ ସୁରକ୍ଷା ଦୃଷ୍ଟିକୋଣରୁ ସରକାର ସ୍କୁଲ୍‌ଗୁଡ଼ିକ ବନ୍ଦ ନିର୍ଦ୍ଦେଶ ଦେଇସାରିଛନ୍ତି। ବସ୍‌, ଅଟୋ ଚଳାଚଳ ମଧ୍ୟ ବନ୍ଦ ରହୁଥିବାରୁ ଯାତ୍ରୀ ପରିବହନ ବାଧାପ୍ରାପ୍ତ ହୋଇଛି । ବନ୍ଦ ପାଳନକାରୀମାନେ ଟ୍ରେନ୍‌ ଲାଇନ୍‌ରେ ପିକେଟିଂ କରୁଥିବାରୁ ବିଭିନ୍ନ ସ୍ଥାନରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସେହିପରି ପେଟ୍ରୋଲ ଟାଙ୍କିଗୁଡ଼ିକ  ଅାଜି ବନ୍ଦ ରହଛି। ବିଭିନ୍ନ ତୈଳ କମ୍ପାନି କାର୍ଯ୍ୟାଳୟ ଓ କେନ୍ଦ୍ରୀୟ କାର୍ଯ୍ୟାଳୟରେ ସାମ୍ନାରେ ଅଧିକ ପିକେଟିଂ କରିବାକୁ ଯୋଜନା ରହିଛି।

ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ କହିଛନ୍ତି, ମୋଦୀ ସରକାର ସାଧାରଣ ଲୋକଙ୍କୁ ଲୁଟି ଚାଲିଛନ୍ତି, ବିଜେପି ମୁନାଫା କମାଇ ଚାଲିଛି। ମୋଦୀ ସରକାର ବିଦେଶୀ ରାଷ୍ଟ୍ରକୁ ଶସ୍ତାରେ ପେଟ୍ରୋଲ, ଡିଜେଲ ବିକ୍ରି କରୁଛନ୍ତି, ଏଠାରେ ଇନ୍ଧନ ନିଆଁରେ ଭାରତୀୟ ଜଳୁଛନ୍ତି। ନିର୍ବାଚନ ପୂର୍ବରୁ ବିଜେପିର ସ୍ଲୋଗାନ୍‌ ଏବେ ସାଧାରଣ ଲୋକଙ୍କ ପାଇଁ ନିଷ୍ଠୁର ପରିହାସ ପାଲଟିଛି। ଏବେ ଦେଶରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍‌ ମୂଲ୍ୟ ଆକାଶ ଛୁଆଁ ହୋଇଛି ଏବଂ ସାଧାରଣ ଲୋକ, ମଧ୍ୟମ ବର୍ଗ, କୃଷକ, ପରିବହନକାରୀ ଓ କ୍ଷୁଦ୍ର ବ୍ୟବସାୟୀମାନେ ମାତ୍ରାଧିକ ବୋଝ ବହନ କରୁଛନ୍ତି। ଆନ୍ତର୍ଜାତିକ ବଜାରରେ ତୈଳଦର ହ୍ରାସର ଫାଇଦା ଦେଶର ସାଧାରଣ ଲୋକଙ୍କୁ ଦେବା ପରିବର୍ତ୍ତେ ବିଜେପି ସରକାର ତାହା ଉପରେ ଟିକସ ଲଗାଇଛନ୍ତି। ୨୦୧୪ ମେ’ ମାସ ଠାରୁ ପେଟ୍ରୋଲ ଉପରେ ଉତ୍ପାଦନ ଶୁଳ୍କ ୨୧୧.୭% ବୃଦ୍ଧି କରାଯାଇଛି। ତୈଳ ଦର ବୃଦ୍ଧି ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢ଼ିଚାଲିଛି। ଏହା ସାଧାରଣ ଲୋକଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି।

ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରି ପିସିସି ସଭାପତି କହିଛନ୍ତି, ମୋଦୀଙ୍କ ଏହି ଟିକସ ଶୋଷଣ ମିସନ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଗିଦାରି ବି କିଛି କମ୍‌ ନୁହେଁ। ଉପର ଦେଖାଣିଆ ଭାବେ ବିଜେଡି କୁମ୍ଭୀର କାନ୍ଦଣା କାନ୍ଦୁଛି। ସେପଟେ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ୨୪ ପ୍ରତିଶତ ଭାଟ୍‌ ଓ ସେଲ୍‌ଟ୍ୟାକ୍ସ ଆଦାୟ କରିଚାଲିଛନ୍ତି। ୨୦୧୪ରେ ରାଜ୍ୟ ଟିକସ ବାବଦରେ ପେଟ୍ରୋଲ ଓ ଡିଜେଲ୍‌ରୁ ଓଡ଼ିଶା ସରକାର ୨୮୬୫ କୋଟି ଟଙ୍କା ଆଦାୟ କରିଥିବା ବେଳେ ୨୦୧୮ରେ ଏହା ୬୯୦୦ କୋଟିରେ ପହଞ୍ଚିଛି। ନବୀନ ବାବୁ ତୁରନ୍ତ ରାଜ୍ୟ ଟିକସରେ ରିହାତି ଦିଅନ୍ତୁ। ଯଦି ବାସ୍ତବରେ ତୈଳ ଦର ବୃଦ୍ଧିକୁ ମୁଖ୍ୟମନ୍ତ୍ରୀ ବିରୋଧ କରୁଥା’ନ୍ତି, ତେବେ ଆସନ୍ତାକାଲି ବିଜେଡି ବିଧାନସଭା ଅଧିବେଶନକୁ ସକାଳ ୧୦ଟା ୩୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବର୍ଜନ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ଵାନ ଦେଇଛନ୍ତି।

କଂଗ୍ରେସ ଭବନରେ ଭିନ୍ନକ୍ଷମ ଓ ରୋଗୀଙ୍କ ପାଇଁ କଣ୍ଟ୍ରୋଲ୍‌ ରୁମ୍‌

କଂଗ୍ରେସ ପକ୍ଷରୁ ସୋମବାର ଦିନ ‘ଭାରତ ବନ୍ଦ’ ଡାକରା ଦିଆଯାଇଛି। ଏଥି ପାଇଁ କଂଗ୍ରେସ ଭବନରେ ଏକ କଣ୍ଟ୍ରୋଲ୍‌ ରୁମ୍‌ ଖୋଲାଯାଇଛି। ବନ୍ଦ ପାଳନ ବେଳେ ଯଦି କେହି ରୋଗୀ ଓ ଭିନ୍ନକ୍ଷମ କୌଣସି ସ୍ଥାନରେ ଅସୁବିଧାର ସାମ୍ନା କରନ୍ତି, ତେବେ ସେମାନେ ଏହି କଣ୍ଟ୍ରୋଲ୍‌ ରୁମ୍‌ ନମ୍ବରକୁ ଯୋଗାଯୋଗ କରିବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିବେଦନ କରିଛନ୍ତି। କଣ୍ଟ୍ରୋଲ୍‌ ରୁମ୍‌ ନମ୍ବର ରହିଛି ୭୬୦୯୮୫୨୧୩୧ ଓ ୮୮୯୫୨୦୩୦୦୧। ଏହି ନମ୍ବରରେ ଯୋଗାଯୋଗ କଲେ ତତ୍‌କାଳ ସେମାନଙ୍କୁ ସହଯୋଗ ଯୋଗାଇ ଦିଆଯିବ।

ସମ୍ବନ୍ଧିତ ଖବର