ଭୁବନେଶ୍ବର : ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ଆଜି ସନ୍ଧ୍ୟାରେ ଲୋକେ ନିଜ ଘରେ ଓ ଅନୁଷ୍ଠାନରେ ୩୦ ମିନିଟ ପାଇଁ ବିଦ୍ୟୁତ ବ୍ୟବହାର ବନ୍ଦ କରିଦେଇଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ରବିବାର ସନ୍ଧ୍ୟାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଦ୍ୟୁତ ଉପଭୋକ୍ତାମାନେ ଅଧଘଣ୍ଟାଏ ପାଇଁ ଅନ୍ଧାରରେ ରହିଥିଲେ। କଂଗ୍ରେସ ଭବନ ସମେତ ପିସିସି ସଭାପତିଙ୍କ ବାସଗୃହ, ନେତୃବୃନ୍ଦ ଓ କର୍ମୀମାନଙ୍କ ବାସଭବନରେ ସନ୍ଧ୍ୟା ୬ଟା ୩୦ରୁ ୭ଟା ଯାଏ ବିଦ୍ୟୁତ ବ୍ୟବହାର ବନ୍ଦ ରହିଥିଲା। ପିସିସି ସଭାପତି ଭୁବନେଶ୍ବର ସ୍ଥିତ ନିଜ ବାସଭବନରେ ମହମବତି ଜାଳି ପ୍ରତିବାଦ କରିଥିଲେ। ସାଧାରଣ ଜନତା ଓ କଂଗ୍ରେସ କର୍ମୀ ଏହି ପ୍ରତିବାଦକୁ ସମର୍ଥନ କରିଥିବାରୁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ଏହାବ୍ୟତୀତ ଆସନ୍ତା ୫ ତାରିଖରେ ସମସ୍ତ ଜିଲ୍ଲା ସଦର ମହକୁମା ଓ ୬ ତାରିଖରେ ସମସ୍ତ ଜିଲ୍ଲା କାର୍ଯ୍ୟାଳୟ ସମେତ ଭୁବନେଶ୍ବର ସ୍ଥିତ ଓଇଆର୍ସିଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ଓ ସମାବେଶ କରି ଦରବୃଦ୍ଧିର ପ୍ରତିବାଦ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି।
କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି ଯେ ଏହି ସ୍ବେଚ୍ଛାକୃତ ବିଦ୍ୟୁତ ବନ୍ଦକୁ ରାଜ୍ୟବାସୀ ସଫଳ କରିଛନ୍ତି। ରାଜ୍ୟ ସରକାର ଓ ବିଦ୍ୟୁତ ବଣ୍ଟନ କମ୍ପାନି 'ଟାଟା' ଏଥିରୁ ଶିକ୍ଷା ପାଇବା ଉଚିତ୍। କରୋନା ସମୟରେ ଲୋକମାନଙ୍କର ଆର୍ଥିକ ଅବସ୍ଥା ଦୋହଲି ଯାଇଥିବାବେଳେ ବିଦ୍ୟୁତ ଦରବୃଦ୍ଧି କରି ସରକାର ଓ ବଣ୍ଟନ କମ୍ପାନି ଲୋକଙ୍କୁ ଶୋଷଣ କରୁଛନ୍ତି। ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ। ଶକ୍ତିମନ୍ତ୍ରୀ ବିଧାନସଭାରେ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ବିଦ୍ୟୁତ ଦରବୃଦ୍ଧିର ପୁନର୍ବିଚାର ପାଇଁ ତୁରନ୍ତ ଓଇଆର୍ସିଙ୍କୁ ଚିଠି ଲେଖନ୍ତୁ । ତା ନହେଲେ ଆଗାମୀ ଦିନରେ କଂଗ୍ରେସ କେବେ ଚୁପ ବସିବ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Niranjan-Pattnaik.jpg)