ଭୁବନେଶ୍ବର: ରାଜ୍ୟରେ ନାରୀ ନିର୍ଯାତନା ପ୍ରସଙ୍ଗରେ ଆନ୍ଦୋଳନ ଡାକରା ଦେଇଛି କଂଗ୍ରେସ। ନିଖୋଜ ୬୦ହଜାର ମହିଳାଙ୍କୁ ଖୋଜିବା ପାଇଁ ଚଳିତମାସ ୧୫ତାରିଖରେ ପ୍ରତି ବ୍ଲକ୍ ଓ ସହରରେ ନାରୀ ନ୍ୟାୟ ଓ ୨୧ରେ ରାଜ୍ୟବ୍ୟାପୀ ମଶାଲ ଶୋଭାଯାତ୍ରା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଥିଲେ, ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସ୍ଥାନୀୟ ସମସ୍ୟା, କ୍ଷେତ ପାଇଁ ପାଣି, ବେକାରୀ ସମସ୍ୟା, ଖଣି ଦୁର୍ନୀତି, ଅନ୍ୟ ସରକାରୀ ଦୁର୍ନୀତି ଓ ଚାଷୀଙ୍କ ପ୍ରସଙ୍ଗ ମଧ୍ୟ ସାମିଲ କରାଯିବ। ଏହାପରେ କଂଗ୍ରେସର ୩୫ ସାଙ୍ଗଠନିକ ଜିଲ୍ଲାରେ ୧୦ କିମି ପଦଯାତ୍ରା ଓ ସମାବେଶ ଅନୁଷ୍ଠିତ ହେବ। କଂଗ୍ରେସର ବରିଷ୍ଠ ନେତା ଜିଲ୍ଲା ଗସ୍ତ କରିବା ସହ ପର୍ଯ୍ୟବେକ୍ଷକମାନେ ୫ଦିନ ଜିଲ୍ଲାରେ ରହିବେ। ଜିଲ୍ଲା କମିଟି ଗଠନ ପାଇଁ ସଂପୃକ୍ତ ଜିଲ୍ଲାର ଜିଲ୍ଲା ଓ ବ୍ଲକ୍ ନେତୃବର୍ଗଙ୍କ ସହ ଆଲୋଚନା ହେବ। ସମସ୍ତଙ୍କ ମତାମତକୁ ନେଇ ଜିଲ୍ଲା କମିଟି ଗଠନ କରାଯିବ। ରାଜ୍ୟର ମହିଳା ନ୍ୟାୟ ନ ପାଇବା ପାଇଁ କଂଗ୍ରେସର ଆନ୍ଦୋଳନ ଚାଲୁ ରହିବ। 

Advertisment

ବିଜେପି-ବିଜେଡି ଏକ ହୋଇ ସବୁ ବିଲ୍ ପାରିତ କଲେ
କଂଗ୍ରେସ କର୍ମୀଙ୍କୁ ଆକ୍ରୋଶମୂଳକ ଗିରଫ କଲେ ବରଦାସ୍ତ କରାଯିବନି

ସେ ଆହୁରି ମଧ୍ୟ କହିଥିଲେ ଯେ ଜାତୀୟ ଶିକ୍ଷା ନୀତି-୨୦୨୦ ଆରଏସ୍‌ଏସ୍‌ ଓ ବିଜେପିର ବିଚାରଧାରାରେ ପ୍ରସ୍ତୁତ। ଏହାକୁ ପ୍ରସ୍ତୁତ କରାଯିବା ବେଳେ ଶିକ୍ଷାବିତ୍‌ମାନଙ୍କ ସହ ଆଲୋଚନା କରାଯାଇନାହିଁ। ବ୍ୟବସାୟୀଙ୍କ ହାତରେ ଶିକ୍ଷାକୁ ଟେକି ଦେଇ ଗରିବ, ସାଧାରଣ ବର୍ଗର ପିଲାଙ୍କୁ ଶିକ୍ଷା ଅଧିକାରରୁ ବଞ୍ଚିତ କରିବା ପାଇଁ ଏହା ଏକ ଷଡ଼୍‌ଯନ୍ତ୍ର। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭିଜନ୍‌ କଥା କହୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ କୌଣସି କ୍ଷେତ୍ରରେ ପାରଦର୍ଶିତା ଥିବାର ପ୍ରମାଣ ଶିକ୍ଷା ମନ୍ତ୍ରୀ ଦିଅନ୍ତୁ। ସେହିପରି ସୋନିଆ ଗାନ୍ଧୀଙ୍କ ପ୍ରତି ବିଜେପି ନେତୃମଣ୍ଡଳୀଙ୍କ ଅଶାଳୀନ ଭାଷା ପ୍ରୟୋଗ ଦୁର୍ଭାଗ୍ୟଜନକ। ରାଷ୍ଟ୍ରୀୟ ବିଜେପି ନେତାଙ୍କୁ ଓଡ଼ିଶାରେ କଂଗ୍ରେସ ପକ୍ଷରୁ ବିରୋଧ କରାଯିବ ବୋଲି ‌ଶ୍ରୀ ଦାସ କହିଛନ୍ତି।  କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଥିଲେ, ବିଜେପି ସରକାର ବିଧାନସଭାରେ ବିଧାୟକମାନଙ୍କ ସାମ୍ବିଧାନିକ ଅଧିକାର ଛଡ଼ାଇ ନେଉଛନ୍ତି। ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ଗୃହ କମିଟି ଦାବି କରିବା କ’ଣ ଅପରାଧ ?

ସରକାର ନିଜ ଜିଦ୍‌ରୁ ଓହରନ୍ତୁ ଓ ରାଜ୍ୟରେ କେତେ ନାବାଳିକା ଗର୍ଭବତୀ ହୋଇଛନ୍ତି ତାହାର ତଥ୍ୟ ଜନସାଧାରଣଙ୍କୁ ଦିଅନ୍ତୁ ବୋଲି ସେ କହିଥିଲେ। ବିଧାୟକ ତାରାପ୍ରସାଦ ବାହିନୀପତି କହିଲେ, ବିଜେପି-ବିଜେଡି ଏକାଠି ହୋଇ ସବୁ ବିଲ୍‌ ପାରିତ କଲେ। ଗଣତନ୍ତ୍ରକୁ ହତ୍ୟା କରାଯାଇ କଂଗ୍ରେସକୁ ବେଆଇନ ଭାବେ ଗୃହରୁ ବାହାରେ ରଖାଗଲା। ବିଲ୍ ପାରିତ କରିବାରେ ବିଜେଡି ବିଜେପିକୁ ସାହାଯ୍ୟ କଲା। ମହିଳା ସୁରକ୍ଷା ପ୍ରସଙ୍ଗରେ କଂଗ୍ରେସର ମାର୍ଚ୍ଚ ୨୭ ଆନ୍ଦୋଳନ ଅଭୂତପୂର୍ବ ରହିଥିଲା। ସେଦିନ ଯେଉଁ ଘଟଣା ଘଟିଲା ଏଥିରେ ବହୁ କଂଗ୍ରେସ କର୍ମୀ ଲହୁଲୁହାଣ ହୋଇଛନ୍ତି। କଂଗ୍ରେସ କର୍ମୀଙ୍କୁ ଅନ୍ୟାୟରେ ଗିରଫ କରାଗଲେ ଏହାକୁ ବରଦାସ୍ତ କରିବ ନାହିଁ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସିଏସ୍‌ ରାଜନ ଏକ୍କା, ମଙ୍ଗୁ ଖିଲ, କାଡ୍ରାକ ଆପାଲା ସ୍ବାମୀ, ପ୍ରଫୁଲ୍ଲ ପ୍ରଧାନ, ସତ୍ୟଜିତ ଗମାଙ୍ଗ ଓ ନୀଳମାଧବ ହିକକା ଉପସ୍ଥିତ ଥିଲେ।