କୋରାପୁଟ ଜିଲ୍ଲା ବନ୍ଦ ୧୬ରେ

ଜୟପୁର : ଅନେକ ଗଣଦୁଷ୍କର୍ମ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରିଛି। ବର୍ଷ ପରେ ବର୍ଷ ବିତିଯାଇଥିଲେ ମଧ୍ୟ ପୀଡ଼ିତାଙ୍କୁ ନ୍ୟାୟ ମିଳିନି। କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଘଟଣାର ତଦନ୍ତ କରୁଥିବା କ୍ରାଇମ୍‌ ବ୍ରାଞ୍ଚ ଉପରେ ଆମର ଭରସା ନାହିଁ। କ୍ରାଇମବ୍ରାଞ୍ଚର ଏବେ ମୁଖିଆ ନ ଥିବାରୁ ନିରପେକ୍ଷ ତଦନ୍ତ ହେବ ବୋଲି ଆମେ ଆଶା କରୁନୁ ବୋଲି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି। ୪ ଦିନ ପରେ ମଧ୍ୟ ଅଭିଯୁକ୍ତ ଚିହ୍ନଟ ହୋଇ ନଥିବାରୁ ଏହାର ପ୍ରତିବାଦରେ ଆସନ୍ତା ୧୬ ତାରିଖ ଦିନ କଂଗ୍ରେସ ପକ୍ଷରୁ କୋରାପୁଟ ଜିଲ୍ଲା ବନ୍ଦ କରାଯିବ ବୋଲି ସେ କହିଛନ୍ତି।

ସୋମବାର ସକାଳ ୬ଟାରୁ ଅପରାହ୍‌ଣ ଗୋଟାଏ ପର୍ଯ୍ୟନ୍ତ ସମଗ୍ର କୋରାପୁଟ ଜିଲ୍ଲାକୁ ବନ୍ଦ କରି ଦିଆଯିବ ବୋଲି ବାହିନୀପତି ଗଣମାଧ୍ୟମକୁ କହିଛନ୍ତି। ପୀଡିତା ଛାତ୍ରୀ ଜଣକ ଯବାନ ପୋଷାକ ପିନ୍ଧା ଜଣେ ବରିଷ୍ଠ ଅଧିକାରୀଙ୍କୁ ଚିହ୍ନି ସାରିଲେଣି। ତଥାପି ପୁଲିସ ଓ କ୍ରାଇମବ୍ରାଞ୍ଚ କାହିଁକି ଧରୁନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଦୀପାବଳି ପରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ୨୪ଘଣ୍ଟିଆ ବନ୍ଦ ପାଳନ ହେବ ବୋଲି ସେ କହିଛନ୍ତି।

କୋରାପୁଟ ବିଧାୟକ କୃଷ୍ଣ ସଗରିଆ କହିଛନ୍ତି ଯେ ଏହି ଘଟଣାରେ ରାଜ୍ୟ ପୁଲିସ, ବିଏସ୍‌ଏଫ୍‌, ସିଆର୍‌ପିଏଫ୍‌ ଓ କୋବ୍ରା ବାଟାଲିୟନର କୌଣସି ବରିଷ୍ଠ ଅଧିକାରୀଙ୍କ ସମ୍ପୃକ୍ତି ରହିଥାଇପାରେ। ତଳିଆ କର୍ମଚାରୀ ରହିଥିଲେ ବଳି ପକାଇ ଦେଇସାରନ୍ତେଣି ବୋଲି ସେ କହିଛନ୍ତି।

ଡିିସିସି ସଭାପତି ମିନାକ୍ଷୀ ବାହିନୀପତି କହିଛନ୍ତି ଯେ ପୀଡ଼ିତା ଜଣେ ଯବାନ ପୋଷାକ ପିନ୍ଧା ଅଭିଯୁକ୍ତକୁ ଚିହ୍ନି ସାରିଛି। ଉକ୍ତ ଯବାନଙ୍କ ବାମ ପଟ ଆଖିରେ ଏକ ବଡ଼ ଭାତୁଡି ରହିଛି। ଏହା ବଡ଼ ଏକ ପ୍ରମାଣ। ଏହାକୁ ଭିତ୍ତି କରି ଅପରାଧୀଙ୍କୁ ନଧରି ଚୁପ୍‌ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର