କଂଗ୍ରେସ ସ୍କ୍ରିନିଂ କମିଟିର ପ୍ରଥମ ପର୍ଯ୍ୟାୟ ପ୍ରକ୍ରିୟା ସରିଲା : ମାର୍ଚ ପ୍ରଥମ ସପ୍ତାହରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା

ଭାଗବତ, କେପିଙ୍କ ସମେତ ବହୁ ଆଶାୟୀ ଭେଟିଲେ

ଭୁବନେଶ୍ବର : ଆଜି ଏଆଇସିସି ସ୍କ୍ରିନିଂ କମିଟିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଚୟନ ଓ ଆବେଦନ ପ୍ରକ୍ରିୟା ସରିିଛି। ଆସନ୍ତା ୨୨ ତାରିଖ ସୁଦ୍ଧା ଦ୍ବିତୀୟ ତଥା ଶେଷ ପର୍ଯ୍ୟାୟ ପ୍ରକ୍ରିୟା ସରିବ। ଫଳରେ ଆସନ୍ତା ୨୫ ତାରିଖ ସୁଦ୍ଧା ପିସିସି ଅନ୍ତର୍ଗତ ପ୍ରଦେଶ ନିର୍ବାଚନ କମିଟି(ପିଇସି) ପକ୍ଷରୁ ରାଜ୍ୟର ସବୁ ଲୋକସଭା ଓ ବିଧାନସଭା ନିମନ୍ତେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହେବ। ଏଆଇସିସିର କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି)କୁ ପଠାଯିବ ଏହି ତାଲିକା। ସିଇସି ଏହାର ତର୍ଜମା କରିବା ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଅନୁମୋଦନ ପାଇଁ ଜାତୀୟ ସଭାପତି ରାହୁଲ ଗାନ୍ଧୀଙ୍କ ନିକଟକୁ ଅନୁମୋଦନ ନିମନ୍ତେ ପଠାଇବ। ଆସନ୍ତା ମାର୍ଚ ପ୍ରଥମ ସପ୍ତାହରେ ରାଜ୍ୟର ସବୁ ଲୋକସଭା ଓ ବିଧାନସଭା ପ୍ରାର୍ଥୀମାନଙ୍କ ତାଲିକା ଘୋଷଣା ହେବ।

ପ୍ରଥମ ପର୍ଯ୍ୟାୟରେ ତିନିଦିନ ଧରି ପ୍ରାର୍ଥୀ ଚୟନ କସରତ ଆଜି ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୧ଟି ଲୋକସଭା ଏବଂ ସେସବୁ ଲୋକସଭା ଅନ୍ତର୍ଗତ ବିଧାନସଭା ଆସନ ନିମନ୍ତେ ସମ୍ଭାବ୍ୟ ପ୍ରାର୍ଥୀମାନଙ୍କ ସହିତ ଶ୍ରୀ ସଥୀସାନ୍‌ ଆଲୋଚନା କରିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଶାୟୀ ଆବେଦନପତ୍ର ପ୍ରଦାନ କରିଥିଲେ। କମିଟି ପକ୍ଷରୁ ପ୍ରାର୍ଥୀମାନଙ୍କ ଯୋଗ୍ୟତା ସଂପର୍କରେ ଆବଶ୍ୟକ ବିବରଣୀ ସଂଗ୍ରହ କରାଯାଇଥିଲା। ଆସନ୍ତା ସପ୍ତାହରେ ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ୧୮ ତାରିଖରୁ ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବା କଥା। କିନ୍ତୁ ସେ ନେଇ ନିର୍ଦିଷ୍ଟ ତାରିଖ ଚୂଡ଼ାନ୍ତ ହୋଇନାହିଁ। ତେବେ ୨୨ ତାରିଖ ସୁଦ୍ଧା ଶେଷ ପର୍ଯ୍ୟାୟ ବୈଠକ ସରିବ ବୋଲି ସେ ସୂଚେଇଥିଲେ। ଗଣମାଧ୍ୟମକୁ ସୂଚନା ଦେଇ ସ୍କ୍ରିନିଂ କମିଟି ଅଧ୍ୟକ୍ଷ କହିଥିଲେ, ଆସନ୍ତା ମାସ ପ୍ରଥମ ସପ୍ତାହରେ ରାଜ୍ୟର ସମସ୍ତ ଲୋକସଭା ଓ ବିଧାନସଭା ନିମନ୍ତେ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ।

ଗତକାଲି ଭଳି ଆଜି କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଲୋକସଭା ଓ ସେହି ଲୋକସଭା ଅନ୍ତର୍ଗତ ସମସ୍ତ ବିଧାନସଭା ଆସନ ନିମନ୍ତେ ଆଶାୟୀ ପ୍ରାର୍ଥୀମାନେ କଂଗ୍ରେସ ଭବନରେ ଭିଡ଼ ଜମାଇଥିଲେ। ସେମାନଙ୍କ ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ଭାଗବତ ମହାନ୍ତି, କାମାକ୍ଷା ପ୍ରସାଦ ସିଂହଦେଓ, ସେକ୍‌ ମତଲୁବ୍‌ ଅଲ୍ଲୀ, ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା, ବିଧାୟକ ଦେବେନ୍ଦ୍ର ଶର୍ମା, ଚିନ୍ମୟ ବେଉରା, ନବୀନ ଚନ୍ଦ୍ର ନାରାୟଣ ଦାସ, ରବିନ୍ଦ୍ର ବେହେରା, ଆଇନଜୀବୀ ଧରଣୀଧର ନାୟକ, ବୀରକିଶୋର ପରିଡ଼ା, ସୁରେଶ ପାଣିଗ୍ରାହୀ, ଅମ୍ବିକା ଭଟ୍ଟ, ବିପ୍ଳବ ଜେନା, ଦେବ ସାହୁ, ଜୟନ୍ତ ମହାନ୍ତି ପ୍ରମୁଖ ଆସି ସ୍କ୍ରିନିଂ କମିଟି ଅଧ୍ୟକ୍ଷଙ୍କୁ ଭେଟିଥିଲେ। ସେମାନଙ୍କ ମଧ୍ୟରୁ ଅନେକ ଆନୁଷ୍ଠାନିକ ଭାବେ ଆବେଦନ ମଧ୍ୟ କରିଥିଲେ ବୋଲି ପିସିସି ସାଧାରଣ ସଂପାଦକ ବିଶ୍ବଜିତ ଦାସ(ସଂଗଠନ) କହିଛନ୍ତି।

ସେ ପଟେ ଆଜି ସ୍କ୍ରିନିଂ କମିଟିର ସଦସ୍ୟ ନୌସାଦ୍‌ ସୋଲାଙ୍କି କୋରାପୁଟ ଲୋକସଭା ଏବଂ ଏହା ଅଧୀନ ସମସ୍ତ ବିଧାନସଭା ଆସନଗୁଡ଼ିକ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ସଂଗ୍ରହ କରିଛନ୍ତି। ଆସନ୍ତାକାଲି ସେ ଭୁବନେଶ୍ବର ଆସିବା ପରେ କମିଟି ପକ୍ଷରୁ ପ୍ରାର୍ଥୀ ତାଲିକାର ପ୍ରାଥମିକ ତର୍ଜମା କରାଯିବ। ସେହି ତାଲିକାକୁ କମିଟି ପିଇସିକୁ ହସ୍ତାନ୍ତର କରିବ। ପିଇସି ପକ୍ଷରୁ ଏହାକୁ ତର୍ଜମା କରିବା ପରେ ପିସିସିକୁ ହସ୍ତାନ୍ତର କରିବ। ପ୍ରାର୍ଥୀ ତାଲିକା ଉପରେ ମୋହର ମାରିବ ପିସିସି। ଏଭଳି ସୂଚନା କଂଗ୍ରେସ କାର୍ଯ୍ୟାଳୟ ସୂତ୍ରରୁ ମିଳିଛି।

ସମ୍ବନ୍ଧିତ ଖବର