କଟକ: ନିଆଳିର କଂଗ୍ରେସ ପ୍ରାର୍ଥୀ ଜ୍ୟୋତିରଞ୍ଜନ ମଲ୍ଲିକଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯାଇଛି। ଭୋଟର ତାଲିକାରେ ନାଁ ନଥିବାରୁ ଏବଂ ଫର୍ମ ଏ ଓ ବି ଦାଖଲ କରି ନଥିବାରୁ ଆଜି ଯାଞ୍ଚ ସମୟରେ ତାଙ୍କର ପ୍ରାର୍ଥିପତ୍ର କାଟ୍ ଖାଇଛି। କିନ୍ତୁ ଗତକାଲି କଂଗ୍ରେସରୁ ଜ୍ୟୋତିରଞ୍ଜନ ଓ ତାଙ୍କ ମା’ ଗୀତାଞ୍ଜଳି ମଲ୍ଲିକ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ତେଣୁ ଗୀତାଞ୍ଜଳି ଏବେ କଂଗ୍ରେସ ପ୍ରାର୍ଥୀ ହେବାକୁ ଯାଉଛନ୍ତି। କିନ୍ତୁ ଜ୍ୟୋତିରଞ୍ଜନଙ୍କ ନାମ ଭୋଟର ତାଲିକାରେ ନଥିବା ଘଟଣାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜ୍ୟୋତିରଞ୍ଜନ ୨୦୨୨ ପଞ୍ଚାୟତ ନିର୍ବାଚନରେ ନିଆଳି ବ୍ଲକ୍‌ ନୂଆଗାଁ ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ।

Advertisment

ସରପଞ୍ଚ ନିର୍ବାଚନ ସମୟରେ ଯଦି ଭୋଟର ତାଲିକାରେ ନାଁଥିଲା ଓ ସେ ସରପଞ୍ଚଭାବେ ନିର୍ବାଚିତ ହେଲେ, ତାହେଲେ ଏବେ କିପରି ତାଙ୍କ ନାମ ଭୋଟର ତାଲିକାରେ ନାହିଁ ବୋଲି ତାଙ୍କ ସମର୍ଥକମାନେ ପ୍ରଶ୍ନ ଉଠାଇଛନ୍ତି। ୨୦୨୨ ପଞ୍ଚାୟତ ନିର୍ବାଚନରେ ଭୋଟର ତାଲିକାରେ ନାଁ ଥିଲା, ୨୦୨୩ରେ ବି ନାଁ ରହିଥିଲା। କିନ୍ତୁ ୨୦୨୪ ଜାନୁଆରିରେ ଯେଉଁ ଭୋଟର ତାଲିକା ପ୍ରକାଶ ପାଇଛି ସେଥିରେ ପରିବାରର ସମସ୍ତ ସଦସ୍ୟଙ୍କ ନାଁ ଥିଲେ ବି କେବଳ ଜ୍ୟୋତିରଞ୍ଜନଙ୍କ ନାଁ କଟି ଯାଇଛି। ତାଙ୍କର ଅନ୍ୟ ଏକ ଭୋଟର ପରିଚୟପତ୍ର ତାଙ୍କ ଗାଁ ଟାମ୍ପଡାରେ ମଧ୍ୟ ଥିଲା। ସେଠାରୁ ମଧ୍ୟ ଭୋଟର ତାଲିକାରୁ ତାଙ୍କ ନାମ କଟିଯାଇଛି। ଜାଣିଣୁଣି କଂଗ୍ରେସ ପ୍ରାର୍ଥୀଙ୍କର ନାଁ ଭୋଟର ତାଲିକାରୁ କାଟି ଦିଆଯାଇଛି। କଂଗ୍ରେସ ପ୍ରାର୍ଥୀଙ୍କର ବିଜୟ ନିଶ୍ଚିତ ଥିଲା। କିନ୍ତୁ ଭୋଟର ତାଲିକାରୁ ନାଁ କଟିବା ଘଟଣା ଏବେ ଆଶ୍ଚର୍ଯ୍ୟ ଲାଗୁଛି। ଏଥିପାଇଁ ବଡଧରଣର ଷଡଯନ୍ତ୍ର ହୋଇଛି। ଏହାକୁ ନେଇ କଂଗ୍ରେସ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ସୂଚନା ଦେଇଛନ୍ତି।

ଜ୍ୟୋତିରଞ୍ଜନ ହେଉଛନ୍ତି ୨୦୦୯ରେ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିବା ଆର୍ତ୍ତତ୍ରାଣ ମଲ୍ଲିକଙ୍କ ପୁଅ। ସେହି ସମୟରେ ଆର୍ତ୍ତତ୍ରାଣ ୪୦ ହଜାରରୁ ଅଧିକ ଭୋଟ ପାଇଥିଲେ। ଅନ୍ୟପଟେ ମାହାଙ୍ଗା ଓ ସ‌ାଲେପୁରରେ ପ୍ରାର୍ଥିପତ୍ର ଦାଖଲ କରିଥିବା ସମସ୍ତଙ୍କ ପ୍ରାର୍ଥିପତ୍ର କାଏମ ରହିଛି। ମାହାଙ୍ଗାରୁ ୧୩ଜଣ, ସାଲେପୁରରୁ ୧୦ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।