ଗୁଳିମାଡ଼ରେ ଗୁରୁତର ମନୋଜ ମୃତ, ହତ୍ୟା ମାମଲା ରୁଜୁ, ତନାଘନା ଜାରି
ମଦ ବ୍ୟବସାୟ, ପୂର୍ବ ଶତ୍ରୁତା ସନ୍ଦେହ, ଦୁର୍ବୃତ୍ତ ବ୍ୟବହାର କରିଥିଲେ ଲୁଟ୍ ବାଇକ୍
ବ୍ରହ୍ମପୁର/ଆସିକା : ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଗୁରୁତର ହୋଇଥିବା ଆସିକା ବିଧାନସଭା ପ୍ରାର୍ଥୀ ମନୋଜ ଜେନାଙ୍କ ଭୁବନେଶ୍ବର ସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହି ଘଟଣା ପ୍ରଚାର ହେବା ପରେ ଆସିକା ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି। ଭୁବନେଶ୍ବରରେ ଶବ ବ୍ୟବଚ୍ଛେଦ ପରେ ମର ଶରୀର ଆସିକା ଅଣାଯାଇଛି। ପରିବାର ବର୍ଗ ଶେଷ ଦର୍ଶନ କରିବା ପରେ ଋଷିକୁଲ୍ୟା ନଦୀପଠାରେ ଅନ୍ତିମ ସଂସ୍କାର କରାଯାଇଛି। କିଛି ଦୁର୍ବୃତ୍ତ ମନୋଜଙ୍କୁ ଗୁଳିମାଡ଼ କରି ତାଙ୍କ ତଣ୍ଟିକୁ ଛୁରୀରେ କାଟି ଦେଇଥିଲେ। ଏହି ଘଟଣାରେ ପୁଲିସ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଥିଲା। ମନୋଜଙ୍କ ମୃତ୍ୟୁ ପରେ ଏହା ହତ୍ୟା ମାମଲାରେ ପରିଣତ ହୋଇଛି। ସେପଟେ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ବ୍ରହ୍ମପୁର ପୁଲିସ ଉଦ୍ୟମ ଜାରି ରଖିଛି। ମନୋଜଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ଏହି ହତ୍ୟାକାଣ୍ଡ ପଛରେ ପୂର୍ବ ଶତ୍ରୁତା ରହିଥିବା ନେଇ ପୁଲିସ ସ୍ପଷ୍ଟ କରିଛି। ବ୍ରହ୍ମପୁର ପୁଲିସର ଏକ ଟିମ୍ ଆସିକା ଯାଇ ବିଭିନ୍ନ ଦିଗରେ ତଦନ୍ତ କରୁଛି।
ମନୋଜ ଗତ ୨୨ତାରିଖ ରାତିରେ ତାଙ୍କର ୩ଜଣ ସହଯୋଗୀଙ୍କ ସହିତ ଏକ କାର୍ରେ ଭୁବନେଶ୍ବରରୁ ଫେରୁଥିଲେ। ସେମାନେ ଗୋପାଳପୁର ଜଙ୍କସନ୍ ଦେଇ ଜାତୀୟ ରାଜପଥରେ ବ୍ରହ୍ମପୁର ପଟେ ଆସୁଥିଲେ। ଲାଞ୍ଜିପଲ୍ଲୀ ବାଇପାସ୍ ନିକଟରେ ପରିସ୍ରା କରିବା ପାଇଁ ଗାଡ଼ି ରଖିଥିଲେ। ମନୋଜ ଓ ତାଙ୍କର ସହଯୋଗୀ ଅନୀଲ ସ୍ବାଇଁ କାର୍ରୁ ଓହ୍ଲାଇଥିଲେ। ଏହି ସମୟରେ ହଠାତ ଦୁଇଟି ବାଇକ୍ରେ ୪ଜଣ ଦୁର୍ବୃତ୍ତ ଆସି ମନୋଜଙ୍କୁ କାବୁ କରି ତାଙ୍କର ତଣ୍ଟିକୁ ଏକ ଛୁରୀରେ କାଟି ଦେଇଥିଲେ। ଏହା ସହିତ ଅତି ନିକଟରୁ ତାଙ୍କୁ ୩ରାଉଣ୍ଡ ଗୁଳି ଫୁଟାଇ ଚମ୍ପଟ ମାରିଥିଲେ। ଏଥିରେ ସହଯୋଗୀ ଅନୀଲ ମଧ୍ୟ ଆହତ ହୋଇଥିଲେ। ଏହାପରେ ଗୁରୁତର ଅବସ୍ଥାରେ ମନୋଜଙ୍କୁ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ଟାଉନ୍ ଏସ୍ଡିପିଓ ବିଷ୍ଣୁପ୍ରସାଦ ପତି ସୂଚନା ଦେଇଛନ୍ତି। ଏହି ଘଟଣାରେ ବୈଦ୍ୟନାଥପୁର ଥାନାରେ କେସ୍ ନମ୍ବର ୧୦୧/୧୯ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ଘଟଣା ଦିନ ଗୋଳନ୍ଥରା ଚଟି ନିକଟରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଚାଳକ ଫେରାର୍ ହୋଇ ଯାଇଥିବା ବେଳେ ପୁଲିସ ସେଠାରୁ ଏକ ମାଉଜର ଜବତ କରିଥିଲା। ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଯୁବକମାନେ ଗୁଳିକାଣ୍ଡ ଘଟାଇଥିବା ନେଇ ପୁଲିସ ସନ୍ଦେହ କରିଥିଲା। ଜବତ ବାଇକ୍ ନମ୍ବର ଯାଞ୍ଚ ପରେ ତାହା ଲୁଟ୍ ଗାଡ଼ି ବୋଲି ଜଣାପଡ଼ିଥିଲା। ଗାଡ଼ିର ମାଲିକଙ୍କୁ ପୁଲିସ ଡକାଇ ବାଇକ୍ ଲୁଟ୍ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିଛି। ସେହି ତଥ୍ୟକୁ ଭିତ୍ତି କରି ବାଇକ୍ ଲୁଟ୍ କରିଥିବା ଅଭିଯୁକ୍ତକୁ ପୁଲିସ ଚିହ୍ନଟ କରି ସାରିଛି। ସେହି ବାଇକ୍ ବ୍ୟବହାର କରି ଗୁଳିମାଡ଼ କରିଥିବା ଅଭିଯୁକ୍ତ ମଧ୍ୟ ଚିହ୍ନଟ ହୋଇ ସାରିଥିବା ନେଇ ପୁଲିସ କହିଛି। ଏହି ଘଟଣା ପଛରେ ଆସିକା ଅଞ୍ଚଳର ଅପରାଧୀଙ୍କ ହାତ ରହିଥିବା ନେଇ ଅନୁମାନ କରାଯାଉଛି। ଆସିକାରେ ବିଭିନ୍ନ ଛକରେ ପୁଲିସ ଫୋର୍ସ ମୁତୟନ କରାଯାଇ ଯାଞ୍ଚ କଡ଼ାକଡ଼ି କରାଯାଇଛି। ପୂର୍ବ ଶତ୍ରୁତା ଓ ମଦ ବ୍ୟବସାୟ ଭଳି ବିଭିନ୍ନ କାରଣକୁ ଆଖି ଆଗରେ ରଖି ପୁଲିସ ତଦନ୍ତ ଜାରି ରଖିଛି। ଖୁବ ଶୀଘ୍ର ଏ ଦିଗରେ ପୁଲିସକୁ ସଫଳତା ମିଳିବ ବୋଲି ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ସୂଚନା ଦେଇଛନ୍ତି।