ରାଲିରେ ସାମିଲ ଛତିଶଗଡ଼ ନେତା : ପ୍ରଥମ ଦିନରେ ପ୍ରାର୍ଥିପତ୍ର ଦାଖଲ କଲେ ମାଲା ମାଢ଼ି

ମାଲକାନଗିରି : ଓଡ଼ିଶାରେ ସାଧାରଣ ଓ ବିଧାନସଭା ନିର୍ବାଚନ ଏକାସଙ୍ଗେ ହେବ। ଏଥିପାଇଁ ଆଜି ବିଧିବଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ପ୍ରଥମ ଦିନରେ କଂଗ୍ରେସ ପ୍ରାର୍ଥୀ ମାଲା ମାଢ଼ି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ମାଲକାନଗିରି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥିପତ୍ର ଦେଇଛନ୍ତି। ହଜାର ହଜାର ସମର୍ଥକଙ୍କୁ ନେଇ ଆଜି ସକାଳେ ମାଲା ମାଢ଼ି ମାଲକାନଗିରି ପହଞ୍ଚିଥିଲେ। ମାଲକାନଗିରି ସହର ପରିକ୍ରମା କରିବା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ନାମାଙ୍କନ ପତ୍ର ଦାଖଲ ସମୟରେ ଛତିଶଗଡର ଆଦିବାସୀ ଉନ୍ନୟନ ମନ୍ତ୍ରୀ କାବାସି ଲାଖମା ମଧ୍ୟ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, କଂଗ୍ରେସ ପକ୍ଷରୁ ଆଜି ସୁଦ୍ଧା ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇ ନାହିଁ। ଅପରପକ୍ଷରେ ବର୍ଷକ ତଳେ ମାଲା ମାଢ଼ିଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯିବ ବୋଲି ଘୋଷଣା କରାଯାଇଥିଲା। ଏଥିପାଇଁ ଆଜି ସେ ନାମାଙ୍କନ ଦାଖଲ କରିଥିବା ବେଳେ ଦଳ ଟିକଟ ଦେବାପରେ ତାହାକୁ ନିଜ ନାମାଙ୍କନରେ ସଂଯୋଗ କରିବେ ବୋଲି ଜଣାପଡ଼ିଛି। ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ବରେ କାର୍ଯ୍ୟକାରୀ ସଭାପତି ରାମ ପ୍ରସାଦ ପଟନାୟକ, ପେଣ୍ଡ୍ରା ପଣ୍ଡା, ପର୍ଶୁରାମ ଭକ୍ତ, କେଶୁ ରାଓ, ଚେଟ୍ଟି ବାବୁ, ଲକ୍ଷ୍ମୀପ୍ରିୟା ନାୟକ, କମଳା ବରାଳ, ଚୈତନ ଚୌଧୁରୀ, ଏମ.କେ.ଫାରୁକ, ପ୍ରାଣକୃଷ୍ଣ ମଣ୍ଡଳ, ସମରା ଅନୁଗୁ, ବିନାୟକ ପାତ୍ର, ପ୍ରଭାକର ପାଳ, ଲକ୍ଷ୍ମୀନାଥ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପଟେ ଆଜି ଛତିଶଗଡ଼ର ନେତାଙ୍କ ଉପସ୍ଥିତି ନିର୍ବାଚନ ସମୀକରଣକୁ ଭିନ୍ନ ମୋଡ଼କୁ ଦେଇଛି। ଗତ ଥର ଅଳ୍ପ ଭୋଟ ବ୍ୟବଧାନରେ ମାଲା ମାଢ଼ି ପରାଜୟ ହୋଇଥିବାରୁ ଏଥର କଡ଼ା ଟକ୍କର ଦେବେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର