ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ବଳିଦାନ ଦିବସକୁ କିଷାନ ଅଧିକାର ଦିବସ ଭାବେ ପାଳିଲା କଂଗ୍ରେସ

ବାରିପଦା : ୧୯୮୪ ଅକ୍ଟୋବର ୩୧ରେ ନିଜର ଦେହରକ୍ଷୀଙ୍କ ଗୁଳିରେ ଆତ୍ମବଳୀଦାନ ଦେଇଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ । କଂଗ୍ରେସ ପକ୍ଷରୁ ଉକ୍ତ ଦିବସକୁ ବଳିଦାନ ଦିବସ ଭାବେ ପାଳନ କରାଯାଇ ଆସୁଥିବା ବେଳେ ଚଳିତ ବର୍ଷ ଏହାକୁ କିଷାନ ଅଧିକାର ଦିବସ ଭାବେ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କମିଟି ସଭାପତି ହେମନ୍ତ ଦାସଙ୍କ ନେତୃତ୍ୱରେ କଂଗ୍ରେସର ଜିଲ୍ଲା କାର୍ଯ୍ୟାଳୟରେ କଂଗ୍ରେସର ନେତା ଓ କର୍ମୀମାନେ ସ୍ୱର୍ଗତ ଇନ୍ଦିରାଗାନ୍ଧୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ଭକ୍ତିପୁତ ଶ୍ରଦ୍ଧା ସୁମନ ଅର୍ପଣ କରିବା ପରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୁ ସମ୍ମୁଖରେ ପୂର୍ବାହ୍ନ ସାଢ଼େ ୧୧ରୁ ମଧ୍ୟାହ୍ନ ଦେଢ଼ଟା ପର୍ଯ୍ୟନ୍ତ ଏକ ସଭାର ଆୟୋଜନ ମାଧ୍ୟମରେ ବଳିଦାନ ଦିବସକୁ କିଷାନ ଅଧିକାର ଦିବସ ଭାବେ ପାଳନ କରାଯାଇଥିଲା ।

ଏଥିରେ ପୂର୍ବତନ ସାଂସଦ ସୁଶୀଳା ତିରିଆ, ପୂର୍ବତନ ମନ୍ତ୍ରୀ ସରସ୍ୱତୀ ହେମ୍ବ୍ରମ, ବରିଷ୍ଠ ନେତା ବିଜନ ଦାସ, ଜ୍ୟୋତିପ୍ରକାଶ ରଥ, ଯୋଗେଶ ଅଗ୍ରୱାଲା, ଅଶୋକ ଅଧିକାରୀ, ଅରବିନ୍ଦ ଦାସ, ଜିଲ୍ଲା ମହିଳା ମୋର୍ଚ୍ଚା ନେତ୍ରୀ ସସ୍ମୀତା ଘୋଷାଲ, ପ୍ରଦୀପ ମିଶ୍ର, ଶାନ୍ତନୁପାଲ, ଦଶରଥ ସିଂ, ସୁଶାନ୍ତ ବିଶ୍ୱାଳ, ମୀନକେତନ ବେହେରା, ସେକ ମୁସ୍ତାଫା, ତୁଷାର ବେହେରା, ସୁରେନ୍ଦ୍ର ମହାନ୍ତ, ବିଜୟ ସିଂ, ସୁବାଷ ପାତ୍ର, ନିର୍ମଳ ଚନ୍ଦ୍ର ପ୍ରଧାନ, ମୂରଲୀ ନାଏକ, ଶଶଧର ମହାପାତ୍ର, ହିତେନ୍ଦ୍ରଲାଲ ସାହୁ, ରବୀନାରାୟଣ ପରିଡ଼ା, ଚାଣ୍ଡ ମହାନ୍ତ, ଇତିଶ୍ରୀ ମିଶ୍ର, ଇନ୍ଦୁମତୀ ମହାନ୍ତି, ସୁନୀତା ବାରିକ, ରଶ୍ମୀତା ମିଶ୍ର, ବୁଧୁନୀ ମହାନ୍ତ, ଅଞ୍ଜନୀ ମହାନ୍ତ, ରିତୁ ସିଂ, ଗୌରୀ ମହାନ୍ତ ପ୍ରମୁଖ ଯୋଗ ଦେଇ ପାର୍ଲିଆମେଣ୍ଟରେ ଗତ ମୌସୁମୀ ଅଧିବେଶନରେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ ବିଜେପି ସରକାରରେ ଅଗଣତାନ୍ତ୍ରିକ ଭାବେ ପାରିତ କରାଇ ନେଇଥିବା କୃଷି ବିଧେୟକକୁ କୃଷକ ମାରଣ ବିଧେୟକ ବୋଲି ଦର୍ଶାଇ ନିଜ ନିଜର ମତ ବକ୍ତ କରିଥିଲେ । ଏଥି ସହିତ କେନ୍ଦ୍ର ସରକାରଙ୍କ କୃଷି ବିଲ କୃଷକ ମାରଣ ବିଲ ହୋଇଥିବାରୁ ଏହାକୁ କଂଗ୍ରେସ ବିରୋଧ କରିବା ସହ ଏହାକୁ ତୁରନ୍ତ ପ୍ରତ୍ୟାହାର ନିମନ୍ତେ ଦାବି କରିଥିଲେ ।

ସେହିପରି କେନ୍ଦ୍ର ସରକାର ଶିଳ୍ପପତି ଓ ପୁଞ୍ଜିପତିମାନଙ୍କ ହାତରେ ସଖୀ କଣ୍ଢେଇ ସାଜି ସେମାନଙ୍କ ସ୍ୱାର୍ଥ ସାଧନ ନିମନ୍ତେ ଶ୍ରମ ବିଲ ସଂଶୋଧନ କରିବା ସାଙ୍ଗକୁ ନୂତନ ଶ୍ରମକୋଡ଼ ଆଣିଛନ୍ତି । ଯେଉଁଥିରେ ବିଭିନ୍ନ ଶିଳ୍ପ, କଳକାରଖାନାମାନଙ୍କରେ କାର୍ଯ୍ୟକରୁଥିବା କୋଟି କୋଟି ଶ୍ରମିକମାନଙ୍କ ସାମୂହିକ ସ୍ୱାର୍ଥକୁ ଜଳାଞ୍ଜଳୀ ଦେଇ ଶିଳ୍ପପତିମାନଙ୍କୁ ସୁହାଇବା ଭଳି ବିଲ ପାଶ କରାଇଛନ୍ତି । ତେଣୁ ଏ ପ୍ରକାରର ଶ୍ରମିକ ବିରୋଧୀ ବିଲକୁ ମଧ୍ୟ ପ୍ରତ୍ୟାହାର କରାଯାଇ ଶ୍ରମିକମାନଙ୍କ ସ୍ୱାର୍ଥ ସାଧନ ନିମନ୍ତେ ନୂତନ ବିଲ ଆଣିବା ନିମନ୍ତେ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । କେନ୍ଦ୍ର ସରକାରଙ୍କ ଭୂଲ ନୀତି ଓ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ନେତୃତ୍ୱରେ ପରିଚାଳିତ ବିଜେଡ଼ି ସରକାରଙ୍କ କେନ୍ଦ୍ରର ଗୋଡ଼ାଣିଆ ନୀତି ପାଇଁ ବେକାରୀ ସମସ୍ୟା ଉତ୍କଟ ପରିସ୍ଥିତିରେ ପହଁଞ୍ଚିଛି । ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇ ସରକାରଙ୍କ ହାତରୁ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ଫଳରେ ଧନୀ, ଗରୀବ, ମଧ୍ୟବିତ୍ତ, ଖଟିଖିଆ ଓ ଦିନମଜୁରୀଆ ନିଜର ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି ବୋଲି କଂଗ୍ରେସର ନେତାମାନେ ମତପୋଷଣ କରିଥିଲେ ।

ସେହିପରି ଆଜିର ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଦଳର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବା ସାଙ୍ଗକୁ ଗାନ୍ଧୀ ପରିବାରର ତ୍ୟାଗ ଓ ବଳିଦାନକୁ ଆଧାର କରି କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଳ ଗାନ୍ଧୀ ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ମୟୂରଭଞ୍ଜ ଯୁବ ବିଜେଡ଼ି ଦଳର ଉପସଭାପତି ତଥା ବଡ଼ସାହି ଅଞ୍ଚଳର ସଞ୍ଜୟ ସେଠୀ ବିଜେଡ଼ି ତ୍ୟାଗ କରି ତାଙ୍କର ୪୦ରୁ ଅଧିକ ସମର୍ଥକମାନଙ୍କ ସହ ଆଜି କଂଗ୍ରେସ ଦଳରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସ ପ୍ରମୁଖଙ୍କ ସମେତ ଅନ୍ୟ ନେତାମାନେ ନବାଗତମାନଙ୍କୁ ଉତ୍ତରୀୟ ଓ କଂଗ୍ରେସ ଟୋପି ପିନ୍ଧାଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ପାଛୋଟି ନେଇଥିବା ସମୟରେ ଶ୍ରୀସେଠୀ ବିଜେଡ଼ିର ହାଇକମାଣ୍ଡ ତଥା ମୁଖ୍ୟମନ୍ତ୍ରୀ ନବୀନ ହାତଗଣତି ୮/୯ ବିଧାୟକକୁ ବାଦ ଦେଇ ଅନ୍ୟମାନଙ୍କ ନାମ ଦୂରର କଥା ସେମାନଙ୍କୁ ଚିହ୍ନି ନାହାନ୍ତି । ମୁଖ୍ୟମନ୍ତ୍ରୀ ନବୀନ କିଛି ବୁଝୁ ନ ଥିବା ବେଳେ ଦଳକୁ ଜଣେ ଅଣଓଡ଼ିଆ ପରିଚାଳନା କରୁଛନ୍ତି । ବିଜେଡ଼ିର ୨୦ ବର୍ଷ ଶାସନ ଭିତରେ ମୟୂରଭଞ୍ଜରେ ସାମଗ୍ରିକ ବିକାଶ ବାଧାପ୍ରାପ୍ତ ହୋଇଛି । ଜନତାଙ୍କ ସେବା କରିବା ମନବୃତ୍ତି ନେଇ ଦଳରେ ଥିଲେ, ମାତ୍ର ତାଙ୍କ କଥା କେହି ଶୁଣୁ ନ ଥିଲେ । ସେହିଭଳି ଦଳରେ ଥାଇ ନିଜକୁ ଅଣନିଶ୍ୱାସୀ ଅନୁଭବ କରୁଥିଲେ । ଆଜି ମୁକ୍ତି ପାଇଛନ୍ତି ବୋଲି ଶ୍ରୀସେଠୀ ପ୍ରକାଶ କରିଥିଲେ ।

ସମ୍ବନ୍ଧିତ ଖବର