କଂଗ୍ରେସ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ୭୨ତମ ମହାପ୍ରୟାଣ ଦିବସ : ଏକତା କଂଗ୍ରେସର ପୁଞ୍ଜି

ଭୁବନେଶ୍ୱର : ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୨ତମ ମହାପ୍ରୟାଣ ଦିବସ ଆଜି କଂଗ୍ରେସ ଭବନଠାରେ ପାଳିତ ହୋଇଛି। ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ଗାନ୍ଧୀ ପାର୍କଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ପିସିସି କାର୍ଯ୍ୟାଳୟଠାରେ ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହ ଏକତା ସମ୍ମିଳନୀରେ ଅଧ୍ୟକ୍ଷତା କରି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଲେ ଏକତା କଂଗ୍ରେସର ପୁଞ୍ଜି। ଯେତେବେଳେ ଦେଶର ଅଖଣ୍ଡତା, ଭାଇଚାରା, ସାମ୍ବିଧାନିକ ସଙ୍କଟ ସୃଷ୍ଟି ହୋଇଛି ସେତେବେଳେ କଂଗ୍ରେସ ଏକଜୁଟ ହୋଇ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଲଢେଇ କରିଛି। ବିଜେପିର ଏ ଷଡଯନ୍ତ୍ର ବିରୁଦ୍ଧରେ ସମସ୍ତ କଂଗ୍ରେସ କର୍ମୀ ଆଗେଇ ଆସିବାକୁ ସେ ଆହ୍ୱାନ କରିଥିଲେ।

ବୈଠକରେ କଂଗ୍ରେସ ନେତା ପଦ୍ମାକର ଗୁରୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ, ପ୍ରାକ୍ତନ ପିସିସି ସଭାପତି ଜୟଦେବ ଜେନା, କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ, ଏଆଇସିସି ସମ୍ପାଦକ ଶରତ ରାଉତ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଅନନ୍ତ ପ୍ରସାଦ ସେଠୀ ପ୍ରମୁଖ ଯୋଗଦେଇ ଗାନ୍ଧିଜୀଙ୍କ ତ୍ୟାଗ, ବଳିଦାନ ଓ ଅହିଂସା ଉପରେ ଆଲୋକପାତ କରିଥିଲେ। ଅପରାହ୍ନରେ ସିଏଏ, ଏନ୍‌ପିଆର, ଏନ୍‌ଆରସି ଉପରେ ଶୁଭେନ୍ଦୁ ମହାନ୍ତିଙ୍କ ସଭାପତିତ୍ୱରେ କଂଗ୍ରେସ ଭବନରେ ଏକ କର୍ମଶାଳା ଆୟୋଜିତ ହୋଇଥିଲା। ବିଭିନ୍ନ ଜିଲ୍ଲାରୁ ଆସି ଯୋଗ ଦେଇଥିବା ପ୍ରତିନିଧିମାନଙ୍କୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସମେତ ଜୟଦେବ ଜେନା, ପଞ୍ଚାନନ କାନୁନ୍‌ଗୋ, ଅନନ୍ତ ପ୍ରସାଦ ସେଠୀ, ଗଣେଶ୍ୱର ବେହେରା, ସୁଦର୍ଶନ ଦାସ, ବିସ୍ମୟ ମହାପାତ୍ର, ଅଭିଷେକ ମହାନନ୍ଦ ପ୍ରମୁଖ ଉପରୋକ୍ତ ତିନୋଟି ପ୍ରସଙ୍ଗ ଉପରେ ସବିଶେଷ ତଥ୍ୟ ଓ ଦେଶବାସୀଙ୍କ ଉପରେ କୁପ୍ରଭାବ ବିଷୟରେ ସଚେତନ କରାଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ, ରାମଚନ୍ଦ୍ର ଖୁଣ୍ଟିଆ, ଶିବାନନ୍ଦ ରାୟ, ଉମାବଲ୍ଲଭ ରଥ, ଅଂଶୁମାନ ମହାନ୍ତି, ଦେବେନ୍ଦ୍ରନାଥ ଶର୍ମା, ଚିନ୍ମୟ ପ୍ରସାଦ ବେହୁରା, ଆକବର ଅଲ୍ଲୀ, ରଶ୍ମି ମହାପାତ୍ର, ଜାନକୀ ବଲ୍ଲଭ ପଟ୍ଟନାୟକ, ଚିନ୍ମୟ ସୁନ୍ଦର ଦାସ, ସତ୍ୟବ୍ରତ ନାୟକ, ବନ୍ଦିତା ପରିଡା, ଶୁଭଶ୍ରୀ ପଣ୍ଡା, ଜ୍ଞାନଦେବ ବେହୁରା, ମନୋରଞ୍ଜନ ଦାଶ, ରାଜୀବ ପଟ୍ଟନାୟକ, ହଳଧର ସେଠୀ, ଅମୀୟ ପଟ୍ଟନାୟକ, ସ୍ୱାଧିନବାଳା ଦାସ, ନିଶିକାନ୍ତ ମିଶ୍ର, ଜିନେଶ ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ସମ୍ବନ୍ଧିତ ଖବର