ଭୁବନେଶ୍ୱର : ୪ ବର୍ଷ ତଳେ ପ୍ରଧାନମନ୍ତ୍ରୀ ମୋଦୀ ସରକାରଙ୍କ ବିମୁଦ୍ରାୟନ ଯୋଗୁଁ ଦେଶର ଅର୍ଥନୀତି ଭୁଶୁଡ଼ି ପଡ଼ିଛି। ଯେଉଁ କାରଣ ପାଇଁ ଏହା କରାଯାଇଥିଲା ତାହା କେବଳ କଥାରେ ରହିଛି। ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା ବିମୁଦ୍ରାୟନକୁ ନେଇ ଏପରି ସମାଲୋଚନା କରିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ। ଅନ୍ୟ ପଟେ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଆଜିର ଦିନଟି ବିଶ୍ବାସଘାତ ଦିବସ ଭାବେ କଂଗ୍ରେସ ପାଳନ କରୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି, ୨୦୧୬ ନଭେମ୍ବର ୮ ତାରିଖ ରାତି ୮ଟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ୫ ଶହ ଟଙ୍କିଆ ୧ ହଜାର ଟଙ୍କିଆ ନୋଟ୍ ଅଚଳ ନେଇ ଘୋଷଣା କରିଥିଲେ। ଘୋଷଣା ଅନୁଯାୟୀ, ସେହିଦିନ ମଧ୍ୟରାତ୍ରିରୁ ଉଭୟ ନୋଟ ଅଚଳ ହୋଇଗଲା। ବିମୁଦ୍ରାୟନ ଘୋଷଣା ସମୟରେ ମୋଦୀ ଯେଉଁ ୪ଟି ପ୍ରମୁଖ କାରଣ ଦର୍ଶାଇଥିଲେ, ସେଗୁଡ଼ିକ ଥିଲା କଳାଧନ ଉପରେ ଅଙ୍କୁଶ, ଜାଲ୍ନୋଟ୍ କାରବାର ବନ୍ଦ, ନକ୍ସଲବାଦ କାର୍ଯ୍ୟକଳାପ ଓ ଆତଙ୍କବାଦୀ କାର୍ଯ୍ୟକଳାପ ଲୋପ ପାଇବ। ମାତ୍ର ଏ ସମସ୍ତ କଥା କେବଳ କଥାରେ ହିଁ ସୀମିତ ରହିଯାଇଛି। ପ୍ରଧାନମନ୍ତ୍ରୀ ଯାହା ପ୍ରତିଶ୍ରୁତି ଦେଇଥିଲେ, ତାର ସୁଫଳ ତ ଲୋକେ ପାଇଲେନି କିନ୍ତୁ ନଗଦ ଟଙ୍କା ଦେଣନେଣର ଅଭାବ ହେତୁ କଳକାରଖାନା ଓ ଉଦ୍ୟୋଗ ଜଗତ କ୍ଷତିଗ୍ରସ୍ତ ହେଲା। ଫଳରେ ଦେଶରେ ବେରୋଜଗାରୀ ଭୟଙ୍କର ଭାବରେ ବଢ଼ି ଚାଲିଲା। ବିଶେଷ ଭାବରେ ମଧ୍ୟବିତ୍ତ, ନିମ୍ନମଧ୍ୟବିତ୍ତ ଓ ଗରିବଶ୍ରେଣୀର ଲୋକ ଭୟଙ୍କର ଭାବେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହୋଇଥିଲେ। ହଜାର ହଜାର କଳକାରଖାନା ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗ ଜଗତ ଉପରେ ଏହାର ନକାରାତ୍ମକ ପ୍ରଭାବ ହେତୁ ଦେଶରେ କୋଟି କୋଟି ଲୋକ ନିଜର ରୋଜଗାର ହରାଇଥିଲେ। ଏବେ ସୁଦ୍ଧା ମୋଦୀ ସରକାର ଦେଶର ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍କୁ ଆଣିବା ପାଇଁ ସକ୍ଷମ ହୋଇନାହାନ୍ତି।
କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର ଅଭିଯୋଗ କରି କହିଛନ୍ତି, ବିମୁଦ୍ରାୟନ ଯେଉଁ ଉଦ୍ଦେଶ୍ୟ ରଖି କରାଯାଇଥିଲା ସେ ଉଦ୍ଦେଶ୍ୟ ସାଧିତ ହୋଇନାହିଁ। ଅଥଚ ବିଗତ ୪ ବର୍ଷ ଧରି ଦେଶର ଅର୍ଥ ବ୍ୟବସ୍ଥା କ୍ରମାଗତ ଭାବେ ଧୂଳିସାତ ହୋଇଯାଇଛି। ୨୦୧୪ ମସିହାରେ କେନ୍ଦ୍ରରେ କଂଗ୍ରେସ କ୍ଷମତାକୁ ଆସିବା ସମୟରେ ଦେଶର ଘରୋଇ ସକଳ ଉତ୍ପାଦ (ଜିଡିପି) ପ୍ରାୟ ୮% ଥିଲା। ନୋଟ୍ବନ୍ଦୀ ଫଳରେ ଏହା ହ୍ରାସ ପାଇ ୨୦୧୯ ମାର୍ଚ୍ଚ ମାସରେ ୩%କୁ ଚାଲିଆସିଲା। କରୋନା ପରବର୍ତ୍ତୀ ଅବସ୍ଥାରେ ଏହା ବିଯୁକ୍ତ ୨୩%ରେ ପହଞ୍ଚିଲାଣି। ବିମୁଦ୍ରାୟନ ପରେ କଳାଧନ ଓ ଜାଲ୍ନୋଟ୍ କାରବାର ବନ୍ଦ ହେବା ପରିବର୍ତ୍ତେ ଯଥେଷ୍ଟ ବୃଦ୍ଧି ପାଇଛି। ନୋଟ୍ବନ୍ଦୀ ବେଳେ ଦେଶରେ ଚଳନ୍ତି ୫ ଶହ ଓ ୧ ହଜାର ଟଙ୍କିଆ ନୋଟ୍ ପରିମାଣ ୧୫ ଲକ୍ଷ ୪୪ ହଜାର କୋଟି ଥିଲା। ସେଥିରୁ ୯୯.୩% ଅର୍ଥାତ୍ ୧୫ ଲକ୍ଷ ୩୩ ହଜାର କୋଟି ଟଙ୍କା ରିଜର୍ଭ୍ ବ୍ୟାଙ୍କକୁ ଫେରିଆସିଲା। ମାତ୍ର ୧୧ ହଜାର କୋଟି ଟଙ୍କା ବ୍ୟାଙ୍କ ବ୍ୟବସ୍ଥାକୁ ଫେରିନଥିଲା। ସେହିପରି ନୂଆ ନୋଟ୍ ଛାପିବା ଓ ବିମୁଦ୍ରାୟନ ପରବର୍ତ୍ତୀ ପଦକ୍ଷେପ ନେବାରେ ରିଜର୍ଭ ବ୍ୟାଙ୍କ ୨୧ ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏଭଳି ପଦକ୍ଷେପ ଦ୍ବାରା ଦେଶର ଅର୍ଥ ବ୍ୟବସ୍ଥା ଉପରେ ମୋଦୀ ସରକାର କୁଠାରଘାତ କରିଥିଲେ। ବିମୁଦ୍ରାୟନ ଯୋଗୁଁ ଦେଶରେ ସାଧାରଣ ଜନତା ବିଶେଷ ଭାବରେ ମଧ୍ୟବିତ୍ତ, ନିମ୍ନମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକ ଭୟଙ୍କର ଭାବେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହୋଇଥିଲେ। ହଜାର ହଜାର କଳକାରଖାନା ଉପରେ ପ୍ରଭାବ ପଡ଼ିବାରୁ କୋଟି କୋଟି ଲୋକ ନିଜର ରୋଜଗାର ହରାଇଲେ। ଲକ୍ଷ ଲକ୍ଷ ଲୋକ ବ୍ୟାଙ୍କରେ ରଖିଥିବା ନିଜ ଟଙ୍କା ପାଇବା ପାଇଁ ଘଣ୍ଟା ଘଣ୍ଟା ଧରି ଉପାସ ଭୋକରେ ଏଟିଏମ୍ ଓ ବ୍ୟାଙ୍କ ସମ୍ମୁଖରେ ଦିନ ଦିନ ଧରି ଧାଡ଼ିବାନ୍ଧି ଠିଆ ହୋଇଥିଲେ। କେବଳ ପୁଞ୍ଜିପତି ଓ କର୍ପୋରେଟ୍ ଜଗତକୁ ଖୁସି କରିବା ପାଇଁ ମୋଦୀ ସରକାର ଏପରି ନିଷ୍ପତ୍ତି ନେଇଥିଲେ। ଏହାସହିତ ବିମୁଦ୍ରାୟନ କରି ନିର୍ବାଚନ ଜିତିବାର ଏକ ସରଳ ଉପାୟ କେନ୍ଦ୍ର ସରକାର ବାଛଥିଲେ ବୋଲି ଶ୍ରୀ ମିଶ୍ର କହିଛନ୍ତି।
ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନ୍ଗୋ ଅଭିଯୋଗ କରିଛନ୍ତି, ବିଗତ ୪ ବର୍ଷ ଧରି ସର୍ବଭାରତୀୟ ସ୍ତରରେ ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶ ଓ ବିହାରରେ ଜାଲ୍ ନୋଟ୍ କାରବାର ଓ ବ୍ୟାଙ୍କ୍ ଠକେଇ ଅଭିଯୋଗରେ ସର୍ବଭାରତୀୟ ସ୍ତରରେ ସବୁଠାରୁ ଆଗରେ ରହିଛନ୍ତି। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଶ୍ରୀ କାନୁନଗୋ କହିଛନ୍ତି, ବିମୁଦ୍ରାୟନ ଭଳି ଅପରିଣାମଦର୍ଶୀ ନିଷ୍ପତ୍ତିକୁ ସେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ ଦେଇଥିଲେ। ନୋଟ୍ବନ୍ଦୀ ପରଠାରୁ ଦେଶରେ ନକ୍ସଲବାଦ, ଆତଙ୍କବାଦ ଓ ଜାଲ୍ନୋଟ୍ କାରବାର ପୂର୍ବାପେକ୍ଷା ବହୁଗୁଣରେ ବଢ଼ିଛି। କେବଳ ଜାଲ୍ ନୋଟ୍ କାରବାର ୧୨୧ ପ୍ରତିଶତକୁ ବୃଦ୍ଧି ପାଇଛି। ଏବେ ଦେଶର ଅର୍ଥବ୍ୟବସ୍ଥା ବାଂଲାଦେଶ ଠାରୁ ବି ପଛରେ ରହିଛି। ଦେଶର ଅର୍ଥନୀତିକୁ ଶକ୍ତିଶାଳୀ ଓ ଗତିଶୀଳ କରିବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ଦୀର୍ଘ ବର୍ଷର ତପସ୍ୟାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଗୋଟିଏ ନିଷ୍ପତ୍ତି ନଷ୍ଟ କରିଦେଇଛି ବୋଲି ଶ୍ରୀ କାନୁନଗୋ ସମାଲୋଚନା କରିଛନ୍ତି।