ଭୁବନେଶ୍ୱର: ବାସ୍ତବ ସ୍ଥିତି ଆକଳନ କରି ଅକ୍ଟୋବର ୩୧ ସୁଦ୍ଧା ଫସଲ କ୍ଷତିଗ୍ରସ୍ତ ଅଞ୍ଚଳକୁ ତୁରନ୍ତ ମରୁଡ଼ି ଘୋଷଣା ଲାଗି ଆଜି ପ୍ରଦେଶ କଂଗ୍ରେସ କୃଷକ ସେଲ୍ ଦାବି କରିିଛି। କୃଷକ ସେଲ୍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଏ ସଂକ୍ରାନ୍ତରେ ରାଜସ୍ୱ ମନ୍ତ୍ରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଏଥିରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପିଚ୍ଛା ୨୦ ହଜାର ଟଙ୍କା ତତ୍କାଳ ସହାୟତା, ଉଠା ଜଳସେଚନ ପଏଣ୍ଟର ତୁରନ୍ତ ବିଦ୍ୟୁତ ସଂଯୋଗ ଓ କାର୍ଯ୍ୟକ୍ଷମ, ବୋର ୱେଲ ସ୍ଥାପନ, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ତ୍ୱରାନ୍ଵିତ, ମାଟିର ଆର୍ଦ୍ରତାଥିବା ଅଞ୍ଚଳରେ ତୈଳବୀଜ ବିହନ ଯୋଗାଣ, କୃଷିଋଣ ଛାଡ, ଗୋ ଖାଦ୍ୟ ଯୋଗାଣ ଆଦି କ୍ଷେତ୍ରରେ ପଦକ୍ଷେପ ନେବା ଲାଗି ଦାବି କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏକ ପ୍ରେସ ବିଜ୍ଞପ୍ତିରେ ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି ଯେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଭୟାନକ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ଅଞ୍ଚଳରେ ପ୍ରାୟ ୩୦ ପ୍ରତିଶତରୁ ଅଧିକ କ୍ଷେତରେ ରୁଆ ବେଉଷଣ ଆଦୌ ହୋଇ ନାହିଁ। ଗତ ଜୁନ୍, ଜୁଲାଇ ସୁଦ୍ଧା କ୍ଷେତରେ ଥିବା ଫସଲ ପରବର୍ତ୍ତୀ ସମୟରେ ବର୍ଷା ହେବା ସତ୍ୱେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଅନ୍ୟପକ୍ଷରେ ବହୁ ଋଣୀ ଓ ଅଣଋଣୀ ଚାଷୀ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଫସଲ ବୀମା ପଞ୍ଜିକରଣରୁ ସମ୍ପୂର୍ଣ୍ଣ ବଞ୍ଚତ ହୋଇଛନ୍ତି।
କଂଗ୍ରେସ କହିଛି, ଗତ ୩ ବର୍ଷ ଧରି ରାଜ୍ୟର ହଜାର ହଜାର ଚାଷୀ ଉଠାଜଳସେଚନ ସୁବିଧା ପାଇଁ ଅପ୍ଲାଇନ୍ ଓ ଅନ୍ଲାଇନ୍ରେ ନାମ ପଞ୍ଜିକରଣ କରି ଅଗ୍ରୀମ ଟଙ୍କା ପୈଠ କରିଥିଲେ ମଧ୍ୟ ଆଜି ସୁଦ୍ଧା ଉଠା ଜଳସେଚନ ସୁବିଧା ପାଇ ପାରି ନାହାନ୍ତି। ଏହି ମରୁଡ଼ିକୁ ମନୁଷ୍ୟକୃତ ମରୁଡ଼ି ବୋଲି ଚାଷୀମାନେ କହୁଛନ୍ତି। ସେହିପରି ଫସଲ କ୍ଷତିର ସଠିକ ବିବରଣୀ ଅଧିକାରୀମାନେ ଉପସ୍ଥାପନ କରୁନାହାନ୍ତି ବୋଲି କଂଗ୍ରେସ କିଷାନ ସେଲ୍ ଅଭିଯୋଗ କରିଛି।
ଉଲ୍ଲେଖଯୋଗ୍ୟ, ଗତ ୧୬ ତାରିଖଠାରୁ ୧୮ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଓଡିଶା ପ୍ରଦେଶ କଂଗ୍ରେସ କମିଟି କିଷାନ ସେଲ୍ ପକ୍ଷରୁ ଅଧ୍ୟକ୍ଷ ଶ୍ରୀପଟ୍ଟନାୟକ, ରାଜ୍ୟ ଆବାହକ ସୁବାଷ ରାଉତ, ଧରମ ସିଂହ ବଡପଣ୍ଡା, ଜତି ପ୍ରଧାନ, ଚୈତରାମ ନାଏକ ଓ ନୂଆପଡା ଜିଲ୍ଲା କଂଗ୍ରେସ କମିଟି ସଭାପତି ଘାସିରାମ ମାଝି ପ୍ରମୁଖ ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ବରଗଡ ଓ ନୂଆପଡା ଜିଲ୍ଲାର ଫସଲ କ୍ଷତିଗ୍ରସ୍ତ ଅଞ୍ଚଳଗୁଡିକୁ ଗସ୍ତକରି ସ୍ଥିତି ଅନୁଧ୍ୟାନ କରିଥିଲେ।