କଟକ : କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ଗୋଟିଏ ପୌର ନିଗମ, ୫ ପୌର ପରିଷଦ ଓ ୨ଟି ଏନ୍ଏସି ନିର୍ବାଚନ ଫଳାଫଳ ଘୋଷଣା ହୋଇଛି। କେବଳ ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷ ପଦ କଂଗ୍ରେସ ଜିତି ଥିବା ବେଳେ ଅନ୍ୟ ସବୁଠି ବିଜେଡିର ବିଜୟ ହୋଇଛି। କଟକ ପୌର ନିଗମ, ଚୌଦ୍ବାର, କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ ପୌର ପରିଷଦ ଏବଂ ବାଙ୍କୀ ଓ ଆଠଗଡ଼ ଏନଏସିରେ ବିଜେଡି ଅଧ୍ୟକ୍ଷ ପଦ ହାତେଇବା ସହିତ କାଉନସିଲରେ ବି ସଂଖ୍ୟା ଗରିଷ୍ଠତା ହାସଲ କରିଛି। କିନ୍ତୁ ଜଗତସିଂହପୁର ଓ ପାରାଦୀପ ପୌର ପରିଷଦର ରୋଚକ ଫଳାଫଳ ହୋଇଛି। ଜଗତସିଂହପୁର ପୌର ପରିଷଦର ଅଧ୍ୟକ୍ଷ ଭାବେ କଂଗ୍ରେସର ଅର୍ଚ୍ଚନା ସିଂହ ବିଜୟୀ ହୋଇଛନ୍ତି। କିନ୍ତୁ ୨୧ଟି ୱାର୍ଡ ବିଶିଷ୍ଟ ଏହି କାଉନସିଲରେ ବିଜେଡି ୯, କଂଗ୍ରେସ ୭, ବିଜେପି ୨ ଓ ସ୍ବାଧୀନ ୩ଟି ୱାର୍ଡରେ ବିଜୟୀ ହୋଇଛନ୍ତି। ଅର୍ଥାତ କାଉନସିଲରେ କଂଗ୍ରେସର ସଂଖ୍ୟା ଗରିଷ୍ଠତା ନାହିଁ।
ଅନ୍ୟପଟେ ପାରାଦୀପ ପୌର ପରିଷଦରେ ବିଜେଡିର ବସନ୍ତ ବିଶ୍ବାଳ ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ ବି କାଉନସିଲରେ ବିଜେଡିର ସଂଖ୍ୟା ଗରିଷ୍ଠତା ନାହିଁ। ୧୯ ୱାର୍ଡ ବିଶିଷ୍ଟ କାଉନସିଲରେ ବିଜେଡି ୭ଟିରେ ଜିତି ଥିବା ବେଳେ ବିଜେପି ୩, କଂଗ୍ରେସ ୧ ଏବଂ ବାପି ସର୍ଖେଲଙ୍କ ନେତୃତ୍ବରେ ଲଢୁଥିବା ସ୍ବାଧୀନ ଗୋଷ୍ଠୀ ୮ଟି ୱାର୍ଡ ହାତେଇଛନ୍ତି। ଫଳରେ ଏଠାରେ ବି ବିଜେଡିର ସଂଖ୍ୟା ଗରିଷ୍ଠତା ନାହିଁ। ଯେହେତୁ ଏହି ଦୁଇଟି ପୌର ପରିଷଦରେ ଅଧ୍ୟକ୍ଷଙ୍କ ବିରୋଧୀ ଦଳର ସଂଖ୍ୟା ଗରିଷ୍ଠତା ରହିଛି, ତେଣୁ ସେମାନେ ହୁଏତ କୌଣସି ନିଷ୍ପତ୍ତି ଗ୍ରହଣ ସମୟରେ ଅଧ୍ୟକ୍ଷଙ୍କୁ ଅକଳରେ ପକାଇ ପାରନ୍ତି। ଅନ୍ୟପଟେ ଅଧ୍ୟକ୍ଷଙ୍କ ବିରୋଧରେ ଅଢେଇ ବର୍ଷ ପରେ ଅନାସ୍ଥା ଆଣିପାରିବାର ସୁଯୋଗ ରହିଥିବାରୁ ପରବର୍ତ୍ତି ସମୟରେ ଏହାକୁ ନେଇ ମଧ୍ୟ ରାଜନୈତିକ ହଟଚମଟ ସୃଷ୍ଟି ହେବାର କ୍ଷେତ୍ର ପ୍ରସ୍ତୁତ ହୋଇଛି।
କଟକ ପୌର ନିଗମରେ ବିଜେଡି ପ୍ରାର୍ଥୀ ରାଜ୍ୟସଭା ସଦସ୍ୟ ସୁବାସ ସିଂହ ମେୟର ଭାବେ ନିର୍ବାଚିତ ହୋଇଥିବା ବେଳେ ୫୯ଟି ୱାର୍ଡରୁ ବିଜେଡି ୩୮, କଂଗ୍ରେସ ୮, ବିଜେପି ୭ ଓ ସ୍ବାଧୀନ ୬ଟି ୱାର୍ଡରେ ବିଜୟୀ ହୋଇଛନ୍ତି। ଚୌଦ୍ବାର ପୌର ପରିଷଦରେ ବିଜେଡିର ମାନସୀ ସ୍ବର୍ଣ୍ଣପ୍ରଭା ସାମଲ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିବା ବେଳେ ୧୯ଟି ୱାର୍ଡରୁ ବିଜେଡି ୧୩, କଂଗ୍ରେସ ୧, ବିଜେପି ୧ ଓ ସ୍ବାଧୀନ ୪ଟି ୱାର୍ଡରେ ବିଜୟୀ ହୋଇଛନ୍ତି। କେନ୍ଦ୍ରାପଡା ପୌର ପରିଷଦରେ ବିଜେଡିର ସରିତା ସାହୁ ଅଧ୍ୟକ୍ଷା ନିର୍ବାଚିତ ହୋଇଥିବା ବେଳେ ୨୧ଟି ୱାର୍ଡରୁ ବିଜେଡି ୧୧, କଂଗ୍ରେସ ୫, ବିଜେପି ୧ ଓ ସ୍ବାଧୀନ ୪ଟି ୱାର୍ଡରେ ବିଜୟୀ ହୋଇଛନ୍ତି। ପଟ୍ଟାମୁଣ୍ଡାଇ ପୌର ପରିଷଦରେ ବିଜେଡିର ହେମନ୍ତ ସାହୁ ଅଧ୍ୟକ୍ଷ ନିର୍ବାଚିତ ହୋଇଥିବା ବେଳେ ୨୦ରୁ ନିର୍ବାଚନ ହୋଇଥିବା ୧୯ଟି ୱାର୍ଡ ମଧ୍ୟରୁ ବିଜେଡି ୧୪, ବିଜେପି ୩ ଓ କଂଗ୍ରେସ ୨ଟିରେ ବିଜୟୀ ହୋଇଛି। ବାଙ୍କୀ ଏନଏସିରେ ବିଜେଡିର ମାଣିକ ସାହୁ ଅଧ୍ୟକ୍ଷ ନିର୍ବାଚିତ ହୋଇଥିବା ବେଳେ ୧୭ଟି ୱାର୍ଡରୁ ବିଜେଡି ୧୧, କଂଗ୍ରେସ ୬ଟି ୱାର୍ଡରେ ବିଜୟୀ ହୋଇଛି। ଆଠଗଡ ଏନଏସିରେ ବିଜେଡିର ସସ୍ମିତା ରାଉତ ଅଧ୍ୟକ୍ଷା ନିର୍ବାଚିତ ହୋଇଥିବା ବେଳେ ୧୮ଟି ୱର୍ଡରୁ ବିଜେଡି ୧୬, କଂଗ୍ରେସ ୧ ଓ ସ୍ବାଧୀନ ଗୋଟିଏ ୱାର୍ଡରୁ ବିଜୟୀ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/Congress-flags-1.jpg)