ଅନୁଗୁଳ/ସମ୍ବଲପୁର : ଅନୁଗୁଳ, ସମ୍ବଲପୁରଠାରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ଏହି ଅବସରରେ ସେ ଗତକାଲିର ଘୋଷଣାକୁ ଦୋହରାଇଥିଲେ ଏବଂ ତାଙ୍କ ଦଳ ସରକାର ଗଢ଼ିଲେ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼ ହେବ ବୋଲି କହିଥିଲେ। ଏଥିସହିତ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ସମ୍ବଲପୁରଠାରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍ ଆନ୍ଦୋଳନକୁ ସମର୍ଥନ ଘୋଷଣା କରିଥିଲେ।
ଅନୁଗୁଳ ଜିଲ୍ଲା ମରାତିରା ଛକଠାରେ ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଧନା ଜଣାଇବା ପାଇଁ ଏକ ସଭାର ଆୟୋଜନ କରାଯାଇଥିଲା। ସେ କହିଥିଲେ ଯେ, ଗତ ସାଢ଼େ ୪ ବର୍ଷର ଶାସନରେ ମୋଦୀ ସରକାର ଯାହା କରିଛନ୍ତି, ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ଲୋକେ ତାଙ୍କୁ ଉଚିତ ଜବାବ ଦେଇଛନ୍ତି। ଏବେ ଦେଶବାସୀଙ୍କ ମୁଡ୍ ଅଲଗା ରହିଛି। ଓଡ଼ିଶାରେ ବି କଂଗ୍ରେସର ବିଜୟ ହେବା ଆଶା ଉଜ୍ଜୀବିତ ହୋଇଛି। ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଲବ ଜେନା, ଉପସଭାପତି ରମେଶ ପ୍ରଧାନ, ଓବିସି ସେଲ ଅଧ୍ୟକ୍ଷ ଜିତେନ୍ଦ୍ର ସାହୁ ସଭାରେ ମଂଚାସୀନ ଥିବା ବେଳେ ସସ୍ମିତା ବେହେରା ସଭା ପରିଚାଳନା କରିଥିଲେ।
ସମ୍ବଲପୁରଠାରେ କଂଗ୍ରେସ ପକ୍ଷରୁ ଆୟୋଜିତ ଜନ ସଂକଳ୍ପ ପଦଯାତ୍ରାରେ ଶ୍ରୀ ପଟ୍ଟନାୟକ ଯୋଗ ଦେଇଥିଲେ। ଜିଲ୍ଲା କଂଗ୍ରେସ ସଭାପତି ଅଶ୍ବିନୀ ଗୁରୁଙ୍କ ନେତୃତ୍ବରେ ପ୍ରାୟ ୫ ଶହରୁ ଊର୍ଦ୍ଧ୍ବ କଂଗ୍ରେସ ନେତା ଓ କର୍ମୀ ବାଇକ୍ ରାଲିରେ ଯାଇ ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ପାଛୋଟି ଆଣିଥିଲେ। ସକାଳୁ ଶ୍ରୀ ପଟ୍ଟନାୟକ ରେଢ଼ାଖୋଲରେ ପହଞ୍ଚି ସେଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ସମ୍ବଲପୁର ଆସିଥିଲେ। ବାଣ ଫୁଟାଇ, ବାଜା ବଜାଇ, କଂଗ୍ରେସର ସ୍ଳୋଗାନ ଦେଇ କର୍ମୀମାନେ ତାଙ୍କୁ ସ୍ବାଗତ କରିଥିଲେ। ନିକଟସ୍ଥ ପଡ଼ିଆରେ ଆୟୋଜିତ ଏକ ସଭାରେ ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ। ଏଥିରେ ସେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ଏହି ଅବସରରେ ସମ୍ବଲପୁରଠାରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍ ଆନ୍ଦୋଳନକୁ ସମର୍ଥନ ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/cong-2.jpg)