ପୌର ପରିଷଦର ୭ ଦଫା ସମସ୍ୟା ସମାଧାନ ନେଇ କଂଗ୍ରେସର ଦାବିପତ୍ର

ଖୋର୍ଦ୍ଧା : ଖୋର୍ଦ୍ଧା ପୌରପରିଷଦର ଅପରାଗତା ଯୋଗୁଁ ସହରରେ ସରକାରୀ ଜାଗାର ବେଆଇନ ଦଖଲ, ପ୍ରକୃତ ହିତାଧିକାରୀ ସରକାରୀ ସୁବିଧାରୁ ବଂଚିତ ହେବା, ପରିମଳ ଅବ୍ୟବସ୍ଥା ଆଦି ବୃଦ୍ଧି ପାଉଥିବା ବେଳେ ପୌର ପରିଷଦ ପକ୍ଷରୁ କୌଣସି ଉନ୍ନୟନମୂଳକ କାର୍ଯ୍ୟ କରାନଯାଇ ଲୋକଙ୍କ ଉପରେ ଅଯଥା ନୂଆ କରବୋଝ ଲଦି ଦିଆଯାଉଛି ବୋଲି ଖୋର୍ଦ୍ଧା ନଗର କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।

ଆଜି ଖୋର୍ଦ୍ଧା ନଗର କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଦାବିପତ୍ରରେ ପୌରପରିଷଦରେ ବ୍ୟାପକ ଦୁର୍ନୀତି ଓ ସରକାରୀ ଯୋଜନା ଅର୍ଥର ହରିଲୁଟ ଚାଲିଥିବା ଅଭିଯୋଗ କରାଯାଇଛି । ନଗର କଂଗ୍ରେସ ସଭାପତି ରଣଜିତ ମହାପାତ୍ରଙ୍କ ଅଭିଯୋଗ ଅନୁସାରେ, ସହରରେ ପାଇପ୍ଲାଇନ୍ ବିଛାଇବା କାମ ପାଇଁ ବିଭିନ୍ନ ସ୍ଥାନରେ ରାସ୍ତା ଖୋଳାଯାଇଛି । ଦୀର୍ଘ ଦିନ ବିତିଯାଇଛି କିନ୍ତୁ ଖୋଳାଯାଇଥିବା ସ୍ଥାନ ମରାମତି ହୋଇପାରିନାହିଁ । ସହରର ପରିମଳ ବ୍ୟବସ୍ଥା ଘରୋଇ ଠିକା କମ୍ପାନୀକୁ ପ୍ରଦାନ କରାଯାଇଛି । କିନ୍ତୁ ସହର ବାସିନ୍ଦାଙ୍କ ଠାରୁ ଅତିରିକ୍ତ ମାସିକ ୩୦ଟଙ୍କା ସଫେଇ କାର୍ଯ୍ୟପାଇଁ ଆଦାୟ କରାଯାଉଛି । କେବଳ ଏହାନୁହେଁ ଯେଉଁମାନେ ପ୍ରକୃତରେ ଭୂମିହୀନ ସେମାନଙ୍କୁ ଭୂମିହୀନ ପ୍ରମାଣପତ୍ର ପ୍ରଦାନ କରାଯାଉନାହିଁ, ଗରିବଙ୍କୁ ରାସନକାର୍ଡ ମିଳୁନାହିଁ, ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ରାଶି ୨ ବର୍ଷ ଧରି ମିଳିପାରୁନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଯଦି ଏହି ସମସ୍ତ ସମସ୍ୟାର ସମାଧାନ କରାନଯାଏ ତେବେ କଂଗ୍ରେସ ପକ୍ଷରୁ ପୌର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ତୀବ୍ର ଜନଆନ୍ଦୋଳନ କରାଯିବ ବୋଲି ନଗର କଂଗ୍ରେସ ପକ୍ଷରୁ ଲିଖିତ ଚେତାବନୀ ଦିଆଯାଇଛି ।

ସମ୍ବନ୍ଧିତ ଖବର