ସାର୍ବଜନୀନ ଟିକାକରଣ ନେଇ ଦାବି କଲା କଂଗ୍ରେସ

ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ
ଦୈନିକ ୧ କୋଟି ଟିକା ପ୍ରଦାନ କରାଯାଉ

ଭୁବନେଶ୍ବର : କେନ୍ଦ୍ରରେ ମୋଦୀ ସରକାରଙ୍କ ଖାମଖିଆଲି ମନୋଭାବ ଓ ଦୂରଦୃଷ୍ଟିର ଘୋର ଅଭାବ ଯୋଗୁ ସମଗ୍ର ଭାରତ ବର୍ଷର ନାଗରିକମାନେ କରୋନା ମହାମାରୀରେ ଛଟପଟ ହେଉଛନ୍ତି। କେନ୍ଦ୍ର ସରକାରଙ୍କ ଟିକାକରଣ ନୀତି ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ମାଗଣା ସାର୍ବଜନୀନ କୋଭିଡ ଟିକାକରଣ ନେଇ ଆଜି କଂଗ୍ରେସ ପକ୍ଷରୁ ରାଜ୍ୟ ଓ ଜିଲ୍ଲା ସ୍ତରରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଦୈନିକ ୧ କୋଟି ଟିକାକରଣ କରିବାକୁ ଦଳ ପ୍ରସ୍ତାବ ଦେଇଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପିସିସି କାର୍ଯ୍ୟକାରୀ ସଭାପତି ରାଜ୍ୟ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କ ଟିକାକରଣ ନୀତିକୁ ନେଇ ସମାଲୋଚନା କରିଥିଲେ। କହିଥିଲେ, କୋଭିସିଲ୍‌ଡ୍‌ ଓ କୋଭାକ୍‌ସିନ୍‌ର ଗୋଟିଏ ଲେଖାଏଁ ଡୋଜକୁ କେନ୍ଦ୍ର ସରକାର ୧୫୦ ଟଙ୍କାରେ କିଣୁଥିବାବେଳେ ରାଜ୍ୟ ସରକାର ସେହି ଟିକାର ପ୍ରତି ଡୋଜକୁ ୩୦୦ ଓ ୬୦୦ ଟଙ୍କାରେ କିଣୁଛନ୍ତି। ଏପରିକି ବେସରକାରୀ ହସ୍ପିଟାଲଗୁଡ଼ିକ ଡୋଜ୍‌ ପିଛା ୬୦୦ ଓ ୧୨୦୦ ଟଙ୍କାରେ କିଣିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ୨୦୨୦ରୁ ଅନ୍ୟଦେଶମାନେ ଟିକା କିଣିବା ପ୍ରକ୍ରିୟା ଆରମ୍ଭ କରିଥିଲେ। ଅଥଚ ମୋଦୀ ସରକାର ୨୦୨୧ ଜାନୁଆରିରେ ଟିକା କିଣିବା ପାଇଁ ପ୍ରଥମ ପ୍ରୟାସ ଆରମ୍ଭ କଲେ। ଗତମାସ ୩୧ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ୨୧ କୋଟି ୩୧ ଲକ୍ଷ ଲୋକଙ୍କୁ ଟିକା ପ୍ରଦାନ କରାଯାଇଛି। ସେଥିରୁ ମାତ୍ର ୪ କୋଟି ୪୫ ଲକ୍ଷ ଲୋକ ୨ଟି ଡୋଜ୍‌ ଟିକା ନେଇପାରିଛନ୍ତି। ଯାହାକି ଦେଶର ଜନସଂଖ୍ୟାର ମାତ୍ର ୩.୧୭ ପ୍ରତିଶତ ଅଟେ। ଏପରି ସ୍ଥିତି ଜାରି ରହିଲେ ୧୪୦ କୋଟି ଲୋକଙ୍କୁ ଟିକାକରଣ କରିବା ପାଇଁ ପ୍ରାୟ ୩ ବର୍ଷ ଲାଗିବ। ଏହି ସମୟ ଭିତରେ ଲକ୍ଷ ଲକ୍ଷ ନାଗରିକ କୋଭିଡରେ ପ୍ରାଣ ହରାଇଥିବେ।

କେନ୍ଦ୍ର ସରକାର ଯଥାଶୀଘ୍ର ଟିକା କିଣି ରାଜ୍ୟ ଓ ବେସରକାରୀ ହସ୍ପିଟାଲଗୁଡ଼ିକୁ ପ୍ରଦାନ କଲେ ଜନସାଧାରଣ ଉପକୃତ ହେବେ। ଏଥିପାଇଁ ଚଳିତବର୍ଷ ଡିସେମ୍ବର ୩୧ ପୂର୍ବରୁ ୧୮ ବର୍ଷରୁ ଉର୍ଦ୍ଧ୍ବ ବୟସର ବ୍ୟକ୍ତିମାନଙ୍କ ଟିକାକରଣ କାର୍ଯ୍ୟକୁ ଉଭୟ ସରକାର ତ୍ବାରାନ୍ବିତ କରିବାକୁ ଯଥାସମ୍ଭବ ପ୍ରୟାସ କରିବାକୁ କଂଗ୍ରେସ ପକ୍ଷରୁ ଶ୍ରୀ ମାଝୀ ଦାବି କରିଛନ୍ତି।
ସାମ୍ବାଦିକ ସମ୍ମିଳନୀ ପରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ରାଜଭବନ ସମ୍ମୁଖରେ କୋଭିଡ ନିୟମ ଅନୁସାରେ ପ୍ଲାକାର୍ଡ଼ ଧରି ପ୍ରତିବାଦ କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନବନିଯୁକ୍ତ ଏଆଇସିସି ସଂପାଦକ ତଥା ସାଂସଦ ସପ୍ତଗିରି ଉଲାକା, ବିଧାୟକ ସୁରେଶ କୁମାର ରାଉତରାୟ, ବିଧାୟକ ମହମ୍ମଦ ମୋକିମ୍‌, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ରଶ୍ମି ମହାପାତ୍ର, ବନ୍ଦିତା ପରିଡ଼ା, ପଦ୍ମାକର ଗୁର, ରଜନୀ ମହାନ୍ତି, ସୁଦର୍ଶନ ଦାସ, ମନୋରଞ୍ଜନ ଦାଶ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର