ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା : କଂଗ୍ରେସର ୧୨ଘଣ୍ଟିଆ ନବରଙ୍ଗପୁର ବନ୍ଦ

ପ୍ରଦୀପଙ୍କ ବିବାଦୀୟ ଭିଡିଓ ଭାଇରାଲ୍

ନବରଙ୍ଗପୁର : ରାସ୍ତାଘାଟ ଶୂନଶାନ। ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବନ୍ଦ । ଛକ ଛକରେ ଟାୟାର ଜାଳ ବସିଥିଲେ କଂଗ୍ରେସ କର୍ମୀ। ପୁଲିସ, ପ୍ରଶାସନ ଓ ସରକାରଙ୍କ ବିରୋଧରେ ଚାଲିଥିଲା ନାରାବାଜି। କାଁଭାଁ ଛୋଟ ମୋଟ ଉତ୍ତେଜନାକୁ ବାଦ ଦେଲେ ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ନବରଙ୍ଗପୁର ଜିଲ୍ଲା କଂଗ୍ରେସର ୧୨ଘଣ୍ଟିଆ ବନ୍ଦ ପାଳନ।

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଅଞ୍ଚଳର ଜଣେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ କେନ୍ଦ୍ର କରି ଆଜି କଂଗ୍ରେସ ୧୨ଘଣ୍ଟିଆ ବନ୍ଦ ଡାକରା ଦେଇଥି‌ଲା। ତେଣୁ ସକାଳ ୬ଟାରୁ ରାସ୍ତାକୁ ଚାଲି ଆସିଥିଲେ କଂଗ୍ରେସ କର୍ମୀ। ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ବରେ କର୍ମୀମାନେ ରାସ୍ତା ଅବରୋଧ କରି ପ୍ରତିବାଦ ଜଣାଇଥିଲେ। ନବରଙ୍ଗପୁର ସହର ଚାଉଁରିଆଗୁଡ଼ା, କଂଗ୍ରେସ କାର୍ଯ୍ୟାଳୟ ଓ ମାଝୀଗୁଡ଼ା ଛକରେ ମେଳି ହୋଇ କଂଗ୍ରେସ କର୍ମୀମାନେ ଗାଡ଼ି ଚଳାଚଳକୁ ସଂପୂର୍ଣ୍ଣ ବନ୍ଦ କରି ଦେଇଥିଲେ। ବନ୍ଦ ପାଳନ ସମୟରେ ଚାଉଁରିଆଗୁଡ଼ା ନିକଟରେ ପୁଲିସ କିଛି ଗାଡ଼ି ଛାଡ଼ି ଦେଇଥିବା ଖବର ମିଳିବାରୁ କର୍ମୀଙ୍କ ସହ ପ୍ରଦୀପ ମାଝୀ ପହଞ୍ଚିଥିଲେ। ପୁଲିସ ସହ କିଛି ସମୟ ଧରି ଯୁକ୍ତିତର୍କ ହୋଇ ଚାପା ଉତ୍ତେଜନା ପ୍ରକାଶ ପାଇଥିଲ। ସହରର ଔଷଧ ଦୋକାନକୁ ଛାଡ଼ିଦେଲେ ସମସ୍ତ ଦୋକାନ ବଜାର ପ୍ରାୟ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ରହିଥିଲା। ପୂର୍ବରୁ ସରକାର ସୂର୍ଯ୍ୟୋପରାଗ ଯୋଗୁଁ ଛୁଟି ଘୋଷଣା କରିଥିବାରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା। ବନ୍ଦ ଡାକରାକୁ ଦୃଷ୍ଟିରେ ବେସରକାରୀ କାର୍ଯ୍ୟାଳୟଗୁଡ଼ିକ ମଧ୍ୟ ଖୋଲି ନଥିଲା।

ବନ୍ଦ ଯୋଗୁଁ ପଡ଼ୋଶୀ କୋରାପୁଟ ଏବଂ ‌କଳାହାଣ୍ଡି ଜିଲ୍ଲାକୁ ଯୋଗାଯୋଗ ଠପ୍ ହୋଇଯାଇଥିଲା। ତେଣୁ ଦୂରଦୁରାନ୍ତରୁ ଆସି ଆଜି ସକାଳେ ପହଞ୍ଚିଥିବା ଯାତ୍ରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ବନ୍ଦ ପାଳନରେ ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ଦିଲ୍ଲୀପ କୁମାର ବେହେରା, ଉତ୍ତମ ତ୍ରିପାଠୀ, ଅଖିଳ ଭତ୍ରା, ପ୍ରଦୀପ ସାହୁ, ପଦ୍ମନ ବିଷୋୟୀ, କୁନା ପାଢ଼ୀ, ଅବଦୁଲ ଫରୋଜ, ସଂଜୟ ନାୟକ, କାଳୀ ପାତ୍ର, ବିଦ୍ୟା ସାଗର, ମହମ୍ମଦ ଅଲ୍ଲୀ, ପ୍ରଭାତି ତ୍ରିପାଠୀ, ପ୍ରଣତି ତ୍ରିପାଠୀ, ଚନ୍ଦ୍ର ମଲ୍ଲିକ, ବି.ଶ୍ରୀପତି, ବାମଦେବ ନାୟକଙ୍କ ସମେତ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଭାଗ ନେଇଥିଲେ। ଆନ୍ଦୋଳନରେ କୋଷାଗୁମୁଡ଼ା ପୀଡ଼ିତାଙ୍କ ବାପା ଯୋଗଦେଇ ଝିଅକୁ ନ୍ୟାୟ ମିଳୁ। ଶବ ବ୍ୟବଚ୍ଛେଦ ରିପୋର୍ଟ ପ୍ରଦାନ କରାଯାଉ। ଦୋଷୀକୁ ତୁରନ୍ତ ଦଣ୍ଡ ଦିଆଯାଉ ବୋଲି ଦାବି କରିଥିଲେ।

‘ପେଟ୍ରୋଲ ଓ ଡିଜେଲ୍ ରଖିଥାଅ, କହିଲେ ନିଆଁ ମାରିବ’
ପେଟ୍ରୋଲ ଓ ଡିଜେଲ୍ ପ୍ରସ୍ତୁତ କରି ରଖିଥାଅ; କହିଲେ ନିଆଁ ମାରିବ। ବନ୍ଦ ପାଳନ ବେଳେ ଟେଲିଫୋନରେ ଏମିତି କାହାକୁ ନିର୍ଦେଶ ଦେଉଥିଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ଏହି ଟେଲିଫୋନ ବାର୍ତ୍ତାଳାପ ସମୟର ଭିଡିଓ ଭାଇରାଲ ହୋଇଯିବାରୁ ଶ୍ରୀ ମାଝୀ ଅଡ଼ୁଆରେ ପଡ଼ିଛନ୍ତି। ଆନ୍ଦୋଳନ ସମୟରେ ସେ ପୋଡ଼ାଜଳା ଓ ହିଂସା କରିବାକୁ ଉସୁକାଉଥିବା ଅଭିଯୋଗ ଆସିଥିବାବେଳେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ତାଙ୍କୁ ଏଥିପାଇଁ ସମାଲୋଚନା କରିଛନ୍ତି। ଅନ୍ୟପକ୍ଷରେ ହି ଭିଡିଓକୁ ନେଇ ଶ୍ରୀ ମାଝୀ କହିଛନ୍ତି ଯେ, କଂଗ୍ରେସର ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ପୁଲିସ ଭଣ୍ଡୁର କରିବାକୁ ଚେଷ୍ଟା କରୁଥିଲା। ଚାଉଁରିଆଗୁଡ଼ା ନିକଟରେ କଂଗ୍ରେସ କର୍ମୀଙ୍କ ଉପରେ ପୁଲିସ ଚାପ ପକାଇ ଗାଡ଼ି ଚଳାଚଳ ସ୍ବାଭାବିକ କରିବାକୁ ଚେଷ୍ଟା କରିଥିଲା। ତେଣୁ ବାଧ୍ୟ ହୋଇ ଏମିତି କହିବାକୁ ପଡ଼ିଥିଲା ବୋଲି ସେ ସଫେଇ ଦେଇଛନ୍ତି।

ସମ୍ବନ୍ଧିତ ଖବର