ତଥ୍ୟ ଅନୁଧ୍ୟାନକାରୀ କମିଟି ଗଠନ କଲା କଂଗ୍ରେସ

ଆଜି ପୁରୀ ଗସ୍ତ କରିବ କମିଟି

ଭୁବନେଶ୍ବର: ଗୋଟିଏ ଅଞ୍ଜନା ଗଣଦୁଷ୍କର୍ମ ପାଇଁ କଂଗ୍ରେସ ସରକାର ଏ ରାଜ୍ୟରେ କ୍ଷମତାରୁ ଚାଲିଯାଇଥିଲା। ଏବେ ବିଜେଡି ସରକାର ସମୟରେ ପ୍ରତିଦିନ ୮ ଜଣ ଶିଶୁ, ନାବାଳିକା ଓ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି। ପୁଲିସର ନିଷ୍କ୍ରିୟତା ଯୋଗୁଁ ଅପରାଧୀମାନେ କାହାକୁ ଖାତିର କରୁନାହାନ୍ତି। ଗତ ଦୁଇବର୍ଷ ଭିତରେ ସାରା ଦେଶରେ ୩୨ ହଜାର ୨୬୫ ଜଣ ଶିଶୁ, ନାବାଳିକା ଓ ମହିଳାଙ୍କୁ ଦୁଷ୍କର୍ମର ଶିକାର ହୋଇଛନ୍ତି।

ଆଜି କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ନେତ୍ରୀ ବିଜୟଲକ୍ଷ୍ମୀ ସାହୁ ଏପରି ଅଭିଯୋଗ କରିଛନ୍ତି। ସେ କହିଥିଲେ, ପୁରୀ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ ୭ ଜଣିଆ ତଥ୍ୟ ଅନୁଧ୍ୟାନକାରୀ କମିଟି ଗଠନ କରାଯାଇଛି। ଆସନ୍ତାକାଲି କମିଟି ସଦସ୍ୟମାନେ ପୁରୀ ଗସ୍ତ କରିବେ। କଂଗ୍ରେସ ଅଭିଯୋଗ କରିଛି, ମୁଖ୍ୟମନ୍ତ୍ରୀ ପଞ୍ଚମ ଥର ପାଇଁ ଦାୟିତ୍ବ ନେବା ପରେ ରାଜ୍ୟରେ ମା’ଭଉଣୀମାନଙ୍କ ଉପରେ ବର୍ବରୋଚିତ ଆକ୍ରମଣ, ଅତ୍ୟାଚାର ଓ ଶୋଷଣ ବଢ଼ିଚାଲିଛି। ଏହାର ଉତ୍ତର ମୁଖ୍ୟମନ୍ତ୍ରୀ ରଖିବା ଦରକାର। ଇତିଶ୍ରୀ, କୁନ୍ଦୁଲି ପୀଡ଼ିତା, ବେବିନା, ମାଧବୀଲତା, ନିହାରିକା, ସ୍ମିତାରାଣୀ, ରାଇରଙ୍ଗପୁର ଅଧ୍ୟାପିକା ଆତ୍ମହତ୍ୟା ଘଟଣା ଓ ପୁରୀ ଘଟଣାରେ ସେ ଚୁପ୍ ରହିଛନ୍ତି। କମିଟିରେ ଶ୍ରୀମତୀ ସାହୁ ସଦସ୍ୟ ଥିବାବେଳେ, କଂଗ୍ରେସ ନେତା ବଟକୃଷ୍ଣ ତ୍ରିପାଠୀ, ଶିବାନନ୍ଦ ରାୟ, ସତ୍ୟ ପ୍ରକାଶ ନାୟକ, ବନ୍ଦିତା ପରିଡ଼ା, ସୁଦର୍ଶନ ଦାସ ଓ ରଶ୍ମି ମହାପାତ୍ର ସଦସ୍ୟ ଅଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ପଦ୍ମାକର ଗୁରୁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର