ଭୁବନେଶ୍ବର : ନିକଟରେ ବିଜେଡି ଦଳ ନିଜ ନେତାଙ୍କ ଉପରୁ ଭରସା ତୁଟାଇ ଦଳର ନିର୍ବାଚନ ସଂକେତ ତାଙ୍କର ଗର୍ବ ବୋଲି ଗଣମାଧ୍ୟମକୁ ପ୍ରକମ୍ପିତ କରିଥିଲେ। ଏବେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ ହୋଇଛି ‘ଜୟ ଜଗନ୍ନାଥ’। ଏହାକୁ ଆମେ ସ୍ୱାଗତ କରୁଛୁ। କିନ୍ତୁ, ୨୩ ବର୍ଷ ଶାସନ ପରେ ଓଡ଼ିଆ ଜାତିର ଆରାଧ୍ୟ ଦେବତାଙ୍କ କଥା ମୁଖ୍ୟମନ୍ତ୍ରୀଙ୍କ କାହିଁକି ମନେ ପଡ଼ିଲା ବୋଲି ପ୍ରଶ୍ନ କରିଛି ପ୍ରଦେଶ କଂଗ୍ରେସ।
ବୁଧବାର ଅପରାହ୍ନରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସେବାଦଳର ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଛନ୍ତି, ବିଗତ ଦିନରେ ଯେଉଁମାନେ ଜଗନ୍ନାଥ ସଂସ୍କୃତି ଓ ସଂଲଗ୍ନ ମଠ ମନ୍ଦିର ସଂସ୍କୃତିକୁ ଧ୍ୱଂସ କରିଛନ୍ତି, ସେମାନଙ୍କ ମୁହଁରେ ଆଜି ‘ଜୟ ଜଗନ୍ନାଥ’ ଉଚ୍ଚାରଣ ସଇତାନର ବେଦ ପାଠ ଭଳି ଲାଗୁଛି। ରାଜ୍ୟବାସୀଙ୍କ ଆରାଧ୍ୟ ଦେବତାଙ୍କ ରତ୍ନଭଣ୍ଡାର ଚାବି ମିଳିଲା ନାହିଁ। ତା’ଉପରେ ଯେଉଁଭଳି ପ୍ରହେଳିକା ସୃଷ୍ଟି କରାଗଲା ଏବେ ମଧ୍ୟ ସାଢ଼େ ୪କୋଟି ଓଡ଼ିଆ ସନ୍ଦେହଘେରରେ ଅଛନ୍ତି। ରତ୍ନ ଭଣ୍ଡାର ଖୋଲାଯାଇ ରତ୍ନର ହିସାବ ସମସ୍ତ ଦାବି ସତ୍ତ୍ବେ ଆଜି ପର୍ଯ୍ୟନ୍ତ ତାହା ହୋଇପାରିଲା ନାହିଁ। ପର୍ଯ୍ୟଟନର ବିକାଶ ନାମରେ ଧାର୍ମୀୟ ଭାବନାପ୍ରତି କୁଠାରଘାତ କରୁଥିବା ସରକାର, ସୌନ୍ଦର୍ଯ୍ୟୀକରଣ ନାମରେ ଗତ ୨ବର୍ଷ ହେବ ଶହ ଶହ କୋଟି ଟଙ୍କାରେ ଠିକାଦାରଙ୍କୁ ପୋଷା ଚାଲିଛନ୍ତି। ମଣିଷର ମୃତ୍ୟୁ ପାଖେଇ ଆସିଲେ, ମଣିଷ ପ୍ରଭୁଙ୍କ ଶରଣାପନ୍ନ ହୁଏ। ବିଜେଡି ଦଳର ସେହି ଅବସ୍ଥା ଆସିଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋରଞ୍ଜନ ଦାଶ, ରଜନୀ ମହାନ୍ତି, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/congress.jpg)