ଭୁବନେଶ୍ବର : ରାଜ୍ୟ ସମସ୍ୟାର ସମାଧାନ କ୍ଷେତ୍ରରେ ବିଫଳ ରାଜ୍ୟ ସରକାର ୫-ଟି ନାଁରେ ପ୍ରହେଳିକା ସୃଷ୍ଟି କରୁଛନ୍ତି। ୨୪ବର୍ଷର ଶାସନ ପରେ ବି ରାଜ୍ୟରେ ପାନୀୟ ଜଳ ସଙ୍କଟ, ବିଦ୍ୟୁତ ଉପଭୋକ୍ତା ପାୱାର କଟ୍ ଯୋଗୁ ହନ୍ତସନ୍ତ ହେଉଛନ୍ତି। ଆଗାମୀ ଦିନରେ କଂଗ୍ରେସ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ରାଜ୍ୟବାସୀଙ୍କ ନିକଟକୁ ଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଲେ, ରାଜ୍ୟର ୧୫ଟି ଜିଲ୍ଲାରେ ୪୦ ପ୍ରତିଶତ ଲୋକ ସ୍ବଚ୍ଛ ପାନୀୟ ଜଳ ପାଇପାରୁ ନାହାନ୍ତି। ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ସୁନ୍ଦରଗଡ଼, ଗଜପତି ଓ ଦେବଗଡ଼ ଭଳି ଜିଲ୍ଲା ଏଥିରେ ରହିଛି। ଆତ୍ମଶକ୍ତି ତଥା ଓଡ଼ିଶା ଶ୍ରମଜୀବୀ ଓ ମହିଳା ଶ୍ରମଜୀବୀ ସଂଗଠନର ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଥିବା ରିପୋର୍ଟରୁ ଏହା ଜଣାପଡ଼ିଛି। ସେହିପରି ଏବେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହ ଚାଲିଥିବା ବେଳେ ଘଣ୍ଟା ଘଣ୍ଟା ଅଘୋଷିତ ବିଦ୍ୟୁତ୍କାଟ ହେଉଛି। ଓଡ଼ିଶା କୋଲ ଓ ପାୱାର କମ୍ପାନି(ଓସିପିଏଲ) ଆଇନ, କେନ୍ଦ୍ରୀୟ ନିର୍ଦେଶନାମାକୁ ଜଳାଞ୍ଜଳି ଦେଇ ବ୍ୟବସାୟୀଙ୍କ ଉଦ୍ଦେଶ୍ୟରେ କୋଇଲା ଉତ୍ତୋଳନ କରୁଛନ୍ତି। ରାଜ୍ୟ ସରକାର ୪୭୯ କୋଟି ଟଙ୍କା ଲାଭ ଉଠାଇବା ବେଳେ ଖାଉଟିମାନେ ଅଧିକ ଦରରେ ତଣ୍ଡ ଗଣୁଛନ୍ତି।
ନବନିଯୁକ୍ତ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ୫-ଟିକୁ କଟାକ୍ଷ କରି କହିଥିଲେ ଯେ ୫-ଟିର ପ୍ରଥମ ‘ଟି’ ହେଉଛି ସ୍ବଚ୍ଛତା। ହେଲେ ପାନୀୟ ଜଳ ପ୍ରକଳ୍ପ ସଂକ୍ରାନ୍ତରେ ପ୍ରଶ୍ନ କରାଯିବାରୁ ସରକାର ‘ତଥ୍ୟ ସଂଗ୍ରହ କରାଯାଉଛି’ ବୋଲି ଉତ୍ତର ଦେଇଥିଲେ। ଦ୍ବିତୀୟ ‘ଟି’ ହେଉଛି ସମୟ। ରାଜ୍ୟ ସରକାର ରାଉରକେଲାର ହକି ଷ୍ଟାଡିୟମ୍କୁ ୧୮ମାସ ଭିତରେ ଶେଷ କରିଥିବା କହିଥିଲେ। ମାତ୍ର ରାଜ୍ୟର ଅନ୍ୟ ଅତ୍ୟାବଶ୍ୟକ ପ୍ରକଳ୍ପ ରେକର୍ଡ ସମୟ ଭିତରେ ଶେଷ ହୋଇପାରୁ ନାହିଁ କାହିଁକି ? ତୃତୀୟ ‘ଟି’ ଜ୍ଞାନକୌଶଳ ଥିବା ବେଳେ ନବରଙ୍ଗପୁରର ଜଣେ ବୟସ୍କ ମହିଳା ଭତ୍ତା ପାଇଁ ଚୌକିକୁ ଆଶାବାଡ଼ି କରି ବ୍ୟାଙ୍କକୁ ଯାଉଥିବା ଗଣମାଧ୍ୟମରେ ନଜରକୁ ଆସିଥିଲା। ଅର୍ଥାତ୍ ଜ୍ଞାନ କୌଶଳର ଏଠାରେ କୌଣସି ବ୍ୟବହାର ଦେଖିବାକୁ ମିଳିଲା ନାହିଁ। ଲୋକଙ୍କୁ ତାଙ୍କ ଘରେ ଭତ୍ତା ଦିଆଯାଉନାହିଁ ? ଚତୁର୍ଥ ‘ଟି’ ରୂପାନ୍ତରଣ ଉପରେ ଆଧାରିତ ଥିବା ବେଳେ ଏହା କେବଳ ବାହ୍ୟ ରୂପାନ୍ତରରେ ସୀମିତ।
ଶିକ୍ଷାନୁଷ୍ଠାନରେ ଶିକ୍ଷକ ନାହାନ୍ତି ଓ ଚିକିତ୍ସାଳୟରେ ଡାକ୍ତର ନ ଥିବାରୁ ରୂପାନ୍ତରଣ ମୂଲ୍ୟହୀନ ହୋଇ ପଡ଼ିଛି। ପଞ୍ଚମ ‘ଟି’ ଟିମ୍ ୱାର୍କ କଥା କୁହାଯାଉଛି। ଏ କ୍ଷେତ୍ରରେ ରାଜ୍ୟ ସରକାର ବେଶ୍ ସଫଳ। ସରକାରୀ କଳର ଅପବ୍ୟବହାର ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ବିଜେଡିକୁ ନିର୍ବାଚନରେ ଜିତାଇବା ଲାଗି କୁହାଯାଉଛି। ଦଳ ସମୃଦ୍ଧ ହେଉଥିବା ବେଳେ ରାଜ୍ୟ ଦରିଦ୍ର ହେଉଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁରେଶ ରାଉତରାୟ ଉପସ୍ଥିତ ଥିଲେ। ରାଜ୍ୟ କଂଗ୍ରେସ ମିଡିଆ ସେଲ୍ର ଅଧ୍ୟକ୍ଷ ଗଣେଶ୍ବର ବେହେରା ସାମ୍ବାଦିକ ସମ୍ମିଳନୀରେ ପୌରହିତ୍ୟ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/congress-m19.jpg)