ବାଲେଶ୍ୱର : ଆଜି ସାରା ଦେଶରେ ଆଦିବାସୀ ଓ ଦଳିତମାନଙ୍କୁ ନ୍ୟାୟ ମିଳୁନି। କେନ୍ଦ୍ରରେ ବିଜେପି ସରକାର ଅମଳରେ ଦଳିତଙ୍କ ଉପରେ ଆକ୍ରମଣ ବଢ଼ିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଭୁଲି ଯାଉଛନ୍ତି ଯେ ଦଳିତ ଓ ଆଦିବାସୀଙ୍କ ବିକାଶ ନ ହେଲେ କୌଣସି ରାଷ୍ଟ୍ରର ବିକାଶ ଅସମ୍ଭବ। ପ୍ରତିଟି ମଣିଷ ପାଇଁ ଏବେ ସ୍ୱାଭିମାନ, ସମ୍ମାନ ଓ ସମ୍ବିଧାନ ଗୁରୁତ୍ୱପୂର୍ଣ୍ଣ। ଆଜି ବାଲେଶ୍ୱରରୁ ଆରମ୍ଭ ହୋଇଥିବା କଂଗ୍ରେସର ଦଳିତ ସମ୍ମାନ ସମାବେଶରେ ଉଦ୍‌ବୋଧନ ଦେଇ ଏ କଥା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

Advertisment

ସହରର ଗାନ୍ଧି ସ୍ମୃତି ଭବନରେ ଅନୁଷ୍ଠିତ ଏହି ସମାବେଶରେ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରୁ ଦଳିତ ଓ ଆଦିବାସୀମାନେ ବହୁ ସଂଖ୍ୟ‌ାରେ ଯୋଗ ଦେଇଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦଳିତ ବିରୋଧୀ ବୋଲି ଆଖ୍ୟା ଦେଇ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ଆହୁରି କହିଲେ ଯେ କୁନ୍ଦୁଲି ପୀଡ଼ିତାଙ୍କୁ ଆଜି ସରକାର ନ୍ୟାୟ ଦେବାରେ ଅକ୍ଷମ। ଦଳିତ ଓ ଆଦିବାସୀମାନେ ଏମିତି କେତେଦିନ ପଛରେ ପଡ଼ିଥିବେ? ସାମାଜିକ ସ୍ତରରେ ସେମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କେବଳ କଂଗ୍ରେସ ଦଳ କରିଥିଲା। ମାତ୍ର ବର୍ତ୍ତମାନ ସମ୍ବିଧାନ ଦୋହଲିବାରେ ଲାଗିଛି। ଏହାକୁ ବିଗତ ଦିନରେ କଂଗ୍ରେସ ରକ୍ଷା କରିଥିଲା ଓ ଆଗକୁ ମଧ୍ୟ ରକ୍ଷା କରିବ। କଂଗ୍ରେସ ଶାସନକୁ ଆସିଲେ ଦଳିତ, ଚାଷୀ, ଯୁବକ, ଆଦିବାସୀଙ୍କ ସମସ୍ୟାକୁ ପ୍ରାଧାନ୍ୟ ଦେବ। ମାସିକ ଭତ୍ତା ୩ ଶହରୁ ବୃଦ୍ଧି କରି ୧ ହଜାର କରାଯିବ। ଚାଷୀଙ୍କୁ ସୋଲାର ପମ୍ପ ଓ ୫ ବର୍ଷ ଯାଏ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଶିକ୍ଷକମାନଙ୍କ ସମୀକରଣ କରାଯିବ। ଯୁବକମାନଙ୍କ ନିଯୁକ୍ତି ସୁଯୋଗ ପାଇଁ ରାଜ୍ୟର ସମସ୍ତ ଉତ୍ପାଦନର ୩୦ ଭାଗ ଓଡ଼ିଶାରେ ରହିବା ପାଇଁ ନୀତି ପ୍ରଣୟନ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

publive-image

ଏହି ସମାବେଶରେ ଉପସ୍ଥିତ ନେତୃବୃନ୍ଦ ରାଜ୍ୟ ସରକାରଙ୍କ ପିଠା ଓ କାଳିଆ ଯୋଜନାକୁ ସମାଲୋଚନା କରି ନେତୃବୃନ୍ଦ କହିଥିଲେ ଯେ ଏଭଳି ଯୋଜନା କରି ସରକାର ଲୋକଙ୍କ ଭାବନା ସହ ଖେଳ ଖେଳୁଛନ୍ତି। ବିଜୁ ଯୁବବାହିନୀ, ଟଙ୍କିକିଆ ଚାଉଳ ଓ ଯୋଜନା ନାଁରେ ଟଙ୍କା ଖର୍ଚ୍ଚ କରି ଓଡିଶାକୁ ଋଣ ଭାରରେ ସରକାର ବୁଡ଼ାଇ ସାରିଲେଣି। ଆମେ ଭିକ୍ଷା ନୁହେଁ, ଶିକ୍ଷା ଚାହୁଁ, ରୋଜଗାର ଚାହୁଁ। ଦଳିତମାନଙ୍କ ଅର୍ଥନୈତିକ ବିକାଶ ହେଲେ ଦେଶ ଆଗେଇବ। ୧୮ ବର୍ଷ ଶାସନ ପରେ ମଧ୍ୟ ଆଜି ବି ଦଳିତ, ଆଦିବାସୀ ଭୂମିହୀନମାନେ ଜମିପଟ୍ଟା ପାଇ ପାରୁନାହାନ୍ତି। କଂଗ୍ରେସ କ୍ଷମତାକୁ ଆସିଲେ ୨ବର୍ଷ ଭିତରେ ସମସ୍ତ ଭୂମିହୀନଙ୍କୁ ଜମିପଟା ଦେବ। ଏମିତି କିଛି ପ୍ରତିଶ୍ରୁତି ଓ ସରକାର ବିରୋଧୀ ବକ୍ତବ୍ୟରେ କମ୍ପି ଉଠିଥିଲା ଗାନ୍ଧି ସ୍ମୃତି ଭବନ।

ରାଜ୍ୟ ସରକାର ପ୍ରତିମୂର୍ତ୍ତି ଓ କେନ୍ଦ୍ର ସରକାର ଭଗବାନଙ୍କ ମୂର୍ତ୍ତି ତିଆରି କରିବାରେ ବ୍ୟସ୍ତ ବୋଲି ବକ୍ତାମାନେ ଅଭିଯୋଗ କରିଥିଲେ। ହେଲେ ଆଜି ଯାଏ ଦଳିତମାନଙ୍କୁ କେନ୍ଦ୍ର କି ରାଜ୍ୟ ସରକାର ସୁଯୋଗ ଦେଇନାହାନ୍ତି। କଂଗ୍ରେସ ସବୁବେଳେ ମହାତ୍ମା ଗାନ୍ଧୀ ଓ ବାବାସାହେବ ଆମ୍ବେଦକରଙ୍କ ସ୍ବପ୍ନ ପୂରଣ ପାଇଁ ଚେଷ୍ଟା କରିଛି। କଂଗ୍ରେସ ଦଳର ନୀତି ଓ ଆଦର୍ଶ ଦଳିତମାନଙ୍କ ସ୍ୱାର୍ଥ ରକ୍ଷା କରିବା। ଦଳିତ ଓ ଆଦିବାସୀମାନଙ୍କ ସ୍ୱାର୍ଥ ପାଇଁ ଏବେ ପରିବର୍ତ୍ତନର ବେଳ ଆସିଛି ବୋଲି ସେମାନେ ଆହ୍ବାନ ଦେଇଥିଲେ। ସମାବେଶ ପୂର୍ବରୁ ଏକ ବିଶାଳ ଶୋଭାଯାତ୍ରାରେ ତାମୁଳିଆ ଓଭର ବ୍ରିଜ୍ ରେଳବାଇ ଫାଟକଠାରୁ ପିସିସି ସଭାପତିଙ୍କୁ ପାଛୋଟି ନିଆଯାଇ ସହର ପରିକ୍ରମା କରିବା ସହ ସଭା ସ୍ଥଳରେ ପହଂଚିଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକଙ୍କ ବ୍ୟତୀତ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଭଦ୍ରକର ପୂର୍ବତନ ସାଂସଦ ଅନନ୍ତ ସେଠୀ, ଇସ୍ତାହାର କମିଟି ଅଧ୍ୟକ୍ଷ ଗଣେଶ୍ୱର ବେହେରା, କୁମାର ଚିରଞ୍ଜୀବ, ପିସିସି ସାଧାରଣ ସମ୍ପାଦକ ସଂଜୀବ ଗିରି, ଜିଲ୍ଲା କଂଗ୍ରେସ ସଭାପତି ଶରତ ରାଜ, ପୂର୍ବତନ ବିଧାୟକ ଦେବୀପ୍ରସାଦ ଚାନ୍ଦ, ଗୋପନାରାୟଣ ଦାସ, ପୂର୍ବତନ ମନ୍ତ୍ରୀ ଯୁଧିଷ୍ଠିର ଜେନା ଓ ଅର୍ଚ୍ଚନା ନନ୍ଦୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ରାଜ୍ୟ ମୁଖପାତ୍ର ସୁଦର୍ଶନ ଦାସ, ପିସିସି ସମ୍ପାଦକ ସତ୍ୟଶିବ ଦାସ, ଜିଲ୍ଲା କଂଗ୍ରେସ ଉପସଭାପତି କୃଷ୍ଣଗୋପାଳ ପଣ୍ଡା, ଗୋପୀନାଥ ପାଢ଼ୀ, ଯୁବନେତା ବିକ୍ରମ ପଣ୍ଡା, ବାସନ୍ତୀ ନାୟକ, ରାମନାରାୟଣ ଶତପଥୀ ସଦର ବ୍ଲକ ଦଳିତ ସେଲ୍ ସଭାପତି ଲକ୍ଷ୍ମୀଧର ସେଣ, ଜିଲ୍ଲା ସମ୍ପାଦକ ଅରୁଣ ଜେନା, ଟାଉନ୍ ସଭାପତି ପଦ୍ମଲୋଚନ ଲେଙ୍କା, ତୁଷାରକାନ୍ତ ତପସ୍ବୀ, ସନ୍ତୋଷ ଦାସ, ପ୍ରତୀମା ପଣ୍ଡା, ପ୍ରଜ୍ଞା ମହାନ୍ତି, ରାଜ୍ୟ ଅନୁସୂଚିତ ଜାତି ଉପାଧ୍ୟକ୍ଷା ମମତାଞ୍ଜଳି ବେହେରା, ରାଜ୍ୟ ଆବାହକ ଦେବେନ୍ଦ୍ର ମଲ୍ଲିକ, ସାଧାରଣ ସମ୍ପାଦକ ତରୁଣ ଦାସ, ପ୍ରତାପ ସେଠୀ, ଛାତ୍ର କଂଗ୍ରେସ ସଭାପତି ରଞ୍ଜନ ଦାସ, ଗୌତମ ସାହୁ, ବାଲିଆପାଳ ବ୍ଲକ୍‌ ଅଧ୍ୟକ୍ଷ ବିଜନ ନାୟକ, ଅଜଗର୍ ଅଲ୍ଲୀ, ଆକବର୍ ଶାହା, ଖଗନ ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ। ସମାବେଶରେ ରାଜ୍ୟ ଏସ୍‌ସି ସେଲ ସଭାପତି ବିଭୁପ୍ରସାଦ ତରେଇ ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା ଦଳିତ ସେଲ ସଭାପତି ମୃତ୍ୟୁଞ୍ଜୟ ଜେନା ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ବିଭିନ୍ନ ଦଳର କିଛି କର୍ମୀ ଓ କର୍ମକର୍ତ୍ତା ମଧ୍ୟ କଂଗ୍ରେସରେ ଯୋଗ ଦେଇଥିଲେ।