ଭୁବନେଶ୍ବର : ପଦ୍ମପୁର ଉପନିର୍ବାଚନରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଡିଲ୍‌ ହୋଇନଥିବା ନେଇ ଦୁଇ ଦଳ ଯେତେ ସଫେଇ ଦେଲେ ବି ବିଜେପି ମାନିବାକୁ ନାରାଜ। ବିଜେପି ନେତା ନିଜ ପରାଜୟ ପଛର ବହୁ କାରଣ ଖୋଜିବା ବଦଳରେ ପଦ୍ମପୁରରେ କଂଗ୍ରେସ-ବିଜେଡି ଡିଲ୍ ଯୋଗୁଁ ହାରିଲୁ ବୋଲି ବାରମ୍ବାର କହି ଚାଲିଛନ୍ତି। ଏଥିରେ ଆଜି ପଦ୍ମପୁରରେ ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିବା ପ୍ରଦୀପ ପୁରୋହିତ ଯୋଡ଼ି ହୋଇଯାଇଛନ୍ତି। ପ୍ରଦୀପ ସିଧା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ଅଭିଯୋଗ ଆଣିଛନ୍ତି। ନବ ଦାସ ହିଁ ପଦ୍ମପୁରରେ ଡିଲ୍‌ କରିଥିଲେ ବୋଲି କହିଛନ୍ତି।

Advertisment

ଶନିବାର ଦିନ ବିଜେପି ରାଜ୍ୟ କାର୍ଯ୍ୟାଳୟରେ କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ ପଦ୍ମପୁର ନିର୍ବାଚନରେ ଦଳର ପରାଜୟ ନେଇ ସମୀକ୍ଷା କରିବା ପୂର୍ବରୁ ଶ୍ରୀ ପୁରୋହିତ ଗଣମାଧ୍ୟମ ଆଗରେ କଂଗ୍ରେସ ଡିଲ୍ କଥା ଉଠାଇଛନ୍ତି। ସେ କହିଛନ୍ତି ଯେ, ପଦ୍ମପୁରରେ କଂଗ୍ରେସର ପ୍ରାର୍ଥୀ କିଏ ହେବ ତାହା ବିଜେଡି ଚୟନ କରିଥିଲା। ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ କଂଗ୍ରେସ ନେତାଙ୍କ ସହ ୩ଘଣ୍ଟା ଆଲୋଚନା କରିଥିଲେ। ପ୍ରାର୍ଥୀ ଚୟନ ପୂର୍ବରୁ କଂଗ୍ରେସ ଭୋଟ୍ କିପରି ବିଜେଡିକୁ ଯିବ ସେଥିପାଇଁ ନକ୍ସା ପ୍ରସ୍ତୁତ ହୋଇଥିଲା।

ଅପରପକ୍ଷେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଏହାର କଡ଼ା ଜବାବ୍ ଦେଇ କହିଛନ୍ତି, ପଦ୍ମପୁରରେ ବିଜେପି ୪୨ହଜାର ଭୋଟ୍‌ରେ ହାରିବା ପରେ ଆତ୍ମସନ୍ତୋଷ ପାଇଁ ଏପରି କହୁଛି। ନବ ଦାସ ତ ଆମକୁ ଛାଡ଼ି ଚାଲି ଯାଇଛନ୍ତି। ବନ୍ଧୁତା କେଉଁଠି ରହିଲା ଯେ ଡିଲ୍‌ ହେବ? ଆମେ ଭୋଟ୍‌ ପାଇଲୁ ନାହିଁ ମାନେ ନୁହେଁ ଯେ ଭୋଟ୍‌ ବିକିଦେଲୁ। ପଦ୍ମପୁର‌ରେ ଲୋକ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏଭଳି ସ୍ଥିତି ଜାରି ରହିଲେ ଆମ ଅବସ୍ଥା ଆଗକୁ ଆହୁରି ସାଂଘାତିକ ହେବ। ତେଣୁ କଂଗ୍ରେସ ଦୋଷ ଦୁର୍ବଳତାକୁ ଭୁଲି ୨୦୨୪ ପାଇଁ ଆତ୍ମସମୀକ୍ଷା କରିବ।