ସଂରକ୍ଷିତ ଆସନରେ ସାଧା‌ରଣ ବର୍ଗର ପ୍ରାର୍ଥୀ ପ୍ରସଙ୍ଗ: ରାଜ୍ୟ ନିର୍ବାଚନ କମିସନଙ୍କ ନିକଟରେ କଂଗ୍ରେସର ଫେରାଦ

ଭୁବନେଶ୍ବର : ଜଗତସିଂହପୁର ଜିଲ୍ଲାର ବାଲିକୁଦା ନିର୍ବାଚନ ମଣ୍ଡଳୀରେ ଚଞ୍ଚକତା କରି ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଆସନରେ ସାଧାରଣ ବର୍ଗର ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିଛି ଶାସକ ବିଜୁ ଜନତା ଦଳ। ଏ ସଂପର୍କରେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ଅଭିଯୋଗ ଦାଖଲ ହୋଇଥିଲେ ମଧ୍ୟ ରିଟର୍ଣ୍ଣିଂ ଅଫିସର କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି। ଏହାର ବିରୋଧରେ ରାଜ୍ୟ ନିର୍ବାଚନ କମିସନଙ୍କ ନିକଟରେ ଫେରାଦ ଦେଇଛି ରାଜ୍ୟ କଂଗ୍ରେସର ପ୍ରତିନିଧି ମଣ୍ଡଳୀ। ସଂପୃକ୍ତ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ନାକଚ ସହ ତାଙ୍କ ବିରୋଧରେ ଫୌଜଦାରୀ ମକଦ୍ଦମା ରୁଜୁ କରିବା ଲାଗି ଦଳ ପକ୍ଷରୁ ଦାବି ହୋଇଛି।

ଜଗତସିଂଂହପୁର ଜିଲ୍ଲାର ବାଲିକୁଦା ଜୋନ୍ ନଂ-୨ ଜିଲ୍ଲା ପରିଷଦ ଆସନ ଅନୁସୂଚିତ ଜାତିବର୍ଗ ପାଇଁ ସଂରକ୍ଷିତ। ଏହି ସଂରକ୍ଷିତ ଆସନରେ ଶାସକ ବିଜୁ ଜନତା ଦଳ ପକ୍ଷରୁ ଜଣେ ସାଧାରଣ ବର୍ଗର ଲୋକଙ୍କୁ ପ୍ରାର୍ଥୀ କରାଯାଇଛି। ପ୍ରାର୍ଥୀଙ୍କ ଜାତି ପ୍ରମାଣପତ୍ରକୁ ତହସିଲଦାର ନାକଚ କରିଛନ୍ତି। ଏହାସତ୍ବେ ସେ ବହୁ ପୁରୁଣା ମିଥ୍ୟା ଜାତି ପ୍ରମାଣପତ୍ର ଦାଖଲ କରିଛନ୍ତି। ଯାହା ଉପରେ ଦଳ ପକ୍ଷରୁ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ଅଭିଯୋଗ ହେବା ସହିତ ପ୍ରାର୍ଥିପତ୍ର ନାକଚ ପାଇଁ ଦାବି ‌କରାଯାଇଥିଲା। ମାତ୍ର ରିଟର୍ଣ୍ଣିଂ ଅଫିସର ସ୍ଥାନୀୟ ବିଧାୟକଙ୍କ ଚାପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି। ରିଟର୍ଣ୍ଣିଂ ଅଫିସରଙ୍କ ପକ୍ଷପାତିତା ବିରୋଧରେ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ବାଚନ କମିସନଙ୍କ ନିକଟରେ ଦଳ ପକ୍ଷରୁ ଦାବି କରାଯାଇଛି। ଏହି ପ୍ରତିନିଧି ମଣ୍ଡଳୀରେ ଲଲାଟେନ୍ଦୁ ମହାପାତ୍ର, ଶିବାନନ୍ଦ ରାୟ, ଯଜ୍ଞେଶ୍ବର ବାବୁ, ମନୋରଂଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ସନ୍ତୋଷ କୁମ୍ଭାର, ଦୀପକ ମହାପାତ୍ର, ବିକ୍ରମ ପରିଡ଼ା, ସୁରେନ୍ଦ୍ର କୁମାର ଦାଶ, ତ୍ରିନାଥ ବେହେରା ଓ ଶରତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର