ଭୁବନେଶ୍ବର : କଂଗ୍ରେସ ଭବନରେ ପଶି ଛାତ୍ର କଂଗ୍ରେସ କର୍ମୀଙ୍କୁ ପୁଲିସ ନିସ୍ତୁକ ମାଡ଼ ମାରିବା ଘଟଣାକୁ ନେଇ ରାଜ୍ୟ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଦଳର ନେତୃବୃନ୍ଦ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣାର ନିନ୍ଦା କରିବା ସହିତ ଏହାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି।

Advertisment

ରାଜ୍ୟ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ତାରା ପ୍ରସାଦ ବାହିନୀପତି, ପିସିସି ଗଣମାଧ୍ୟମ ସେଲର ଅଧ୍ୟକ୍ଷ ଗଣେଶ୍ବର ବେହେରା କହିଲେ, ଲୋୟର ପିଏମ୍‌ଜିରେ ପ୍ରତିବାଦ ସଭା ପରେ ଛାତ୍ର କଂଗ୍ରେସ କର୍ମୀ ବିଧାନସଭା ଆଡ଼କୁ ମୁହାଁଉଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା। କଂଗ୍ରେମ କର୍ମୀମାନେ ଏହାକୁ ନେଇ ପ୍ରଶ୍ନ ଉଠାଇବା ପରେ ପୁଲିସ ଛାତ୍ର କଂଗ୍ରେସ କର୍ମୀମାନଙ୍କ ଉପରେ ଲାଠିମାଡ଼ କରିଥିଲା। କିଛି କର୍ମୀ ଦୌଡ଼ି ଦୌଡ଼ି କଂଗ୍ରେସ ଭବନରେ ପସି ଆସିଥିବା ବେଳେ ପୁଲିସ କଂଗ୍ରେସ ଭବନରେ ପ୍ରବେଶ କରି ନିସ୍ତୁକ ମାଡ଼ ମାରିଥିଲେ। ଛାତ୍ର କଂଗ୍ରେସର କର୍ମୀଙ୍କ ଉପରେ ପୁଲିସର ମାତ୍ରାଧିକ କାର୍ଯ୍ୟକଳାପ ପାଇଁ ଏହାର ବିଚାର ବିଭାଗୀୟ ତଦନ୍ତ କରାଯାଉ । ଆକ୍ରମଣରେ ସଂପୃକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ପୁଲିସ କମିସନର ଏହି ଘଟଣା ପାଇଁ କ୍ଷମା ମାଗନ୍ତୁ। ଏହାସହ ବିଧାନସଭାରେ ହୋଇଥିବା ଅଚଳାବସ୍ଥା ପାଇଁ ରାଜ୍ୟ ସରକାର ଦଳ ପକ୍ଷରୁ କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ରମେଶ ଜେନା, ପିସିସି ମୁଖପାତ୍ର ସୁଦର୍ଶନ ଦାସ, ଜାତୀୟ ଛାତ୍ର କଂଗ୍ରେସ ସଂପାଦିକା ତଥା ରାଜ୍ୟ ଛାତ୍ର କଂଗ୍ରେସ ପ୍ରଭାରୀ ଅନୁଲେଖା ବୋଷା ପ୍ରମୁଖ ଉପସ୍ଥିତ ଥିଲେ।

କଂଗ୍ରେସର ହିଂସାତ୍ମକ ଆନ୍ଦୋଳନକୁ ବିଜେଡିର ନିନ୍ଦା

ଭୁବନେଶ୍ବର : ମମିତାଙ୍କୁ ନ୍ୟାୟ ଦେବା ନାଁରେ ରାସ୍ତାକୁ ଓହ୍ଲାଇଥିବା କଂଗ୍ରେସର ପୁଲିସକୁ ଆକ୍ରମଣ ଘଟଣାକୁ ବିଜେଡି ପକ୍ଷରୁ ନିନ୍ଦା କରାଯାଇଛି। ଗୁରୁବାର ଦିନ ବିଜେପି ଯୁବମୋର୍ଚା ପୁଲିସକୁ ଆକ୍ରମଣ କରି ଲହୁଲୁହାଣ କରିଥିବା ବେଳେ ଶୁକ୍ରବାର ଦିନ କଂଗ୍ରେସ କର୍ମୀ ସେମାନଙ୍କ ସହ ପ୍ରତିଯୋଗିତା କରିବାକୁ ଯାଇ ପୁଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଛନ୍ତି। ଗୁଣ୍ଡାଗର୍ଦ୍ଦିରେ ବିଜେପି ସହ କଂଗ୍ରେସ ପ୍ରତିଯୋଗିତା କରୁଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

ବିଜେଡିର ମୁଖପାତ୍ର ଲେନିନ୍ ମହାନ୍ତି ଏକ ପ୍ରେସ୍ ବିବୃତିରେ କହିଛନ୍ତି, ଯେଉଁ ହିଂସାତ୍ମକ ଆଚରଣ ପାଇଁ ଦୀର୍ଘ ୨୨ବର୍ଷ ହେବ ରାଜ୍ୟବାସୀ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଆସୁଛନ୍ତି, ଏବେ ବି କଂଗ୍ରେସ ତାହା ଛାଡ଼ି ପାରୁନାହିଁ। ରାଜ୍ୟ କଂଗ୍ରେସ ଦଳ ଭିତରେ ଗୋଷ୍ଠୀ କନ୍ଦଳ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଦଳ ଦୟନୀୟ ଅବସ୍ଥାରେ ଥିଲେ ବୋଲି ନେତୃତ୍ବକୁ ନେଇ ଟଣାଓଟରା ଲାଗିଛି। କଂଗ୍ରେସ ଦଳ ରାଜ୍ୟବାସୀଙ୍କ ଜନମାନସରୁ ହଜି ଯିବାକୁ ବସିଥିବା ବେଳେ ନିଜର ସ୍ଥିତି ରକ୍ଷା ଲାଗି ଆନ୍ଦୋଳନ ନାଁରେ ହିଂସା ପ୍ରଦର୍ଶନ କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ହୀନ ଉଦ୍ୟମ କରୁଛି। ହିଂସା ଓ ବିଶୃଙ୍ଖଳିତ ଆଚରଣ ଲାଗି ବଦନାମ କଂଗ୍ରେସ ଏଭଳି ଗୁଣ୍ଡାଗର୍ଦ୍ଦିରୁ ବିରତ ନ ହେଲେ ରାଜ୍ୟବାସୀ ଏମିତି ସେମାନଙ୍କୁ ପ୍ରତ୍ୟାଖ୍ୟାନ କରି ଚାଲିଥିବା ବୋଲି ଶ୍ରୀ ମହାନ୍ତି କହିଛନ୍ତି।