ଭୁବନେଶ୍ବର : ସାଧାରଣ ବଣ୍ଟନ ବ୍ୟବସ୍ଥାରେ ରାଜ୍ୟର ୭୭ ପ୍ରତିଶତ ଲୋକଙ୍କୁ ନବୀନ ସରକାର ଦେଉଥିବା ଚାଉଳ ମଣିଷ ଖାଦ୍ୟ ଉପଯୋଗୀ ନୁହଁ। ନିମ୍ନମାନର ଚାଉଳ ବୋଲି କେନ୍ଦ୍ର ସରକାରଙ୍କ ଖାଉଟି ମନ୍ତ୍ରଣାଳୟର ଅଧିକାରୀମାନେ ତଦନ୍ତ କରି ପ୍ରକାଶ କରିବା ପରେ ରାଜ୍ୟ ସରକାରଙ୍କୁ କଂଗ୍ରେସ ଘେରିଛି। ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ମାନସ ଚୌଧୁରୀ ସମ୍ବାଦିକ ସମ୍ମିଳନୀ କରି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଇସ୍ତଫା ଦାବି କରିଛନ୍ତି। ଏହାସହିତ ବିଭାଗୀୟ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି ହୋଇଛି।
ଶ୍ରୀ ଚୌଧୁରୀ ଅଭିଯୋଗ କରିଛନ୍ତି, ଖୋଦ ଯୋଗାଣ ମନ୍ତ୍ରୀ ଶ୍ରୀ ସ୍ବାଇଁଙ୍କ ଜିଲ୍ଲା କଟକର ବିଭିନ୍ନ ଗୋଦାମ ଯାଞ୍ଚ କରି କେନ୍ଦ୍ରୀୟ କର୍ତ୍ତୃପକ୍ଷ ଗତମାସ ୨୭ ତାରିଖରେ ରାଜ୍ୟ ସରକାରଙ୍କୁ ଚେତାଇ ଦେଇଛନ୍ତି। ଏପରିକି ଗୋଦାମରେ ଗଚ୍ଛିତ ଥିବା ଚାଉଳ ମଣିଷ ଖାଇବା ଯୋଗ୍ୟ ନୁହଁ। ଗୋଟିଏ ପଟେ ବିଜେଡି ସରକାର ଟଙ୍କିକିଆ ଚାଉଳ ଦେଇ ରାଜ୍ୟବାସୀଙ୍କ ଭୋଟ ପାଉଥିବାବେଳେ ଚାଉଳ ବଣ୍ଟନରେ କୋଟି କୋଟି ଟଙ୍କାର ଅର୍ଥ ବାଟମାରଣା ହୋଇଛି। ଯଦି କଟକ ଓ ଭୁବନେଶ୍ବରର ସ୍ଥିତି ଏପରି ତେବେ ମାଲକାନାଗିରି, ନବରଙ୍ଗପୁର, ନୂଆପଡ଼ା ଜିଲ୍ଲାରେ କି ଅବସ୍ଥାରେ ଚାଉଳ ଥିବ ସେ ନେଇ ପ୍ରଶ୍ନ ଉଠାଇଛନ୍ତି।
ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓଡ଼ିଶାରେ ବିଫଳ ହୋଇଛି। ସ୍ବଚ୍ଛତାର ଡିଣ୍ଡିମ ପିଟୁଥିବା ନବୀନ ସରକାର ଏହି ମହାଦୁର୍ନୀତିର ତଦନ୍ତକରି ବାସ୍ତବ ସତ୍ୟ ଜନସାଧାରଣଙ୍କ ଆଗରେ ପ୍ରକାଶ କରନ୍ତୁ। ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ବର ଜିଲ୍ଳା କଂଗ୍ରେସ ସଭାପତି ବିଶ୍ବଜିତ୍ ଦାଶ ଓ ପିସିସି ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର୍ ନୱାଜ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/Congress-Press-meet-2.jpg)