ଭୁବନେଶ୍ବର : ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ନିରପେକ୍ଷ, ଅବାଧ, ସ୍ବଚ୍ଛ ଓ ମୁକ୍ତ ହେବା ସମ୍ଭବ ହୋଇପାରି ନାହିଁ। ଉଭୟ ରାଜ୍ୟ ନିର୍ବାଚନ କମିସନ ଓ ପୁଲିସ ମହାନିର୍ଦେଶକଙ୍କ ମିଳିତ ଉଦ୍ୟମ ବିଫଳ ହୋଇଛି। ରାଜ୍ୟରେ କିଭଳି ଶୃଙ୍ଖଳିତ ନିର୍ବାଚନ ହେବ ସେଥିପାଇଁ ପିସିସିର ଏକ ପ୍ରତିନିଧି ମଣ୍ଡଳୀ କମିସନ ଓ ମହାନିର୍ଦେଶକଙ୍କୁ ଭେଟି ତ୍ବରିତ ଓ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।
ଦଳ ପକ୍ଷରୁ କୁହାଯାଇଛି ଗତକାଲି ଯାଜପୁର ଜିଲ୍ଲା ଅଧୀନ ବିଞ୍ଝାରପୁର ବ୍ଲକର ବାଛୋଳ ଗ୍ରାମ ପଞ୍ଚାୟତରେ ଶାସକ ଦଳର ପ୍ରାର୍ଥୀ ଓ ତାଙ୍କ ସମର୍ଥକ ବୁଥ ରିଗିଂ କରି ମତଦାନ କରିଥିଲେ। ଗଣମାଧ୍ୟମ ପ୍ରତିନିଧିମାନେ ସେମାନେ ନିଜର କାର୍ଯ୍ୟ ସଂପାଦନ କରୁଥିବା ବେଳେ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଏହି ଆଳରେ ସ୍ଥାନୀୟ ନିରୀହ ଓ ଆକ୍ରମଣରେ ସଂପୃକ୍ତ ନ ଥିବା ଜନସାଧାରଣ ଯେପରି ଦଣ୍ଡିତ ନ ହୁନ୍ତି ସେଥିପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ଓ ବିଞ୍ଝାରପୁର ବ୍ଲକ୍ ପ୍ରଶାସନ ଯତ୍ନଶୀଳ ହେବା ଜରୁରୀ। ତେଣୁ ବାଛୋଳ ଗ୍ରାମ ପଞ୍ଚାୟତର ସମସ୍ତ ବୁଥରେ ସିସିଟିଭି ଲଗାଇବା ସହ ପୁଲିସ ଉପସ୍ଥିତିରେ ପୁନଃ ନିର୍ବାଚନ କରାଗଲେ ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ହୋଇପାରିବ ବୋଲି ପିସିସି ପକ୍ଷରୁ ଦାବି କରାଯାଇଛି।
ଏହି ପ୍ରତିନିଧି ଦଳରରେ ପିସିସି ମୁଖପାତ୍ର ପଦ୍ମାକର ଗୁରୁ, ହଳଧର ସେଠୀ, ସୁରେନ୍ଦ୍ର ନାଥ କର, ସନ୍ତୋଷ ନନ୍ଦ, ଦୀପକ ମହାପାତ୍ର, ଆକାଶ ଭୂୟାଁ, ମମତା ଦାସ, ନମିତା ଜେନା, ସୁଜାତା ବେହେରା, ଅକ୍ଷୟ ବେହେରା, ଭରତ ଚନ୍ଦ୍ର ଜେନା, ପ୍ରଶାନ୍ତ ସାହୁ, ଦୁର୍ଯ୍ୟୋଧନ ବେହେରା, ଅନିଲ ମହାନ୍ତି, ଅଜିତ ଦାସ ପ୍ରମୁଖ ସାମିଲ ହୋଇଥିଲେ।