ନୟାଗଡ଼ କଙ୍ଗାରୁ କୋର୍ଟ ପ୍ରସଙ୍ଗରେ ବିଧାନସଭାରେ ବିଭ୍ରାନ୍ତିକର ତଥ୍ୟ ଦେଇଥିବା ଅଭିଯୋଗ : ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ଭୁବନେଶ୍ବର : ନୟାଗଡ଼ କଙ୍ଗାରୁ କୋର୍ଟ ପ୍ରସଙ୍ଗରେ ରାଜ୍ୟବାସୀଙ୍କୁ ପ୍ରକୃତ ସତ୍ୟ ଲୁଛାଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର। ଖାଲିସେତିକି ନୁହେଁ, ଅସତ୍ୟ ତଥ୍ୟ ଦେଇ ବିଧାନସଭାକୁ ବି ମନ୍ତ୍ରୀ ବି ଭ୍ରମିତ କରିବାକୁ ଉଦ୍ୟମ କରିଛନ୍ତି। ଗୃହରେ ଅସତ୍ୟ ତଥ୍ୟ ରଖିଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍‌। ଆଜି ସ୍ଥାନୀୟ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ନେତା ତଥା ଆଇନଜୀବୀ ନିଶିକାନ୍ତ ମିଶ୍ର ଏପରି ଦାବି କରିଛନ୍ତି।

ଶ୍ରୀ ମିଶ୍ର କହିଥିଲେ, ଆଜିକୁ ପ୍ରାୟ ୧୪ ବର୍ଷ ହେଲାଣି ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ ଖଲିପାଟଣା ଗ୍ରାମର ୧୫ଟି ପରିବାର କଙ୍ଗାରୁ କୋର୍ଟର ଶିକାର ହୋଇ ନିଜ ଗ୍ରାମକୁ ଫେରିପାରୁନାହାନ୍ତି। ଏ ନେଇ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଅଭିଯୋଗ କରାଯାଇଥିଲା। ଅଭିଯୋଗ କ୍ରମେ ୨୦୧୫ ସେପ୍ଟେମ୍ବର ୧୧ ତାରିଖରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ୨୦୧୫ ସେପ୍ଟେମ୍ବର ୧୮ ତାରିଖରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଆସିଥିବା ନିର୍ଦ୍ଦେଶକୁ ସରକାର ଚାପି ରଖିଛନ୍ତି। ଏହି ଘଟଣାରେ ଶରଣକୂଳ ଥାନାରେ ୧୬ରୁ ଅଧିକ ମାମଲା ରୁଜୁ ହୋଇଥିବାବେଳେ ମାତ୍ର ୧୦ଟି ମାମଲା ରୁଜୁ ହୋଇଥିବା ଗତବର୍ଷ ନଭେମ୍ବର ୨୫ ତାରିଖରେ ଗୃହରାଷ୍ଟ୍ର ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଥିଲେ। ଏହାବ୍ୟତୀତ ରାଜ୍ୟ ମାନବାଧିକାର କମିସନଙ୍କ ନିର୍ଦ୍ଦେଶକ (ଅନୁସନ୍ଧାନ) ତଥା ଆଇଜି ଘଟଣାସ୍ଥଳକୁ ଯାଇଥିଲେ। ନିଜେ ଆଇଜି ଏହାର ସତ୍ୟାସତ୍ୟ ଅନୁସନ୍ଧାନ କରିବା ସହ ଶାନ୍ତିକମିଟି ଗଠନ କରି ଗାଁ ବାହାରେ ରହୁଥିବା ପରିବାରକୁ ଥାଇଥାନ କରିବା ପାଇଁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯାହା ଆଜି ପର୍ଯ୍ୟନ୍ତ ହୋଇପାରିନି। ସିବିଆଇର ନିର୍ଦ୍ଦେଶକୁ ମଧ୍ୟ ସରକାର ଚାପି ରଖିଛନ୍ତି। ଆଇନକୁ ତା ବାଟରେ ଯିବାକୁ ଦିଆଯିବ ବୋଲି ସବୁବେଳେ କହୁଥିବା ମୁଖ୍ୟମନ୍ତ୍ରୀ ଏବେ ତାଙ୍କ ମନ୍ତ୍ରିମଣ୍ଡଳର ଜଣେ ସଦସ୍ୟଙ୍କ ଏପରି ଆଚରଣ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ମିଶ୍ର ଦାବି କରିଛନ୍ତି। ଏହି ଅବସରରେ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ସେହି ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ଯୁଧିଷ୍ଠିର କରଣ କହିଥିଲେ, ଗ୍ରାମରୁ ବିତାଡ଼ିତ ପରିବାରଙ୍କୁ ନେଇ ଗୃହମନ୍ତ୍ରୀ ବିଧାନସଭାରେ ଯେଉଁ ତଥ୍ୟ ରଖିଲେ ତାହା ସମ୍ପୂର୍ଣ୍ଣ ଅସତ୍ୟ। ଜିଲ୍ଲା ପ୍ରଶାସନ ଥରେ ହେଲେ ବି ସେମାନଙ୍କ ସହ ଯୋଗାଯୋଗ କରିନାହାନ୍ତି। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତ୍ରୀ ଶୁଭଶ୍ରୀ ପଣ୍ଡା, ଜିନେଶ ଦାସ, ଅମିତା ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର