ମନ୍ତ୍ରୀ ପଦ୍ମନାଭଙ୍କ ବହିଷ୍କାର ଦାବି କଲା କଂଗ୍ରେସ

୪ଟି ନିର୍ବାଚନରେ ୩ ପ୍ରକାର ତଥ୍ୟ ଦେଇଛନ୍ତି
ଉଚ୍ଚନ୍ୟାୟାଳୟ ଏତଲା ପାଇଁ ନିର୍ଦେଶ ଦେଇଥିଲେ
ତର୍ଜମା ଆଳରେ ଟାଳୁଛନ୍ତି ଏସ୍‌ପି, ଅସନ୍ତୋଷ ଝାଡିଲା ଦଳ

ଭୁବନେଶ୍ବର : ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ନିର୍ବାଚନରେ ପ୍ରାର୍ଥିପତ୍ର ଦାଖଲ ବେଳେ ଏକାଧିକ ଥର ଶିକ୍ଷାଗତ ଯୋଗ୍ୟତା ବିଷୟରେ ଭୁଲ ତଥ୍ୟ ଦେଇଛନ୍ତି। ଏହି ପ୍ରସଙ୍ଗରେ ମକଦ୍ଦମା ରୁଜୁ ପାଇଁ ହାଇକୋର୍ଟ ବୀରମହାରାଜପୁର ଆଇଆଇସିଙ୍କୁ ନିର୍ଦେଶ ଦେଇଥିବା ବେଳେ ଅନ୍ୟପଟରେ ମନ୍ତ୍ରୀଙ୍କ ବହିଷ୍କାର ଦାବି କରି ସରକାରଙ୍କୁ ଘେରିଛି କଂଗ୍ରେସ। ଦଳ ଆଜି ଏହି ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରିଥିଲା। କେବଳ ସେତିକି ନୁହେଁ, ଏହି ପ୍ରସଙ୍ଗରେ ପୁଲିସର ଭୂମିକାକୁ ବିବାଦକୁ ଟାଣି କଂଗ୍ରେସ ଗର୍ଜନ ତର୍ଜନ କରିଛି। ଅଭିଯୋଗ କରିଛି ଯେ ହାଇକୋର୍ଟ ଏହି ମାମଲାରେ ତୁରନ୍ତ ଶ୍ରୀ ବେହେରାଙ୍କ ବିରୋଧରେ ମକଦ୍ଦମା ରୁଜୁ ପାଇଁ ନିର୍ଦେଶ ଦେଇଥିବା ବେଳେ ସୋନପୁର ଏସ୍‌ପି କୋର୍ଟ ଆଦେଶକୁ ଅନୁଧ୍ୟାନ ଓ ତର୍ଜମା ଆଳରେ ଚାପି ରଖିବା ଦୁର୍ଭାଗ୍ୟଜନକ।

କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ସ୍ଥାନୀୟ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି, ଗତ ୪ଟି ନିର୍ବାଚନରେ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଇ ସତ୍ୟପାଠ ଜରିଆରେ ଶିକ୍ଷାଗତ ଯୋଗ୍ୟତା ନେଇ ମନ୍ତ୍ରୀ ଶ୍ରୀ ବେହେରା ୩ ପ୍ରକାର ଭିନ୍ନ ତଥ୍ୟ ପ୍ରଦାନ କରିଛନ୍ତି। ସେ ୨୦୦୪ ବିଧାନସଭା ନିର୍ବାଚନରେ ଫୁଲବାଣୀ (ସଂରକ୍ଷିତ) ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ସତ୍ୟପାଠ ଜରିଆରେ ୧୯୭୨ ମସିହାରେ କନ୍ଧମାଳର କଟାଗଡ଼ ସ୍ଥିତ ଟି ଆଣ୍ଡ୍‌ ଆର୍‌ଡବ୍ଲ୍ୟୁ ହାଇସ୍କୁଲରୁ ମାଟ୍ରିକ୍‌ ପାସ କରିଥିବା ନେଇ ଦର୍ଶାଇଥିଲେ। କିନ୍ତୁ ୨୦୦୯ ଓ ୨୦୧୪ ମସିହା ବିଧାନସଭା ନିର୍ବାଚନ ସମୟରେ ବୀରମହାରଜପୁର ସଂରକ୍ଷିତ ଆସନରୁ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ୧୯୭୩ ମସିହାରେ ୧୦ମ ପାସ୍‌ କରିଥିବା ଉଲ୍ଲେଖ କରିଥିଲେ। ଯାହାକି ୨୦୦୪ ମସିହା ତଥ୍ୟ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ୨୦୧୯ ନିର୍ବାଚନରେ ମନ୍ତ୍ରୀ ଶ୍ରୀ ବେହେରା ସତ୍ୟପାଠ ଜରିଆରେ ଦାଖଲ କରିଥିବା ତଥ୍ୟ ଗତ ୩ଟି ନିର୍ବାଚନ ତଥ୍ୟଠାରୁ ସମ୍ପୂର୍ଣ୍ଣ ଅଲଗା। ଜନ ପ୍ରତିନିଧି ଆଇନ ୧୯୫୧ର ଧାରା ୧୨୫ A ଏବଂ ଭାରତୀୟ ଦଣ୍ଡି ବିଧି ଆଇନର ଧାରା ୧୭୧ G ଅନୁଯାୟୀ ମିଥ୍ୟା ସତ୍ୟପାଠ ଏକ ଦଣ୍ଡନୀୟ ଅପରାଧ।

ମୁଖ୍ୟମନ୍ତ୍ରୀ ତୁରନ୍ତ ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରି ହାଇକୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ କରିବାକୁ ଶ୍ରୀ ମିଶ୍ର ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ସୁରେନ୍ଦ୍ର ନାଥ କର, ଜିନେଶ ଦାସ, ଅମିତା ବିଶ୍ବାଳ, ରଜନୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର