‘କଂଗ୍ରେସର ଦାବି; ଆମେ ସଫଳ’

ଗୃହ କାର୍ଯ୍ୟରେ ସହଯୋଗ ପାଇଁ ବିଜେପିକୁ ଅନୁରୋଧ

ଭୁବନେଶ୍ୱର : ବିଧାନସଭାର ଚଳିତ ଶୀତ ଅଧିବେଶନରେ କଂଗ୍ରେସର ଦାବି ଆଗରେ ସରକାର ନିଷ୍ପତ୍ତି ବଦଳାଇବାରେ ବାଧ୍ୟ ହୋଇଛନ୍ତି। କେବିକେ ଜିଲ୍ଲାରେ କମ୍‌ ପିଲାଥିଲେ ବି ସ୍କୁଲ ବନ୍ଦ ହେବନି। ସେହିପରି ନୟାଗଡ଼ ପରୀ ହତ୍ୟା ମାମଲାରେ ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏସ୍‌ଆଇଟି ତଦନ୍ତ ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା କଂଗ୍ରେସର ସଫଳତା। ଏହାକୁ ସହିପାରୁନି ବିଜେପି। ଭୋକ ବିକଳରେ ତାଟିଆ କାମୁଡ଼ିବା ଭଳି ଗୃହରେ ଆଚରଣ କରୁଛି। ବିଧାନସଭା ମୁଲତବୀ ପରେ ନିଜ ସରକାରୀ ବାସଭବନରେ ଆଜି ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଏପରି ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଆସନ୍ତାକାଲି ଗୃହରେ ବ୍ୟୟ ମଞ୍ଜୁରି ବିଲ୍‌ ଆଲୋଚନାରେ ସହଯୋଗ କରିବାକୁ ବିରୋଧୀ ଦଳ ନେତାଙ୍କୁ ସେ ଅନୁରୋଧ କରିଛନ୍ତି।

ଶ୍ରୀ ମିଶ୍ର କହିଛନ୍ତି, ତାଙ୍କ ଦାବି ମୁତାବକ ଗତକାଲି ମୁଖ୍ୟମନ୍ତ୍ରୀ ନୟାଗଡ଼ ଘଟଣାରେ ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆଉ ଏହା ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ହେବ ବୋଲି ସରକାର ଗୃହରେ ସ୍ପଷ୍ଟ କରି ହାଇକୋର୍ଟଙ୍କୁ ଚିଠି ଲେଖିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ଭାବରେ ଗତକାଲି ଗୃହରେ ଦାବି କରିଥିଲି। ଦାବି ମୁତାବକ ମୁଖ୍ୟମନ୍ତ୍ରୀ ତତ୍‌କ୍ଷଣାତ୍‌ ପଦକ୍ଷେପ ନେଇଛନ୍ତି। ଏହାପରେ ଆଉ ଗୃହରେ ହଙ୍ଗାମା କରିବାର ଅର୍ଥ କଣ? ନୟାଗଡ଼ ଘଟଣାରେ ସରକାରଙ୍କ ପଦକ୍ଷେପ ପରେ ଆଉ ଗୃହକୁ ଅଚଳ କରିବାର ଯଥାର୍ଥତା ନାହିଁ। କିନ୍ତୁ ବିଜେପିର ବନ୍ଧୁମାନେ ଏହି ଘଟଣାରେ ସିବିଆଇ ତଦନ୍ତ ଦାବି କରି ରାଜ୍ୟ ସରକାରଙ୍କୁ ସର୍ବଦା କେନ୍ଦ୍ର ସିବିଆଇର ଭୟ ଦେଖାଇପାରିବ ସେଥିପାଇଁ ଦାବି ଜୋର କରୁଛନ୍ତି। ଏପରି କରି ପୁଣି ଥରେ ବିଜେଡି ସହ ରାଜ୍ୟସଭା ଆସନ କି ଅନ୍ୟକିଛି ମୂଲଚାଲ କରିହେବ।

ସେହିପରି, ସ୍କୁଲ ବନ୍ଦ ନେଇ ମୁଲତବୀ ଆଲୋଚନାରେ କେବିକେ ଓ ତଫସିଲଭୁକ୍ତ ଅଞ୍ଚଳରେ କମ୍‌ ପିଲା ଥିଲେ ବି ସ୍କୁଲ ବନ୍ଦ ନକରିବାକୁ କଂଗ୍ରେସ ଦଳ ଦାବି କରିଥିଲା। ମୁଲତବୀ ପ୍ରସ୍ତାବ ଆଲୋଚନାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କେବଳ ତଫସିଲଭୁକ୍ତ ଅଞ୍ଚଳ ପାଇଁ କମ୍‌ ପିଲା ଥିଲେ ସ୍କୁଲ ବନ୍ଦ ହେବନି ବୋଲି ଗୃହରେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପରଦିନ କଂଗ୍ରେସ ଦାବି ଜୋର କରିବାରୁ କେବିକେ ଜିଲ୍ଲାରେ ସମାନ ନିୟମ ଲାଗୁ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସ୍ପଷ୍ଟ କରିଥିଲେ। ଏହି ଦୁଇଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାରେ ସରକାରଙ୍କୁ ବାଧ୍ୟ କରିବାରେ କଂଗ୍ରେସ ସଫଳ ହୋଇଛି। ସେହିପରି ପୁରୀ ହାଜତ ମୃତ୍ୟୁ ଘଟଣାରେ ବି ଦଳୀୟ ବିଧାୟକମାନଙ୍କ ଦାବି ଆଗରେ ସକାର ନଇଁଲେ। ସମ୍ପୃକ୍ତ କେତେଜଣ ଅଧିକାରୀଙ୍କୁ ନିଲମ୍ବନ ମଧ୍ୟ କରିଛନ୍ତି ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି।

ଶ୍ରୀ ମିଶ୍ର କହିଛନ୍ତି, ଆଜି ପଞ୍ଚାୟତି ରାଜ ବିଭାଗର ଅତିରିକ୍ତ ଖର୍ଚ୍ଚଦାବି ସମ୍ପର୍କରେ ସେ ଗୃହରେ ଆଲୋଚନା କରୁଥିବାବେଳେ ବିଜେପି ବନ୍ଧୁମାନେ ଗୃହ ଭିତରେ ହଙ୍ଗାମା କରିବା ସହ ତାଙ୍କୁ କୁହାଇ ଦେଇନଥିଲେ। ଗତ ଅଧିବେଶନରେ ଗୋଟିଏ ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ଯେପରି ଆଚରଣ କରିଥିଲେ ସମାନ ଆଚରଣ ଶନିବାର ବି କଲେ। ଏଥିରୁ ଜଣାପଡ଼ୁଛି ରାଜ୍ୟ ସରକାରଙ୍କ ଦୁର୍ନୀତିକୁ କଂଗ୍ରେସ ପଦାରେ ନ ପକାଉ ସେଥିପାଇଁ ଉଭୟଙ୍କ ମଧ୍ୟରେ ଭିତିରି ବୁଝାମଣା ଥିବାରୁ ଗୃହରେ ବିଜେଡିକୁ ବିଜେପି ସୁରକ୍ଷା ଯୋଗାଉଛି।

ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ତାରାପ୍ରସାଦ ବାହିନୀପତି, ଅଧିରାଜ ମୋହନ ପାଣିଗ୍ରାହୀ, ସିଏସ୍‌ ରାଜନଇକା, ଦାଶରଥୀ ଗମାଙ୍ଗ, ରମେଶ ଜେନା, ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ ଓ ମନୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର