ଜଟଣୀ ରେଳବାଇ ବସ୍ତିବାସିନ୍ଦାଙ୍କ ଥଇଥାନ ଦାବିରେ କଂଗ୍ରେସର ବିକ୍ଷୋଭ

ଖୋର୍ଦ୍ଧା: ଜଟଣୀ ପୌରାଂଚଳରେ ରେଳ ଷ୍ଟେସନର ବିକାଶ କାମ ଚାଲୁଛି । ଏହି ସମୟରେ ରେଳବାଇର ଜମିରେ ଜବରଦଖଲ କରି ବସ୍ତି କରିଥିବା ଲୋକଙ୍କୁ ଉଚ୍ଛେଦ କରିବାକୁ ରେଳବାଇ ପଦେକ୍ଷେପ ନେଇଛି । ଉଚ୍ଛେଦ ହୋଇଥିବା ବସ୍ତିବାସିନ୍ଦାଙ୍କ ଥଇଥାନ ଦାବିରେ ଆଜି ଖୋର୍ଦ୍ଧା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ।

ଆଜି ପୂର୍ବାହ୍ଣରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଶତାଧିକ ବସ୍ତିବାସିନ୍ଦା ଓ ଦଳୀୟ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇଥିଲେ । ସେଠାରେ ଧାରଣା ଦେବା ସହ ଏକ ବିକ୍ଷୋଭ ସମାବେଶର ଆୟୋଜନ କରିଥିଲେ । ଏହି ସଭାରେ ଶ୍ରୀ ରାଉତରାୟ କହିଥିଲେ ଯେ ରେଳବାଇର ଉକ୍ତ ଜମିରେ ବଂଶାନୁକ୍ରମିକ ଭାବେ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ପ୍ରାୟ ୬ଶହରୁ ଉଦ୍ଧ୍ୱର୍ ପରିବାର ୧୦୦ ବର୍ଷ ଧରି ବଂଶାନୁକ୍ରମିକ ଭାବେ ରହିଆସୁଛନ୍ତି । ବର୍ତମାନ ସେମାନଙ୍କୁ ରେଳବାଇ ଉଚ୍ଛେଦ କରୁଛି । ଏହା ମଧ୍ୟରେ ସେ ଅନେକ ଥର ରେଳ କର୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନକୁ ଉଚ୍ଛେଦ ଗରିବ ବସ୍ତିବାସିନ୍ଦାଙ୍କ ଥଇଥାନ ପାଇଁ ଦାବି କରିଛନ୍ତି, କିନ୍ତୁ କୌଣସି ପଦକ୍ଷେପ ନିଆଯାଇନାହିଁ ।

ଉଚ୍ଛେଦ ହୋଇଥିବା ବସ୍ତିବାସିନ୍ଦାଙ୍କୁ ସରକାର ଜାଗା ଯୋଜନାରେ ଜମି ଓ ପଟ୍ଟା ଆଦି ଦେବା ଓ ସେମାନଙ୍କ ଥଇଥାନ ପରେ ଉଚ୍ଛେଦ କରିବାକୁ ସେ ଦାବି କରିଛନ୍ତି । ନଚେତ୍ ଆଗାମୀ ଦିନରେ ଆନେ୍ଦାଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଯୁବ ନେତା କ୍ୟାପ୍ଟେନ୍ ମନ୍ମଥ ରାଉତରାୟ, ଜଟଣୀ ନଗର କଂଗ୍ରେସ ସଭାପତି ଅଶୋକ କୁମାର ମଙ୍ଗରାଜ ସମେତ ଅନେକ ନେତା ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର