ମାଲକାନଗିରି: ମାଲକାନଗିରି ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ପ୍ରାର୍ଥୀ ଘୋଷଣା ସରିଛି। ମାଲକାନଗିରି ନିର୍ବାଚନ ମଣ୍ଡଳୀ ପାଇଁ ମାଲା ମାଢିଙ୍କ ନାମ ଘୋଷଣା ହୋଇଥିବା ବେଳେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ପାଇଁ ମଙ୍ଗୁ ଖିଲଙ୍କ ନାମ ଘୋଷଣା କରାଯାଇଛି। ତେବେ ଚିତ୍ରକୋଣ୍ଡାରେ ଆଶାୟୀଙ୍କ ସଂଖ୍ୟା ଅଧିକ ଥିଲେ ମଧ୍ୟ ପ୍ରଥମ ଦାବିଦାର ଭାବେ ଶରତ ଚନ୍ଦ୍ର ବୁରୁଦା ରହିଥିଲେ।ତେବେ ଶରତଙ୍କୁ ଟିକଟ ନମିଳିବା ପରେ ସେ ଗଣମାଧ୍ୟମ ଆଗରେ ଓଡିଶା ପ୍ରଭାରୀ ଅଜୟ କୁମାର ତାଂକୁ ଟିକଟ ପାଇଁ ୪୦ ଲକ୍ଷ ଟଂକା ମାଗିଥିବା ଅଭିଯୋଗ କରିଛନ୍ତି। ଏପିରିକି ସେ ହୋଟେଲରେ ଖାଦ୍ୟ ପାଇଁ ୮ ହଜାର ଟଂକା ଫୋନ ପେ ଯୋଗେ ନେଇଥିବା ମଧ୍ୟ ଅଭିଯୋଗ କରିଛନ୍ତି।

Advertisment

ତେବେ ଏହି ଅଭିଯୋଗକୁ ମିଥ୍ୟା ଏବଂ ଖଣ୍ଡନ କରିଛି ଜିଲ୍ଲା କଂଗ୍ରେସ। ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର ସାମ୍ବାଦିକ ସମ୍ମିଳନୀରେ ଶତର ଚନ୍ଦ୍ର ବୁରୁଦାଙ୍କ ଏହି ଅଭିଯୋଗ ଭିତ୍ତିହୀନ ବୋଲି କହିଛି। କଂଗ୍ରେସ ପାର୍ଟିରେ କେବେ ମଧ୍ୟ ଟଂକା ନେଇ ଟିକଟ ବଣ୍ଟାଯାଉନଥିବା ସେ କହିଥିଲେ। ଏକ ଶୃଙ୍ଖଳିତ କର୍ମୀ ହୋଇ ଏଭଳି ଅଭିଯୋଗ ଆଣିବା ଦଳ ପାଇଁ ହାନିକାରକ ହେବ ବୋଲି କହିଥିଲେ। ଏଭଳି କୌଣସି କଂଗ୍ରେସ କର୍ମୀ ନିର୍ବାଚନ ସମୟରେ କଂଗ୍ରେସ ଦଳକୁ ବଦନାମ କରନ୍ତି କିମ୍ବା ଭିତ୍ତିହୀନ ମନ୍ତବ୍ୟ ଦିଅନ୍ତି ତେବେ ମୁଁ ଜିଲ୍ଲା ସଭାପତି ଭାବେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି ସେ ଚେତାବନୀ ଦେଇଥିଲେ। ଅନ୍ୟଦିଗରେ ଶରତ ଚନ୍ଦ୍ର ବୁରୁଦା ତାଂକୁ ୪୦ ଲକ୍ଷ ଟଂକା ମଗାଯାଇଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିବା ସହ ସେ ଏନେଇ ଏଆଇସିସିର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଥିବା କହିଛନ୍ତି।