ଭୁବନେଶ୍ବର: ନିଲମ୍ବିତ କଂଗ୍ରେସ ବିଧାୟକଙ୍କୁ ଆଜି ବି ବିଧାନସଭା ପରିସରକୁ ଛଡ଼ାଯାଇନି। ଏହାକୁ ନେଇ ବିଧାନସଭାର ଦୁଇଟି ଫାଟକ ନିକଟରେ ବିଧାୟକ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ମୁଖ୍ୟ ଫାଟକ ନିକଟରେ ଧାରଣାରେ ବସିଥିଲା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ଏହାକୁ ନେଇ କଂଗ୍ରେସ ବିଧାୟକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଆଜି ବିଧାୟକ ଦଳ ନେତା ଶ୍ରୀ କାଡ଼ାମ ଓ ଉପନେତା ଅଶୋକ କୁମାର ଦାସ ସକାଳ ପ୍ରାୟ ସାଢ଼େ ୧୦ଟା ବେଳକୁ ବିଧାନସଭା ମୁଖ୍ୟଫାଟକ ନିକଟରେ ପହଞ୍ଚିଥିଲେ। କିନ୍ତୁ ସୁରକ୍ଷାକର୍ମୀମାନେ ଫାଟକ ନିକଟରେ ତାଙ୍କୁ ଅଟକାଇଥିଲେ। ଆପଣଙ୍କୁ ଭିତରକୁ ନ ଛାଡ଼ିବା ପାଇଁ ଆମକୁ ନିର୍ଦ୍ଦେଶ ଅଛି ବୋଲି ସେମାନେ କହିଥିଲେ। କିଏ ନିର୍ଦ୍ଦେଶ ଦେଇଛି ବୋଲି ଶ୍ରୀ କାଡ଼ାମ ପ୍ରଶ୍ନ କଲେ ବି ସେମାନେ ଉତ୍ତର ଦେଇ ନଥିଲେ। ବିଧାୟକ ଦଳ ନେତା ଯୁକ୍ତି ବାଢ଼ିଥିଲେ ଯେ ଆମେ ନିଲମ୍ବିତ ହୋଇଥିବାରୁ ଗୃହ ଭିତରକୁ ଯିବୁନି। କିନ୍ତୁ ବିଧାନସଭା ଭିତରକୁ ନ ଛାଡ଼ିବା ପଛର କାରଣ କ’ଣ? ତାହା ସତ୍ତ୍ବେ ବିଧାନସଭାର ସୁରକ୍ଷାକର୍ମୀ ଓ ପୁଲିସ ସେମାନଙ୍କୁ ଛାଡ଼ି ନଥିଲେ। ଏଥିରେ ଅସନ୍ତୋଷ ପ୍ରକାଶ କରି ଶ୍ରୀ କାଡ଼ାମ ଓ ଶ୍ରୀ ଦାସ ଫାଟକ ସାମ୍ନାରେ ପ୍ରବଳ ଖରାରେ ଧାରଣାରେ ବସିଥିଲେ। କିଛି ସମୟ ପରେ ସେ ଅସୁସ୍ଥ ଅନୁଭବ କରିବାରୁ ଆମ୍ବୁଲାନ୍ସ ଆସି ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ। ଏହା ପରେ ସେଠାରୁ ଉଭୟ ଯାଇଥିଲେ। ସେମିତି ବିଧାନସଭାର ଆଉ ଏକ ଫାଟ ନିକଟରେ କଂଗ୍ରେସ ବିଧାୟକ ପବିତ୍ର ସାଉଁତା ଓ ପ୍ରଫୁଲ୍ଲ ପ୍ରଧାନ ମଧ୍ୟ ପ୍ରବେଶ କରିବାକୁ ଉଦ୍ୟମ କରିବାରୁ ସୁରକ୍ଷାକର୍ମୀ ଅଟକାଇଥିଲେ। କିଛି ସମୟ ଯୁକ୍ତିତର୍କ ପରେ ସେମାନେ ଫେରିଯାଇଥିଲେ। କାଳେ କେତେବେଳେ କଂଗ୍ରେସ ବିଧାୟକ ପଶିଆସିବେ, ସେଥି ପାଇଁ ବିଧାନସଭାର ମୁଖ୍ୟ ଫାଟକ ବନ୍ଦ କରାଯିବା ସହ ଅଧିକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥିଲା।
ସାଧାରଣତଃ କୌଣସି ସଦସ୍ୟ ନିଲମ୍ବିତ ପରେ ବିଧାନସଭା ପରିସରକୁ ଆସିବା ପାଇଁ ବାରଣ ନଥାଏ। ପୂର୍ବରୁ ତାରାପ୍ରସାଦ ବାହିନୀପତି ୭ ଦିନ ନିଲମ୍ବିତ ହୋଇଥିଲା ବେଳେ ବିଧାନସଭା ପରିସରକୁ ଆସି କଂଗ୍ରେସ ବିଧାୟକମାନଙ୍କ ସହ ବସାଉଠା କରୁଥିଲେ। ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦରେ ବି ସାମିଲ ହେଉଥିଲେ। କିନ୍ତୁ ଏଥର ନିଲମ୍ବିତ ବିଧାୟକଙ୍କୁ ଆଦୌ ବିଧାନସଭା ପରିସରକୁ ଆସିବାକୁ ଦିଆଯାଉ ନାହିଁ।